54 Jewellery Shops Sealed: ଏମସିଡିର ବଡ଼ ଆକ୍ସନ, ୫୪ ଗହଣା ଦୋକାନ ସିଲ୍

Sep 11, 2026 - 13:44
54 Jewellery Shops Sealed: ଏମସିଡିର ବଡ଼ ଆକ୍ସନ, ୫୪ ଗହଣା ଦୋକାନ ସିଲ୍

ରାଜଧାନୀ ଦିଲ୍ଲୀରେ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ପରେ ସଜାଗ ହୋଇଛି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ। ବିଭିନ୍ନ ସ୍ଥାନରେ ଥିବା ବିପଦପୂର୍ଣ୍ଣ ଏବଂ ଅନଧିକୃତ ଭାବେ ନିର୍ମିତ ହୋଇଥିବା କୋଠାକୁ ଯାଞ୍ଚ କରାଯାଉଛି। ଏହା ମଧ୍ୟରେ ଦିଲ୍ଲୀର ଚାନ୍ଦିନୀ ଚୌକରେ ଥିବା ୫୪ଟି ଗହଣା ଦୋକାନକୁ ସିଲ୍ କଲାଣି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବା ଏମସିଡି। 

ଦୋକାନ ଗଢି ଉଠିଥିବା ବିଲ୍ଡିଂର ବେସମେଣ୍ଟ ସୁରକ୍ଷିତ ନଥିବାରୁ ଏହି ଆକ୍ସନ ନେଇଛି ସିଏମଡି। ତେବେ ଦୋକାନ ସିଲ ହେବା ଦ୍ୱାରା ଭିତରେ ସୁନା ଅଳଙ୍କାର ସହ ଟଙ୍କା ବି ରହିଛି। ଯାହା ଫଳରେ ମାଲିକଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ସିଲ୍ ହୋଇଥିବା ଦୋକାନରୁ ଏହି ସାମଗ୍ରୀ ବାହାର କରିବା ନେଇ ବ୍ୟବସାୟୀମାନେ ଚିନ୍ତାରେ ଅଛନ୍ତି।

ଅଲ୍ ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍‌ର ସଭାପତି ଯୋଗେଶ ସିଂଘଲ କହିଛନ୍ତି ଯେ, ଗୁରୁବାର ସକାଳ ପ୍ରାୟ ୧୧.୩୦ ସମୟରେ କୁଚା ମହାଜନୀରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କେତେକ ଦୋକାନୀ କହିଛନ୍ତି ଯେ, ବିନା ନୋଟିସ୍‌ରେ ଦୋକାନଗୁଡିକୁ ସିଲ୍ କରାଯାଇଛି। ଏପରିକି କିଛି ଦୋକାନୀ ଘଟଣାସ୍ଥଳକୁ ଆସିବା ପରେ ହିଁ ଜାଣିଥିଲେ ଯେ, ଦୋକାନ ଗୁଡିକୁ ବନ୍ଦ କରିଦିଆଯାଇଛି। ଦୋକାନଗୁଡିକରେ ଲାଗିଥିବା ନୋଟିସ୍‌ରେ ୨୦୨୬ ମେ ୧୨ ବୋଲି ଉଲ୍ଲେଖ ଅଛି, ଯାହା ବହୁ ପୁରୁଣା।

ଅଲ୍ ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍‌ କହିଛି ଯେ, ସତ୍ୟ ନିକେତନ ଟ୍ରାଜେଡି ପରେ କେବଳ ଆମମାନଙ୍କୁ ହିଁ କାହିଁକି ଏହାର କ୍ଷତି ଭୋଗିବାକୁ ପଡ଼ିବ। ସରକାର ଓ ରାଜନେତାଙ୍କ ବିରୋଧରେ ମଧ୍ୟ ଆକ୍ସନ ନିଆଯାଉ।

ଅନ୍ୟପଟେ ଏମସିଡି କହିଛି ଯେ, ଏହି ଦୋକାନଗୁଡ଼ିକର ବେସମେଣ୍ଟରେ ଅନୁମତି ନଥିବା ବାଣିଜ୍ୟିକ କାର୍ଯ୍ୟକଳାପ ଚାଲୁଥିଲା। ଏହା ୟୁନିଫାଏଡ ବିଲ୍ଡିଂ ବାଏ ଲଜ୍ (ୟୁବିବିଏଲ) ୨୦୧୬ ଏବଂ ମାଷ୍ଟର ପ୍ଲାନ ଫର ଦିଲ୍ଲୀ (ଏମପିଡି) – ୨୦୨୧ର ନିୟମ ଉଲ୍ଲଂଘନ କରୁଥିଲା। ଏଥିସହ ଆବଶ୍ୟକ ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ଆଇନଗତ ଅନୁମତି ମଧ୍ୟ ନଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।