9 Sentenced to Life : ମାନବ ଚାଲାଣ ମାମଲାରେ ଏନଆଇଏ କୋର୍ଟଙ୍କ ବଡ଼ ରାୟ, ୯ ଜଣଙ୍କୁ ଆଜୀବନ ଜେଲ୍
ହାଇଦ୍ରାବାଦରେ ୨୦୧୯ ମସିହାର ଏକ ବଡ଼ଧରଣର ମାନବ ଚାଲାଣ ନେଟୱାର୍କ ମାମଲାରେ ଏନଆଇଏ କୋର୍ଟ ୯ ଜଣ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୮ ଜଣ ବାଂଲାଦେଶୀ ନାଗରିକ ମଧ୍ୟ ଅଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ରୁହୁଲ ଅମିନ ଧାଲି, ମହମ୍ମଦ ୟୁସୁଫ ଖାନ ଅରଫ ମଦ ଇମ୍ରାନ, ବିଥି ବେଗୁମ ଅରଫ ଖଦିଜା ଶେଖ, ଇମାମୁଲ ଘାଜୀ ଅରଫ ମହମ୍ମଦ ରଣା ହୁସେନ, ମହମ୍ମଦ ଅଲ ମାମୁନ, ସୋଜିବ ଶେଖ, ସୁରେଶ କୁମାର ଦାସ ଅରଫ ସାଗର, ମହମ୍ମଦ ଅବ୍ଦୁଲ୍ଲା ମୁନସୀ ଅରଫ ଅବଦୁଲ ସରକାର ଓ ମହମ୍ମଦ ଆୟୁବ ଶେଖ।
ହାଇଦ୍ରାବାଦସ୍ଥିତ ଏନଆଇଏର ସ୍ୱତନ୍ତ୍ର କୋର୍ଟ ଗତ ଗୁରୁବାର ଏହି ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ ସମସ୍ତ ୯ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ମୋଟ ୧ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ଦୋଷୀ ଜରିମାନା ପୈଠ କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଅତିରିକ୍ତ ଭାବେ ଆହୁରି ତିନି ମାସର ସାଧାରଣ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୁକ୍ତମାନେ ବାଂଲାଦେଶୀ ମହିଳାମାନଙ୍କୁ ଭଲ ଚାକିରି ଓ ଅଧିକ ଦରମାର ପ୍ରଲୋଭନ ଦେଖାଇ ଭାରତକୁ ଆଣିବା ପରେ ବଳପୂର୍ବକ ଅନୈତିକ କାମରେ ଲଗାଉଥିଲେ। ୨୦୧୯ ସେପ୍ଟେମ୍ବର ମାସରେ ତେଲଙ୍ଗାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଜଲପଲ୍ଲୀ ଗାଁର ଏକ ସ୍ଥାନରୁ ୩ ବାଂଲାଦେଶୀ ମହିଳାଙ୍କୁ ଉଦ୍ଧାର କରିବା ସହ ଘଟଣାର ପର୍ଦ୍ଦାଫାଶ କରିଥିଲା। ଏହାସହ ବାଲାପୁରର ମହିମୁଦ କଲୋନୀର ଏକ ଘରୁ ଆଉ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।
ତଦନ୍ତରୁ ଜଣାପଡିଥିଲା ଯେ, ଏକ ସଙ୍ଗଠିତ ମାନବ ଚାଲାଣ ନେଟ୍ୱର୍କ ବାଂଲାଦେଶୀ ମହିଳାମାନଙ୍କୁ ଭାରତ ଆଣି ଭିନ୍ନ ଭିନ୍ନ ସ୍ଥାନରେ ରଖି ଏଭଳି ଅମାନବୀୟ କାର୍ଯ୍ୟରେ ଲିପ୍ତ କରୁଥିଲା। ଏହାପରେ ଏନ୍ଆଇଏ ୧୨ ଅକ୍ଟୋବର ୨୦୧୯ରେ ମାମଲାକୁ ପୁନଃ ପଞ୍ଜୀକୃତ କରି ତଦନ୍ତ ହାତକୁ ନେଇଥିଲା। ତଦନ୍ତ ସମୟରେ ତେଲଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ସ୍ଥାନରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।