07 OCTOBER 2026

Welcome!

Unlock your personalized experience.
Sign Up

60% of streetlights: ୬୦% ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ: ବଢ଼ୁଛି ଦୁର୍ଘଟଣା, ଚୋରି, ରାହାଜାନି

Oct 07, 2026 - 08:22
60% of streetlights: ୬୦% ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ: ବଢ଼ୁଛି ଦୁର୍ଘଟଣା, ଚୋରି, ରାହାଜାନି

ଭୁବନେଶ୍ବର: କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟର ରାଜଧାନୀ। ସବୁ ବିଭାଗର ମୁଖ୍ୟ ଦପ୍ତର ଏଇଠି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ୟାବିନେଟ୍‌ ମନ୍ତ୍ରୀ, ବିଧାୟକମାନେ ବି ଏଠାରେ ରହୁଛନ୍ତି, ରାଜ୍ୟର ସୁଖଦୁଃଖ ବୁଝୁଛନ୍ତି। କିନ୍ତୁ ଦୁର୍ଭାଗ୍ୟ, ସାମାନ୍ୟ ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟାରୁ ମୁକୁଳି ପାରିନି ଭୁବନେଶ୍ବର। ବର୍ଷେ ହେଲାଣି ସାହି ଗଳିକନ୍ଦିର ଷ୍ଟ୍ରିଟ୍‌ଲାଇଟ୍‌ ସବୁ ଅଚଳ ଅବସ୍ଥାରେ ପଡ଼ିଛି। ଏଥିପାଇଁ ମାଳ ମାଳ ଅଭିଯୋଗ ବି ଆସୁଛି, କିନ୍ତୁ ଫଳ ଶୂନ। ଦୁର୍ଗାପୂଜାରେ ମା’ଙ୍କୁ ଦର୍ଶନ ସହ ପାର୍ବଣ ଉପଭୋଗ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ଅନ୍ଧାର ରାତିରେ ଦୁର୍ଘଟଣାର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି।

Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ

ନିର୍ଦ୍ଦିଷ୍ଟ କମ୍ପାନିକୁ ଦରଦ ଓ ନିମ୍ନମାନର ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା, ଏଭଳି ସ୍ଥିତି ସୃଷ୍ଟି କରିଛି। ଯେଉଁ କମ୍ପାନିମାନେ ଏହି ଲାଇଟ୍‌ ଲଗାଇଥିଲେ, ସେମାନେ ଧରାଛୁଆଁ ଦେଉନାହାନ୍ତି। ସେପଟେ ଯେଉଁ ସଂସ୍ଥାମାନେ ଷ୍ଟ୍ରିଟ୍‌ ଲାଇଟ୍‌ ସଜାଡ଼ିବା ଦାୟିତ୍ବ ମୁଣ୍ଡାଇଥିଲେ, ସେମାନେ ବି ଟେଣ୍ଡର ଅବଧି ଶେଷ ପରେ ମନ ଦେଇ କାମ କରୁନାହାନ୍ତି। ଜଣକର ୧୦ ମାସ ତଳୁ ଓ ଅନ୍ୟ ଠିକାସଂସ୍ଥାର ୫ ମାସ ତଳୁ ଟେଣ୍ଡର ସରିଲାଣି। ଅପରପକ୍ଷେ ଯେଉଁଠି ୬୦ ୱାଟ୍‌ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା କଥା ଯାଞ୍ଚ ପରେ ସେଠାରେ ୪୦ ୱାଟ୍‌ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିବା ଅଭିଯୋଗ ହୋଇଛି। ବିଏମ୍‌ସି କମିସନର୍‌ ହୁଅନ୍ତୁ କି ବିଦ୍ୟୁତ୍‌ ଉପବିଭାଗ, ସଂପୃକ୍ତ ସଂସ୍ଥାଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି।

