27 Years After Odisha’s Super Cyclone: ୨୭ ବର୍ଷ ପରେ ବି ଛାତି ଥରୁଛି, ମନରୁ ଲିଭିନି ୯୯ ମହାବାତ୍ୟାର କାଳରାତି

Oct 29, 2026 - 20:50
27 Years After Odisha’s Super Cyclone: ୨୭ ବର୍ଷ ପରେ ବି ଛାତି ଥରୁଛି, ମନରୁ ଲିଭିନି ୯୯ ମହାବାତ୍ୟାର କାଳରାତି

ବାତ୍ୟା ନାଁ ଶୁଣିଲେ ଜୀବନକୁ ଭରସା ଆସୁନାହିଁ।

ଆଖିରେ ନିଦ ହେଉନାହିଁ।

ମନେ ପଡୁଛି ସେହି ପ୍ରଳୟର ପଦଧ୍ୱନୀ।

୧୯୯୯ ଅକ୍ଟୋବର ୨୯।

ମହାବାତ୍ୟାର ପ୍ରକୋପରେ ଉପକୂଳ ଅଞ୍ଚଳରେ ମାଡ଼ିଆସିଥିଲା ମୃତ୍ୟୁର ଜୁଆର।

ଭାଙ୍ଗିଯାଇଥିବା ମନ୍ଦିର ହେଉଛି ଏକ ନିଶ୍ଚିହ୍ନ ହୋଇଯାଇଥିବା ଗାଁର ମୂକସାକ୍ଷୀ।

ଭଙ୍ଗା ଇଟା କାନ୍ଥ, ପରିତ୍ୟକ୍ତ ଦେବୀପୀଠ ଆଉ ଚାରଣଭୂମି ପାଲଟିଥିବା ଭିଟାମାଟି ଆଜି ବି ମନେ ପକାଇଦିଏ ୯୯ ମହାବାତ୍ୟାର ସେହି ଭୟଙ୍କର ରାତିକୁ।

ପୁରୀ ଜିଲ୍ଲା କୋଣାର୍କର ଉଦୟକଣି ଓ ଛେନୁ ଗାଁରେ ପ୍ରବଳ ପବନ ଓ ସାମୁଦ୍ରିକ ଜୁଆରରେ ମାଟିରେ ମିଶିଯାଇଥିଲା ଅନେକ ଘର।

ଜୀବନ ବଞ୍ଚାଇବାକୁ କିଏ ପିଲାଛୁଆଙ୍କୁ ଧରି ଗାଁ ଛାଡ଼ିଥିଲେ, ତ ଆଉ କିଏ ହରାଇଥିଲେ ନିଜର ଆତ୍ମୀୟସ୍ୱଜନ।

ଗ୍ରାମଦେବତୀ ମା' ବାଟୁଳେଇଙ୍କ ପରିତ୍ୟକ୍ତ ମନ୍ଦିର ସେହି ବିଭୀଷିକାର ମୂକସାକ୍ଷୀ।

ସମୟ ଗଡ଼ିଛି।

ପିଢ଼ି ବଦଳିଛି।

ହେଲେ ବାତ୍ୟାର ନାଁ ଶୁଣିଲେ ଆଜି ବି ଛାତି ଥରିଉଠେ।

ଅସ୍ତରଙ୍ଗ ଅଞ୍ଚଳରେ ବି ତାଣ୍ଡବ ରଚିଥିଲା ସୁପର ସାଇକ୍ଲୋନ।

ଘରଦ୍ୱାର ନଷ୍ଟ ହେବା ସହ ଅନେକ ଲୋକ ଜୀବନ ହରାଇଥିଲେ।

୨୭ ବର୍ଷ ପରେ ବି ସେହି ଅଲିଭା ସ୍ମୃତିକୁ ମନେ ପକାଉଛନ୍ତି ମୃତକଙ୍କ ପରିବାରବର୍ଗ।

Advertisment ମହାବାତ୍ୟାର କ୍ଷତ ଏସବୁ ଗାଁରେ ସୀମିତ ନଥିଲା।

ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ବି ରଚିଥିଲା ମୃତ୍ୟୁର ବିଭୀଷିକା।

ଘରଦ୍ୱାର ଉଜୁଡ଼ିଥିଲା, ଜୀବନଜୀବିକା ଛାରଖାର ହୋଇଥିଲା।

ଅନେକ ପରିବାରଙ୍କ ମନରୁ ଆଜି ବି ଲିଭିନି ସେହି ଦୁଃସ୍ମୃତି।

ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା ଓ ଆମ୍ବିକି ଭଳି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଆଜି ବି ଚିନ୍ତାର କାରଣ ପାଲଟିଛି ସାମୁଦ୍ରିକ ଜୁଆର।

ବାତ୍ୟା ଆସିବାର ସୂଚନା ମିଳିଲେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାର ଚିନ୍ତା ଘାରୁଛି ଲୋକଙ୍କୁ।

କେତେକ ପରିବାରଙ୍କ ପାଇଁ ଏବେ ବି ମଜଭୁତ ଘର ଓ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି।

ସମୁଦ୍ରକୂଳରେ ଦୃଢ଼ ପ୍ରତିରୋଧ ବ୍ୟବସ୍ଥା ଓ ପଥରବନ୍ଧ ନିର୍ମାଣ ପାଇଁ ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା।

ପାରାଦୀପର ସେହି ଅଞ୍ଚଳ, ଯେଉଁଠି ୯୯ ମହାବାତ୍ୟାରେ ସମୁଦ୍ରର କରାଳ ରୂପ ଛଡ଼ାଇଥିଲା ମୃତ୍ୟୁର ବିଭୀଷିକା।

ଉଚ୍ଚ ଜୁଆର ଓ ପ୍ରବଳ ପବନରେ ଜଳମଗ୍ନ ହୋଇଥିଲା ଜନବସତି।

ଷଣ୍ଢକୁଦ ବସ୍ତି, ସମୁଦ୍ରକୂଳ, ମଧୁବନ କ୍ରିକ୍ ଆଜି ସେହି ଦିନର ସ୍ମୃତି ମନେ ପକାଉଛି।

ପାରାଦୀପର ଶଙ୍କର୍ଷଣ ମିଶ୍ରଙ୍କ ଭଳି ଅନେକଙ୍କ ଆଖି ସାମ୍ନାରେ ଭାସି ଯାଇଥିଲେ ପରିବାର ଲୋକ।

ପାରାଦୀପରେ ନିର୍ମିତ ମହାବାତ୍ୟା ସ୍ମୃତିସ୍ତମ୍ଭ ସେହି ଭୟାବହ ଅତିତର ନିରବ ସାକ୍ଷୀ।

ପରବର୍ତ୍ତୀ ସମୟରେ ଫାଇଲିନ୍, ହୁଡହୁଡ୍, ତିତିଲି, ଫନି, ଅମ୍ଫାନ୍ ଓ ଦାନା ଭଳି ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା।

ବାତ୍ୟା ମୁକାବିଲାରେ ରାଜ୍ୟ ଅନେକ ଆଗକୁ ବଢ଼ିଥିଲେ ମଧ୍ୟ, ଉପକୂଳବାସୀଙ୍କ ମନରୁ ମହାବାତ୍ୟାର ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।