3 Indian Relatives, On Way To US, 'Vanish': ଆମେରିକାରେ ପହଞ୍ଚିବା ପୂର୍ବରୁ ଅନ୍ତର୍ଦ୍ଧାନ, ଅପହରଣ ନା ଆଉ କିଛି? ଘନେଇଲା ରହସ୍ୟ

Sep 30, 2026 - 13:08
3 Indian Relatives, On Way To US, 'Vanish': ଆମେରିକାରେ ପହଞ୍ଚିବା ପୂର୍ବରୁ ଅନ୍ତର୍ଦ୍ଧାନ, ଅପହରଣ ନା ଆଉ କିଛି? ଘନେଇଲା ରହସ୍ୟ

ଆମେରିକା ଯିବା ଆଶାରେ ଘରୁ ବାହାରିଥିବା ଗୁଜରାଟର ମେହସାଣା ଜିଲ୍ଲାର ୩ ଜଣ ରହସ୍ୟଜନକ ଭାବେ ନିଖୋଜ ହୋଇଯିବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି। ନିଖୋଜଙ୍କ ମଧ୍ୟରେ ୩୦ ବର୍ଷୀୟ ମମତା ଚାଭଡ଼ା, ତାଙ୍କ ୨୩ ବର୍ଷୀୟ ସମ୍ପର୍କୀୟ ଋତ୍ୱିକ ଜାନସାରୀ ଏବଂ ୨୭ ବର୍ଷୀୟ ସମ୍ପର୍କୀୟ ମୟୂରୀ ସୋଲଙ୍କି ଅଛନ୍ତି। ଘଟଣାରେ ମାନବ ଚାଲାଣ ଓ ଅପହରଣର ସନ୍ଦେହ ଉଠିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ମମତାଙ୍କ ସ୍ୱାମୀ ଗତ ପ୍ରାୟ ୩ ବର୍ଷ ଧରି ଛାତ୍ର ଭିସାରେ ଆମେରିକାରେ ରହୁଛନ୍ତି। ମମତା ଆମେରିକା ଯିବା ପାଇଁ ଲଗାତାର ୬ ଥର ଭିସା ଆବେଦନ କରିଥିଲେ ମଧ୍ୟ ତାହା ମଞ୍ଜୁର ହୋଇନଥିଲା। ଏହାପରେ ପରିବାର ପକ୍ଷରୁ ଜଣେ ସ୍ଥାନୀୟ ଏଜେଣ୍ଟ ଆଲ୍ପେଶ ପଞ୍ଚାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ଆମେରିକା ପହଞ୍ଚାଇଦେବା ପାଇଁ ସେ ଅନୌପଚାରିକ ରାସ୍ତା ବତାଇଥିଲେ। କିନ୍ତୁ ପରେ ପଞ୍ଚାଲ ଭଦୋଦରାର ଏଜେଣ୍ଟ ଭାର୍ଗବ ପଟେଲଙ୍କ ସହ ଭେଟ କରାଇଥିଲେ। ଏଥିପାଇଁ ସେ ତିନି ଜଣଙ୍କୁ ଆମେରିକାରେ ପହଞ୍ଚାଇବା ପାଇଁ ଜଣକା ପିଛା ୭୫ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ସେମାନେ ଅଗ୍ରୀମ ଭାବେ ଜଣକା ୭୦ ଲକ୍ଷ ଟଙ୍କା ଦେଇଥିଲେ।

ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିଲା ଯାତ୍ରା। ସେପ୍ଟେମ୍ବର ୨୦ରେ ତିନିଜଣଙ୍କୁ ଗୋଜାରିଆରୁ ରାଜସ୍ଥାନର ଜୟପୁର ନିଆଯାଇଥିଲା। ସେଠାରୁ ଏତିହାଦ୍ ଏୟାରୱେଜ୍ ବିମାନରେ ସେମାନେ ଆବୁଧାବି ଯାଇଥିଲେ। ପରେ ସେମାନଙ୍କୁ ଇଥିଓପିଆର ଆଡିସ୍ ଆବାବାକୁ ନିଆଯାଇଥିବା ଜଣାପଡ଼ିଛି। ସେଠାରେ ସ୍ୱାଜିଲାଣ୍ଡ ଷ୍ଟ୍ରିଟ୍‌ରେ ଥିବା ‘ଜିଏସଏଫ କ୍ୟାମ୍ପ’ ନାମକ ଏକ ସ୍ଥାନରେ ଏକ ମାସିଆ ଇ-ଭିସାରେ ସେମାନେ ରହୁଥିବା ପରିବାରକୁ କୁହାଯାଇଥିଲା।

ସେପ୍ଟେମ୍ବର ୨୨ରେ ମମତା ତାଙ୍କ ପରିବାରକୁ ଫୋନ୍ କରିଥିଲେ। ସେ ନିଜେ କାନାଡାରେ ପହଞ୍ଚିଥିବା କହିଥିଲେ। କିନ୍ତୁ ଏହି ଫୋନ୍ କଲ୍‌ ପରେ ହଠାତ୍ ତିନିଜଣଙ୍କ ମୋବାଇଲ୍ ଫୋନ୍ ସ୍ୱିଚ ଅଫ ହୋଇଯାଇଥିଲା। ଏହାପରେ ପରିବାର ସେମାନଙ୍କ ସହ ଆଉ ଯୋଗାଯୋଗ କରିପାରିନଥିଲେ।

ତିନି ଦିନ ପରେ ପରିବାରକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ନିଜକୁ ‘ଖାନ୍’ ବୋଲି ପରିଚୟ ଦେଇଥିବା ବ୍ୟକ୍ତି ତିନିଜଣଙ୍କୁ ଅପହରଣ କରାଯାଇଥିବା ଦାବି କରିବା ସହ ସେମାନଙ୍କ ମୁକ୍ତି ପାଇଁ ୧ କୋଟି ଟଙ୍କା ଦାବି କରିଥିଲେ।

ଏପଟେ, ଏଜେଣ୍ଟ ଆଲ୍ପେଶ ପଞ୍ଚାଲ ଦାବି କରିଛନ୍ତି ଯେ ତିନିଜଣ ପ୍ରକୃତରେ କାନାଡାରେ ପହଞ୍ଚିନାହାନ୍ତି। ସେମାନଙ୍କୁ ଇଥିଓପିଆରେ ହିଁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କ ଅନ୍ତର୍ଜାତୀୟ ଯୋଗାଯୋଗରେ ଥିବା ଜଣେ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି। ଅପହରଣକାରୀଙ୍କୁ ସେ ପୂର୍ବରୁ ୬୦ ଲକ୍ଷ ଟଙ୍କା ଦେଇସାରିଥିବା ଏବଂ ଏବେ ଅଧିକ ୧ କୋଟି ଟଙ୍କା ଦାବି କରାଯାଉଥିବା ସେ କହିଛନ୍ତି।

ଏହି ଘଟଣା ପରେ ମମତାଙ୍କ ବାପା କିରିଟଭାଇ ଚୌହାନ ସରକାରଙ୍କୁ ହସ୍ତକ୍ଷେପ କରି ତାଙ୍କ ଝିଅ ଓ ଅନ୍ୟ ଦୁଇ ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅପିଲ୍ କରିଛନ୍ତି। ଏହା ମଧ୍ୟରେ ଲାଙ୍ଘଣଜ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।