8 Dead in Road Accident: ୨୦ ଫୁଟ ତଳକୁ ଖସିଲା ଟ୍ରାଭେଲର; ୮ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

Oct 17, 2026 - 11:17
8 Dead in Road Accident: ୨୦ ଫୁଟ ତଳକୁ ଖସିଲା ଟ୍ରାଭେଲର; ୮ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ରାଜସ୍ଥାନର କୋଟା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଭୋପାଳରୁ ଖାଟୁଶ୍ୟାମ ମନ୍ଦିରକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ରାସ୍ତାରୁ ଖସି ପ୍ରାୟ ୨୦ ଫୁଟ୍‌ ଗଭୀର ନାଳକୁ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବସ୍‌ରେ ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ସମେତ ମୋଟ ୨୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଅନ୍ୟ ଯାତ୍ରୀମାନେ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୬ଟା ସମୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେର ୩୮୪ ନମ୍ବର ଖୁଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭୋପାଳରୁ ରାଜସ୍ଥାନର ପ୍ରସିଦ୍ଧ ଖାଟୁ ଶ୍ୟାମ ମନ୍ଦିର ଅଭିମୁଖେ ଯାଉଥିବା ଟ୍ରାଭେଲରଟି ହଠାତ୍‌ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସିପଡ଼ିଥିଲା। ଯାହା ପରେ ଟ୍ରାଭେଲରଟି ରାସ୍ତା ପାର୍ଶ୍ୱରେ ଥିବା ପ୍ରାୟ ୧୫ ଫୁଟ୍‌ ଗଭୀର ନାଳ ମଧ୍ୟକୁ ଖସିଯାଇଥିଲା।

ଦୁର୍ଘଟଣାରେ ଟ୍ରାଭେଲରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗାଡି ଭିତରେ ଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାର ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ନାଳରେ କାଦୁଅ ଓ ପାଣି ଜମି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଯାହା ପରେ ଟ୍ରାଭେଲରକୁ ନାଳରୁ ବାହାର କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। 

କୋଟା ଜିଲ୍ଲାପାଳ ପୀୟୂଷ ସାମରିୟାଙ୍କ ସୂଚନା ଅନୁସାରେ, ୨୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ୮ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।