50 lakh diamond: ମାଟି ତଳୁ ମିଳିଲା ୧୭.୯୬ କ୍ୟାରେଟ୍‌ ହୀରା, ଦିନ ମଜୁରିଆ ହେଲେ ଲକ୍ଷପତି!

Aug 16, 2026 - 13:46
50 lakh diamond: ମାଟି ତଳୁ ମିଳିଲା ୧୭.୯୬ କ୍ୟାରେଟ୍‌ ହୀରା, ଦିନ ମଜୁରିଆ ହେଲେ ଲକ୍ଷପତି!

ମାଟିତଳୁ ଏମିତି ଏକ ହୀରା ମିଳିଛି ଯାହା ୭ ଜଣ ଦିନ ମଜୁରିଆଙ୍କୁ ମାଲାମାଲ୍ କରିଦେଇଛି। ମଧ୍ୟପ୍ରଦେଶର ପନ୍ନାର ଏହି ଘଟଣା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ପନ୍ନା ଜିଲ୍ଲାର ସରକୋହା ଗାଁରେ ଅଖିଳେଶ ପାଲଙ୍କ ସମେତ ୭ ଜଣ ଶ୍ରମିକ ପ୍ରାୟ ଦୁଇ ବର୍ଷ ତଳେ ଏକ ଛୋଟ ହୀରା ଖଣି ଲିଜ୍‌ରେ ନେଇଥିଲେ। ମାସ ମାସ ଧରି ଖୋଜିଲେ ବି କିଛି ମିଳିଲା ନାହିଁ। ଶେଷରେ ଖଣିକୁ ପ୍ରାୟ ଏକ ବର୍ଷ ପାଇଁ ଛାଡ଼ି ଦେଇ ଅନ୍ୟ ଖଣିରେ କାମ ଆରମ୍ଭ କରିଥିଲେ।

ହେଲେ ପ୍ରବଳ ବର୍ଷା ପରେ ପୁରୁଣା ଖଣିଟିକୁ ଦେଖିବାକୁ ଯାଇଥିଲେ। ଆଉ ସେଠାରେ ଯାହା ଦେଖିଲେ, ତାହା ତାଙ୍କ ଭାଗ୍ୟ ବଦଳାଇଦେଲା। ଖଣିର ଉପରିଭାଗ ନିକଟରେ ପଡ଼ିଥିଲା ଏକ ଚମକୁଥିବା ପଥର। ଯାଞ୍ଚ ପରେ ଜଣାପଡ଼ିଲା, ଏହା ୧୭.୯୬ କ୍ୟାରେଟ୍‌ର ଜେମ୍ କ୍ୱାଲିଟି ହୀରା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା।

ଏବେ ଏହି ହୀରାକୁ ସରକାରୀ ନିଲାମରେ ବିକ୍ରି କରାଯିବ। ନିଲାମ ଟଙ୍କାରୁ ସରକାର ୧୨ ପ୍ରତିଶତ ରୟାଲ୍ଟି ନେବେ ଏବଂ ବାକି ଟଙ୍କା ୭ ଜଣ ମଜୁରଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ। ଅର୍ଥାତ୍, ଯେଉଁ ଖଣିକୁ ଭାଗ୍ୟହୀନ ଭାବି ଛାଡ଼ି ଦେଇଥିଲେ, ସେଇ ଖଣି ହିଁ ଏବେ ସାତ ମଜୁରଙ୍କ ପାଇଁ ଆଣିଛି ଭାଗ୍ୟର ଚମକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।