3 Indians Killed In Germany Fire: ବିଲ୍ଡିଂରେ ଭୟାଙ୍କର ଅଗ୍ନିକାଣ୍ଡ: ୩ ଭାରତୀୟ ମୃତ, ହତ୍ୟା ସନ୍ଦେହରେ ଜଣେ ଗିରଫ
ଜର୍ମାନୀର ବୋଖୁମ୍ ସହରର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକମାନେ ସମସ୍ତେ କେରଳର ବାସିନ୍ଦା। ସେମାନଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି। ଏହି ଘଟଣାରେ ଆଉ ୫ ଜଣ ଆହତ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ଜଣେ ମାଲାୟଲୀ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପଛରେ ଜାଣିଶୁଣି ନିଆଁ ଲଗାଯାଇଥିବା ସନ୍ଦେହ କରୁଛି ପୁଲିସ। ଏହି ମାମଲାରେ ହତ୍ୟା ସନ୍ଦେହରେ ଜଣେ ୪୧ ବର୍ଷୀୟ ରୋମାନିଆ ନାଗରିକଙ୍କୁ ଗିରଫ କରାଯାଇଛି।
ମୃତକମାନେ ହେଉଛନ୍ତି କେରଳର ଇଡୁକ୍କି ଜିଲ୍ଲା କଟ୍ଟାପ୍ପନାର ନୋଭା ସାବୁ (୨୫), କୋଲ୍ଲମ ଜିଲ୍ଲାର ଅଞ୍ଜଳି ଶୀଲା ଜୟ (୨୫) ଏବଂ ଏର୍ଣ୍ଣାକୁଲମ ଜିଲ୍ଲା କାଲାଡିର ସିଭିନ୍ ଜନି (୨୬)। ଜର୍ମାନୀର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଗ୍ନିକାଣ୍ଡର କାରଣ ଓ ଘଟଣାର ପରିସ୍ଥିତିକୁ ନେଇ ତଦନ୍ତ ଚାଲିଛି।
ସୂଚନା ଅନୁସାରେ, ବୋଖୁମ୍ର ହୋଫଷ୍ଟେଡ୍ ଅଞ୍ଚଳର ପୋଷ୍ଟଷ୍ଟ୍ରାସେ ରାସ୍ତାରେ ଥିବା ଏକ ବହୁତଳ ଆବାସିକ କୋଠାରେ ସ୍ଥାନୀୟ ସମୟ ଭୋର ପ୍ରାୟ ୪ଟା ୧୫ ମିନିଟ୍ରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଦ୍ୱିତୀୟ ମହଲାର ଏକ ଫ୍ଲାଟ୍ରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଅନ୍ୟପଟେ ଜାଣିଶୁଣି ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି। ପୁଲିସର ଅନୁମାନ ଅନୁଯାୟୀ, କୋଠାର ତଳ ମହଲାରେ ନିଆଁ ଲଗାଯାଇଥାଇପାରେ। ପରେ କାଠରେ ତିଆରି ପାହାଚ ଦେଇ ନିଆଁ ଉପର ମହଲାକୁ ବ୍ୟାପିଥିଲା। ଏହି ପାହାଚଟି କୋଠାରୁ ବାହାରିବା ପାଇଁ ମୁଖ୍ୟ ରାସ୍ତା ଥିବାରୁ ଏବଂ କରିଡର୍ରେ ଘନ ଧୂଆଁ ଭରିଯିବାରୁ ଲୋକଙ୍କ ପାଇଁ ବାହାରିବା କଷ୍ଟକର ହୋଇପଡ଼ିଥିଲା।
ଘଟଣାର ଗୋଟିଏ ଦିନ ପୂର୍ବରୁ କୋଠାରେ ରହୁଥିବା କିଛି ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପଡ଼ୋଶୀମାନେ ପୁଲିସକୁ କହିଥିବା ସୂଚନା ମିଳିଛି। ତେବେ ଏହି ଝଗଡ଼ାର ଅଗ୍ନିକାଣ୍ଡ ସହ କୌଣସି ସମ୍ପର୍କ ଅଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
କିଏ ଥିଲେ ମୃତ ଭାରତୀୟ?
