22 Death Penalties in Four Months: ୪ ମାସରେ ୧୦ ମାମଲାରେ ୨୨ ମୃତ୍ୟୁଦଣ୍ଡ: ଅପରାଧ ବିରୋଧରେ ଜଜଙ୍କ କଠୋର ଆଭିମୁଖ୍ୟ

Aug 17, 2026 - 18:01
22 Death Penalties in Four Months: ୪ ମାସରେ ୧୦ ମାମଲାରେ ୨୨ ମୃତ୍ୟୁଦଣ୍ଡ: ଅପରାଧ ବିରୋଧରେ ଜଜଙ୍କ କଠୋର ଆଭିମୁଖ୍ୟ

ଏକ ଫାଷ୍ଟ-ଟ୍ରାକ୍ କୋର୍ଟର ଜଜ୍ ଗତ ୪ ମାସ ମଧ୍ୟରେ ୧୦ଟି ମାମଲାରେ ରାୟ ଶୁଣାଇ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍‌ ରବି କୁମାର ଦିବାକରଙ୍କ କୋର୍ଟ ଏହି କଠୋର ରାୟଗୁଡ଼ିକ ଦେଇଛନ୍ତି । ୨୦୨୨ରେ ବାରାଣସୀର ଜ୍ଞାନବାପୀ ପରିସରର ଭିଡିଓଗ୍ରାଫି ସର୍ଭେ କରିବାକୁ ଆଦେଶ ଦେଇ ସେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ।

ଲକ୍ଷ୍ନୌ ବାସିନ୍ଦା ୪୬ ବର୍ଷୀୟ ଜଜ୍ ଦିବାକର ୨୦୦୯ରେ ଆଜମଗଡ଼ରେ ଅତିରିକ୍ତ ସିଭିଲ୍ ଜଜ୍ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ ମେ’ରେ ସେ ସୁଲତାନପୁରରେ ସିଭିଲ୍ ଜଜ୍ ଏବଂ ପ୍ରାୟ ୫ ମାସ ପରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଭାବେ ପଦୋନ୍ନତି ପାଇଥିଲେ। ବିକମ୍ ଓ ଏଲଏଲଏମ୍ ଡିଗ୍ରୀଧାରୀ ଜଜ୍ ଦିବାକର ୨୦୨୫ ନଭେମ୍ବରରୁ ମୁଜାଫରନଗରରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଭାବେ କାର୍ଯ୍ୟରତ ଅଛନ୍ତି।

୧୨ ବର୍ଷ ପୁରୁଣା ହତ୍ୟା ମାମଲାରେ ୪ ଜଣଙ୍କୁ ମୃତ୍ୟୁଦଣ୍ଡ

ଅଗଷ୍ଟ ୧୩ରେ ସେ ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପବନ କୁମାରଙ୍କ ହତ୍ୟା ମାମଲାରେ ରାମବୀର, ରାଜୀବ, ରାହୁଲ ଓ ହରେନ୍ଦ୍ର କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କ ଉପରେ ୧.୭୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ।

୧୯୯୯ରେ କାଠ ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା, ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

ଅଗଷ୍ଟ ୧୨ରେ ପ୍ରାୟ ୨୭ ବର୍ଷ ପୁରୁଣା ଏକ ଅପହରଣ ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଜଜ୍ ଦିବାକର।
୧୯୯୯ରେ ୫ ଲକ୍ଷ ଟଙ୍କା ମୁକ୍ତିପଣ ପାଇଁ କାଠ ବ୍ୟବସାୟୀ ସଲିମଙ୍କୁ ଅପହରଣ କରାଯାଇଥିଲା। ପରେ ଡିସେମ୍ବର ୯ରେ ଜଙ୍ଗଲରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ଶାହନୱାଜଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୨୦୧୧ରେ ଚାଷୀ ହତ୍ୟା ମାମଲାରେ ୪ ଜଣଙ୍କୁ ମୃତ୍ୟୁଦଣ୍ଡ

ଜୁଲାଇ ୧୭ରେ ୨୦୧୧ରେ ଘଟିଥିବା ଜଣେ ଚାଷୀଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
୨୦୧୧ ଅଗଷ୍ଟ ୨୦ରେ ଚାଷୀ ରାଜ ସିଂହ ତାଙ୍କ ବନ୍ଧୁ ବିଜେନ୍ଦ୍ରଙ୍କ ସହ ମୋଟରସାଇକେଲରେ ଭଉଣୀଙ୍କ ଘରକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଲୁଟ୍‌କୁ ବିରୋଧ କରିବାରୁ ରାଜ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 

