5-Minute Breakfast Hack: ବ୍ରେକଫାଷ୍ଟରେ ପରଟା-ପୋହା ଛାଡନ୍ତୁ, ଖାଆନ୍ତୁ ୫ ମିନିଟ୍‌ରେ ପ୍ରସ୍ତୁତ ମୁଗ ଚାଟ... ରୁହନ୍ତୁ ହେଲ୍‌ଦି

Jul 11, 2026 - 14:58
5-Minute Breakfast Hack: ବ୍ରେକଫାଷ୍ଟରେ ପରଟା-ପୋହା ଛାଡନ୍ତୁ, ଖାଆନ୍ତୁ ୫ ମିନିଟ୍‌ରେ ପ୍ରସ୍ତୁତ ମୁଗ ଚାଟ... ରୁହନ୍ତୁ ହେଲ୍‌ଦି

ସକାଳର ଜଳଖିଆ ଆମର ସାରା ଦିନର ଖାଦ୍ୟ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଦିନସାରା କାମ କରିବା ପାଇଁ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ ପ୍ରତିଦିନ ପୋହା, ଉପମା କିମ୍ବା ପରାଠା ଖାଇ ବୋରିଂ ଲାଗିବା ସ୍ୱାଭାବିକ। ଯଦି ଆପଣ ମଧ୍ୟ ଏହି ରୁଟିନ୍‌ରୁ କିଛି ଅଲଗା ଚାହୁଁଛନ୍ତି ଏବଂ ଏମିତି ଏକ ଖାଦ୍ୟ ଖୋଜୁଛନ୍ତି, ଯାହା ଖୁବ କମ୍ ସମୟରେ ପ୍ରସ୍ତୁତ ହୋଇଯିବ, ଖାଇବାକୁ ଚଟ୍‌ପଟା ଲାଗିବ ଏବଂ ପେଟକୁ ଭାରୀ ମଧ୍ୟ କରିବ ନାହିଁ, ତେବେ ମୁଗ ଡାଲି ଚାଟ୍ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ।

ଭିଟାମିନ୍, ମିନେରାଲ ଏବଂ ପ୍ରୋଟିନ୍‌ରେ ଭରପୂର ସିଝା ମୁଗ କିମ୍ବା ଗଜା ମୁଗରେ ପ୍ରସ୍ତୁତ ଏହି ଚାଟ୍ ଆପଣଙ୍କୁ ସାରା ଦିନ ସକ୍ରିୟ ରଖିବାରେ ସାହାଯ୍ୟ କରେ। ଏହାର ସ୍ୱାଦ ଓ ଚଟ୍‌ପଟା ଫ୍ଲେଭର୍ ସବୁ ବୟସର ଲୋକଙ୍କୁ ବହୁତ ପସନ୍ଦ ଆସିବ। ଆସନ୍ତୁ ଜାଣିବା, ଏହାକୁ ପ୍ରସ୍ତୁତ କରିବାର ସବୁଠୁ ସହଜ ଉପାୟ।

ମୁଗ ଡାଲି ଚାଟ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ:

•    ୧ କପ୍ ସିଝା ମୁଗ ବା ଗଜା ମୁଗ (ନିଜ ପସନ୍ଦ ଅନୁଯାୟୀ ଯେକୌଣସି ଗୋଟିଏ ବ୍ୟବହାର କରିପାରିବେ)
•    କଟା ପିଆଜ
•    ଟମାଟୋ
•    କାକୁଡ଼ି
•    କଞ୍ଚା ଲଙ୍କା
•    ଅଧା ଚାମଚ ଜିରା ଗୁଣ୍ଡ
•    ଅଧା ଚାମଚ ଚାଟ୍ ମସଲା
•    ସ୍ୱାଦ ଅନୁସାରେ କଳା ଲୁଣ
•    ଲେମ୍ବୁ ରସ
•    ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ସିଝା କିମ୍ବା ଗଜା ମୁଗ ନିଅନ୍ତୁ। ଏଥିରେ କଟା ପିଆଜ, ଟମାଟୋ, କାକୁଡ଼ି ଏବଂ କଞ୍ଚା ଲଙ୍କା ପକାଇ ଭଲଭାବେ ମିଶାନ୍ତୁ।
ଏହାପରେ ସ୍ୱାଦ ଅନୁସାରେ କଳା ଲୁଣ, ଜିରା ଗୁଣ୍ଡ ଓ ଚାଟ୍ ମସଲା ପକାନ୍ତୁ। ଶେଷରେ ତାଜା ଲେମ୍ବୁ ରସ ଏବଂ କଟା ଧନିଆ ପତ୍ର ଦେଇ ସବୁକୁ ହାଲୁକା ଭାବେ ମିଶାନ୍ତୁ । ୫ ମିନିଟ୍‌ରେ ପ୍ରସ୍ତୁତ ହୋଇଯିବ ଚଟ୍‌ପଟା ମୁଗ ଚାଟ୍। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।