37 Killed by Toxic Fumes: ଭୟାବହ ଅଘଟଣ; ବିଷାକ୍ତ ଗ୍ୟାସ୍ରେ ଅତି କମ୍ରେ ୩୭ ମୃତ
ନାଇଜେରିଆର ରିଭର୍ସ ଷ୍ଟେଟ୍ରେ ଏକ ବେଆଇନ ତୈଳ ଉତ୍ତୋଳନ ସ୍ଥଳରୁ ଅଶୋଧିତ ତୈଳ ଚୋରି କରୁଥିବା ବେଳେ ବିଷାକ୍ତ ଧୂଆଁ ନିଶ୍ୱାସରେ ଯିବାରୁ ଅତି କମ୍ରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି।
ଓକ୍ରିକା ଲୋକାଲ୍ ଗଭର୍ଣ୍ଣମେଣ୍ଟ ଏରିଆର ଓକାରି ଜେଟିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ମୃତକମାନେ ଅଶୋଧିତ ତୈଳଜାତ ଦ୍ରବ୍ୟକୁ ଡଙ୍ଗାରେ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ସମୟରେ ଅତ୍ୟଧିକ ଚାପରେ ବାହାରିଥିବା ବିଷାକ୍ତ ଧୂଆଁର ସଂସ୍ପର୍ଶରେ ଆସିଥିଲେ।
ନାଇଜେରିଆ ପୁଲିସ ଶୁକ୍ରବାର ଏହି ଘଟଣାକୁ ନିଶ୍ଚିତ କରିଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି।
ରିଭର୍ସ ଷ୍ଟେଟ୍ ପୁଲିସର ମୁଖପାତ୍ର ବ୍ଲେସିଂ ଆଗାବେ କହିଛନ୍ତି, “ରିଭର୍ସ ଷ୍ଟେଟ୍ ପୁଲିସ କମାଣ୍ଡ ମୃତ୍ୟୁ ଘଟଣାକୁ ନିଶ୍ଚିତ କରିପାରୁଛି। ମୃତକମାନେ ଅଭିଯୋଗ ଅନୁଯାୟୀ ଅଶୋଧିତ ତୈଳ ଚୋରି କରିବାକୁ ଚେଷ୍ଟା କରୁଥିଲେ।”
ୟୁଥ୍ସ ଆଣ୍ଡ ଏନଭାୟରନମେଣ୍ଟାଲ୍ ଆଡଭୋକେସି ସେଣ୍ଟର କହିଛି ଯେ, ଏକ ସ୍ୱେଚ୍ଛାସେବୀ ନେଟୱର୍କର ସୂଚନା ଅନୁସାରେ ମୃତକମାନେ ଏକ “ବେଆଇନ ତୈଳ ଉତ୍ତୋଳନ ସ୍ଥଳ”ରୁ ଏକାସାଙ୍ଗରେ ଅଶୋଧିତ ତୈଳଜାତ ଦ୍ରବ୍ୟ ଚୋରି କରୁଥିଲେ। ଏହି ଘଟଣାରେ ଆହୁରି ଅନେକ ଲୋକ ନିଖୋଜ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।
ନାଇଜେରିଆର ନାଇଜର ଡେଲ୍ଟା ଅଞ୍ଚଳରେ ତୈଳ ଚୋରି ଏକ ସାଧାରଣ ଘଟଣା। ଏହା ଆଫ୍ରିକାର ସବୁଠାରୁ ବଡ଼ ତୈଳ ଉତ୍ପାଦନକାରୀ ଅଞ୍ଚଳ। ଦଶନ୍ଧି ଧରି ଚାଲିଥିବା ତୈଳ ଅନୁସନ୍ଧାନ ଓ ଉତ୍ତୋଳନ ଯୋଗୁଁ ଏହି ଅଞ୍ଚଳରେ ବ୍ୟାପକ ଦାରିଦ୍ର୍ୟ ଓ ପରିବେଶ ପ୍ରଦୂଷଣ ସୃଷ୍ଟି ହୋଇଥିବା କୁହାଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।