ପୂର୍ବତନ ଗ୍ରାମ ମୁଖିଆ ଓ ସହଯୋଗୀଙ୍କୁ ମୃତ୍ୟୁଦଣ୍ଡ

ଜୁଲାଇ ୬ରେ ୨୦୧୦ର ଏକ ହତ୍ୟା ମାମଲାରେ ପୂର୍ବତନ ଗ୍ରାମ ମୁଖିଆ ଓ ତାଙ୍କ ସହଯୋଗୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ମାମଲା ‘ବିରଳରୁ ବିରଳତମ’ ଶ୍ରେଣୀର ବୋଲି ଜଜ୍ ଦିବାକର ମତ ଦେଇଥିଲେ।

ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

ଜୁଲାଇ ୨ରେ ଜଜ୍ ରବି କୁମାର ଦିବାକର ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ମାମଲା ‘ବିରଳରୁ ବିରଳତମ’ ଶ୍ରେଣୀରେ ପଡ଼ୁଥିବା ସେ କହିଥିଲେ।
୨୦୨୦ ଜୁନ୍ ୪ରେ ହୋମଗାର୍ଡ ରତିରାମ ଡ୍ୟୁଟିରେ ଥିବା ସମୟରେ ଅଭିଯୁକ୍ତର ମା’ଙ୍କୁ ଉଦ୍ଧାର କରିବାକୁ ହସ୍ତକ୍ଷେପ କରିଥିଲେ। ଅଭିଯୁକ୍ତ ତାଙ୍କ ମା’ଙ୍କୁ ମାଡ଼ ମାରିଥିବା ଅଭିଯୋଗ ଥିଲା। ଏଥିରେ ରାଗିଯାଇ ଅଭିଯୁକ୍ତ ଦୀପକ ରତିରାମଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲା।

ହତ୍ୟା ମାମଲାରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ

ଜୁନ୍ ୨୦ରେ ରାଜେନ୍ଦ୍ର ସାଇନି ହତ୍ୟା ମାମଲାରେ ଗଜେନ୍ଦ୍ର ଓ ରାମକିରଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ମାମଲା ମଧ୍ୟ ‘ବିରଳରୁ ବିରଳତମ’ ଶ୍ରେଣୀର ବୋଲି ଜଜ୍ କହିଥିଲେ।

୧୫ ବର୍ଷ ପୁରୁଣା ଡବଲ୍ ମର୍ଡର ମାମଲାରେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ

ମେ’ ୩୦ରେ ପ୍ରାୟ ୧୫ ବର୍ଷ ପୁରୁଣା ଏକ ଡବଲ୍ ମର୍ଡର ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।

୨୦୧୯ର ହତ୍ୟା ମାମଲାରେ ମହିଳା ଓ ତାଙ୍କ ୩ ପୁଅଙ୍କୁ ମୃତ୍ୟୁଦଣ୍ଡ

ଏପ୍ରିଲ୍ ୨୮ରେ ଜଜ୍ ଦିବାକର ୨୦୧୯ର ଏକ ହତ୍ୟା ମାମଲାରେ ଜଣେ ମହିଳା ଓ ତାଙ୍କ ୩ ପୁଅଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।

୨୦୧୯ର ଅନ୍ୟ ଏକ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ

ଏପ୍ରିଲ୍ ୬ରେ ମୁଜାଫରନଗର ଫାଷ୍ଟ-ଟ୍ରାକ୍ କୋର୍ଟ ୨୦୧୯ର ଜଣେ ଆଇନଜୀବୀଙ୍କ ଅପହରଣ ଓ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।
ଅଭିଯୋଗ ଅନୁସାରେ, ୨୦୧୯ ଅକ୍ଟୋବର ୧୫ରେ ୪୫ ଲକ୍ଷ ଟଙ୍କାର ଆର୍ଥିକ ବିବାଦକୁ କେନ୍ଦ୍ର କରି ଆଇନଜୀବୀ ମହମ୍ମଦ ସମୀରଙ୍କୁ ଅପହରଣ କରାଯାଇଥିଲା। ପରେ ତାଙ୍କୁ ହତ୍ୟା କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।