୧. ନୋଭା ସାବୁ: ୨୫ ବର୍ଷୀୟ ନୋଭା କେରଳର ଇଡୁକ୍କି ଜିଲ୍ଲା କଟ୍ଟାପ୍ପନାର ବାସିନ୍ଦା। ତାଙ୍କ ବାପା କେ.ପି. ସାବୁ ଜଣେ ଅବସରପ୍ରାପ୍ତ ସବ୍-ଇନ୍ସପେକ୍ଟର ଏବଂ ମା’ ପି.ଏନ୍. ଜ୍ୟୋତି ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନସ୍ୱାସ୍ଥ୍ୟ ନର୍ସ ଭାବେ କାମ କରନ୍ତି। ନୋଭା ଜୁଲାଇ ୩ ତାରିଖରେ ଜର୍ମାନୀ ଯାଇଥିଲେ। ସେଠାରେ ସେ କିଛି ସମୟ ପାଇଁ ଜଣେ ଜିମ୍ ଟ୍ରେନର୍ ଭାବେ କାମ କରୁଥିଲେ।
୨. ସିଭିନ୍ ଜନି: ୨୬ ବର୍ଷୀୟ ସିଭିନ୍ ଉଚ୍ଚଶିକ୍ଷା ପାଇଁ ମାତ୍ର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଜର୍ମାନୀରେ ପହଞ୍ଚିଥିଲେ। ତାଙ୍କ ଭାଇ ସାଲଭିନ୍ ଜର୍ମାନୀରେ ରହୁଥିବା ବେଳେ ଭଉଣୀ ସିମି ଆୟର୍ଲାଣ୍ଡରେ ରହୁଛନ୍ତି। ବିଦେଶରେ ଉଚ୍ଚଶିକ୍ଷା ହାସଲ କରିବାର ସ୍ୱପ୍ନ ନେଇ ଯାଇଥିବା ସିଭିନ୍ଙ୍କ ଅକାଳ ମୃତ୍ୟୁ ଯୋଗୁଁ ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି।
୩. ଅଞ୍ଜଳି ଶୀଲା ଜୟ: ୨୫ ବର୍ଷୀୟ ଅଞ୍ଜଳିଙ୍କର ବି.ଏଡ୍. ଡିଗ୍ରୀ ଥିଲା। ଚାକିରି ଅନ୍ୱେଷଣରେ ସେ ଜୁଲାଇ ମାସରେ ଜର୍ମାନୀ ଯାଇଥିଲେ ଏବଂ ସେଠାରେ ଏକ ଗୋଦାମରେ କାମ କରୁଥିଲେ। କେରଳରେ ସରକାରୀ ଚାକିରି କରିବା ତାଙ୍କର ସ୍ୱପ୍ନ ଥିଲା ବୋଲି ପରିବାରର ଜଣେ ସମ୍ପର୍କୀୟ କହିଛନ୍ତି।
ତିନି ଭାରତୀୟଙ୍କ ମୃତଦେହକୁ ଶୀଘ୍ର କେରଳ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କୋଲ୍ଲମର ସାଂସଦ ଏନ୍.କେ. ପ୍ରେମଚନ୍ଦ୍ରନ୍ ଜର୍ମାନୀରେ ଭାରତର ରାଷ୍ଟ୍ରଦୂତ ଅଜିତ ଗୁପ୍ତେଙ୍କୁ ଏନେଇ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। କେରଳ ସରକାରଙ୍କ ପକ୍ଷରୁ ମଧ୍ୟ ମୃତଦେହ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ପି.ସି. ବିଷ୍ଣୁନାଥ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।