ବଢ଼ୁଛି ଦୁର୍ଘଟଣା, ଚୋରି, ରାହାଜାନି
ମଞ୍ଜୁରି ଅପେକ୍ଷାରେ ନୂଆ ଟେଣ୍ଡର

ନୂଆ ଏଲ୍‌ଇଡି ଷ୍ଟ୍ରିଟ୍‌ ଲଗାଇବା ସହ ମରାମତି ଓ ଅନ୍ୟାନ୍ୟ କାମ କରିବାକୁ ୬ଟି ପ୍ୟାକେଜ୍‌ରେ ୨୦୨୪ ସେପ୍ଟେମ୍ବର ୨୬ରୁ ନୂଆ ଟେଣ୍ଡର ନିଭ୍‌ ଓ ଇ-ସ୍ମାର୍ଟ ନାମକ ଦୁଇଟି ଠିକାସଂସ୍ଥାକୁ ଦିଆଯାଇଥିଲା। ବିଏମ୍‌ସିର ୬୭ଟି ୱାର୍ଡରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାରେ ସେ ସମୟରେ ୭.୩୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୧ରୁ ୯ ନମ୍ବର ୱାର୍ଡ ପାଇଁ ୧.୧୬ କୋଟି, ୧୦ରୁ ୧୪ ନମ୍ବର ୱାର୍ଡ ଓ ୧୬ରୁ ୨୧ ନମ୍ବର ୱାର୍ଡ ପାଇଁ ୧.୧୭ କୋଟି, ୧୫ ନମ୍ବର ୱାର୍ଡ ଓ ୨୨ରୁ ୩୧ ନମ୍ବର ୱାର୍ଡ ପାଇଁ ୧.୨୩ କୋଟି, ୩୨ରୁ ୪୩ ନମ୍ବର ୱାର୍ଡ ପାଇଁ ୧.୨୬କୋଟି, ୪୪ରୁ ୫୫ ନମ୍ବର ୱାର୍ଡ ପାଇଁ ୧.୧୦ କୋଟି ଟଙ୍କା ଏବଂ ୫୬ରୁ ୬୭ ନମ୍ବର ୱାର୍ଡ ପାଇଁ ୧.୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ଏବେ ଅଚଳ ଅବସ୍ଥାରେ। ଏଣୁ ମରାମତି ଖର୍ଚ୍ଚରେ ବି ନିୟନ୍ତ୍ରଣ ନାହିଁ। ଗତମାସରେ ବିଏମ୍‌ସି ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି, ବିଜୁଳି ବ୍ୟବହାର ଦେୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୧.୪୫କୋଟି ଟଙ୍କା ଖର୍ଚ୍ଚ କରିଛି। ତଥାପି ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟାରେ ସୁଧାର ଆସିପାରିନି। ବାରମ୍ବାର ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହେବା ଓ ରାଜଧାନୀର ଅଧିକାଂଶ ଅଞ୍ଚଳ ଅନ୍ଧାର ଭିତରେ ରହିବା, ଅସନ୍ତୋଷର କାରଣ ପାଲଟିଛି। ଗତ ଗଣେଶ ପୂଜା ବୈଠକରେ ବି ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ନେଇ ହଙ୍ଗାମା ହୋଇଥିଲା। କର୍ପୋରେସନ୍‌ ବୈଠକରେ ବି କର୍ପୋରେଟରମାନେ ଚେୟାର, ପାଣି ବୋତଲ ଫିଙ୍ଗିଥିଲେ।

Horoscope 2026 October 07: ଜାଣନ୍ତୁ ଆଜିର ରାଶିଫଳ...

ବିଏମ୍‌ସି ବିଦ୍ୟୁତ୍‌ ଉପବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ବର୍ଷା ପ୍ରଧାନ କହିଛନ୍ତି, ପୂଜା ପୂର୍ବରୁ ସମସ୍ତ ଏଲ୍‌ଇଡି ଲାଇଟ୍‌ ସଜାଡ଼ିବାକୁ କାମ ଜୋରସୋରରେ ଚାଲିଛି। ବିଜୁଳି ସଂଚୟ ପାଇଁ ଷ୍ଟ୍ରିଟ୍‌ ଲାଇଟ୍‌ ସବୁ ଏଲ୍‌ଇଡି କରାଯାଇଛି। ଯେଉଁ ଠିକାସଂସ୍ଥାମାନେ ଏହାର ମରାମତି ଓ ପରିଚାଳନା ଦାୟିତ୍ବ ନେଇଥିଲେ, ସେମାନଙ୍କ ‌ଟେଣ୍ଡର ସରିଯାଇଛି। ନୂଆ ଟେଣ୍ଡର କରିଛୁ। ଏବେ ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା ସହଜ କରିବାକୁ ଗୋଟିଏ ସଂସ୍ଥାକୁ ଟେଣ୍ଡର ଦେବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏହି ଟେଣ୍ଡର ପ୍ରକ୍ରିୟା ‌ଶେଷ ହେବବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।