80 Pakistani Personnel Killed in Operation Almas: 'ଅପରେସନ୍ ଅଲମାସ୍'; ୮୦ ଜଣ ପାକ୍ ସେନା କର୍ମଚାରୀଙ୍କ ମୃତ୍ୟୁ ଦାବି
ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରି ଏକ ବଡ଼ଧରଣର ସାମରିକ ଅଭିଯାନ ଚଳାଇଥିବା ଦାବି କରିଛି ବିଦ୍ରୋହୀ ସଂଗଠନ 'ବେଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ୍' (ବିଏଲଏଫ)।
ସଂଗଠନର ଦାବି ଅନୁଯାୟୀ, ଗ୍ୱାଦର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଏହି ଆକ୍ରମଣରେ ପାକିସ୍ତାନୀ ସେନା ଓ ଗୁଇନ୍ଦା ବିଭାଗର ୮୦ରୁ ଅଧିକ କର୍ମଚାରୀ ନିହତ ହୋଇଛନ୍ତି।
Advertisment ବିଏଲ୍ଏଫ୍ର ମୁଖପାତ୍ର ମେଜର ଗ୍ୱାହରାମ ବାଲୋଚ୍ ଏକ ବିବୃତି ଜାରି କରି ଜଣାଇଛନ୍ତି ଯେ, ଗତ ଅକ୍ଟୋବର ୨୨ ତାରିଖରୁ 'ଅପରେସନ୍ ଅଲମାସ୍' ନାମକ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।
ଏହି ଅଭିଯାନ ମାଧ୍ୟମରେ ପାକିସ୍ତାନୀ ସେନାର ମୁଖ୍ୟ ପ୍ରତିଷ୍ଠାନ, ଗୁଇନ୍ଦା କାର୍ଯ୍ୟାଳୟ ଏବଂ ସୁରକ୍ଷା ଘାଟିଗୁଡ଼ିକୁ କ୍ରମାଗତ ଭାବେ ଟାର୍ଗେଟ୍ କରାଯାଇଥିଲା।
ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ, ଏହି ସଂଘର୍ଷ ସମୟରେ ସେମାନଙ୍କ ଯୋଦ୍ଧାମାନେ ପାକିସ୍ତାନୀ ସେନାର ୧୨ଟି ସଶସ୍ତ୍ର ଯାନ ଏବଂ ଯୋଗାଣ ଟ୍ରକ୍କୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି।
ଏହାସହିତ ୪ଟି କ୍ୱାଡ୍କପ୍ଟର୍ ଏବଂ ୨ଟି ନିରୀକ୍ଷଣ ଡ୍ରୋନ୍କୁ ମଧ୍ୟ ଖସାଇ ଦିଆଯାଇଛି।
ଏପରିକି ଦୁଇଟି ଥାନାକୁ ମଧ୍ୟ ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ଆଣିଛନ୍ତି।
ଗ୍ୱାଦରର ଏଫ୍ଡବ୍ଲ୍ୟୁଓ ଶିବିରରେ ବିଦ୍ରୋହୀମାନେ ୨୦ ଘଣ୍ଟାରୁ ଅଧିକ ସମୟ ଧରି ନିଜର କବ୍ଜା ଜାହିର କରିଥିଲେ ବୋଲି ବିବୃତିରେ ପ୍ରକାଶ ପାଇଛି।
Advertisment ଏହି ବଡ଼ ସାମରିକ ଅଭିଯାନର ନାମକରଣ ସଂଗଠନର ମହିଳା ଯୋଦ୍ଧା କମାଣ୍ଡର ଅଲମାସ୍ ବାଲୋଚ୍ଙ୍କ ନାମାନୁସାରେ କରାଯାଇଛି।
ଅଭିଯାନର ଯୋଜନା ପ୍ରସ୍ତୁତି ଏବଂ କ୍ଷେତ୍ରସ୍ତରୀୟ ନେତୃତ୍ୱରେ ଅଲମାସ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ବିଏଲ୍ଏଫ୍ ପକ୍ଷରୁ କୁହାଯାଇଛି।
ଏହି ଆକ୍ରମଣ ପରେ ବିଏଲ୍ଏଫ୍ ପକ୍ଷରୁ ପାକିସ୍ତାନୀ ସେନା ଏବଂ ଆଗାମୀ ଦିନରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର୍ (ସିପିଇସି) ସହ ଜଡ଼ିତ ପ୍ରକଳ୍ପଗୁଡ଼ିକ ଉପରେ ଆକ୍ରମଣ ଜାରି ରହିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।
ଗ୍ୱାଦର ବନ୍ଦର ଏହି କରିଡର୍ର ଏକ ଅନ୍ତର୍ଭୁକ୍ତ ଅଂଶ ହୋଇଥିବାରୁ, ଏଭଳି ଧମକ ଆଗାମୀ ଦିନରେ ଅଞ୍ଚଳର ସୁରକ୍ଷା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।
ତେବେ ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏହି ଦାବିଗୁଡ଼ିକ ସମ୍ପର୍ଣ୍ଣ ରୂପେ କୌଣସି ପ୍ରତିକ୍ରିୟା ମିଳିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।