Aadhaar Issues Delay Government Benefits: ରାଜ୍ୟବ୍ୟାପି କଲବଲ କରୁଛି ଆଧାର କାର୍ଡ ଅଡୁଆ, ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ଆବେଦନକାରୀ
ଶୁଣିଲେ ତ ସାଧାରଣ ଲୋକଙ୍କ ମୁହଁରୁ ପ୍ରତିକ୍ରିୟା। କେତେ ହୀନସ୍ତା ହେଉଛନ୍ତି, କେତେ ଦୁର୍ଦ୍ଦଶା ଭୋଗୁଛନ୍ତି, ଖଣ୍ଡିଏ ଆଧାର ପାଇଁ କେମିତି ଜୀବନ ଅଧା ଅଧୁରା ହୋଇଯାଉଛି, ହାଡ଼େ ହାଡ଼େ ଅନୁଭବ କରୁଛନ୍ତି ଏମାନେ।
ଭୁବନେଶ୍ୱର ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ୍ କେନ୍ଦ୍ର ତଥା OCAC। ଆଧାର କାର୍ଡରେ ତ୍ରୁଟି ସୁଧାରିବା ପାଇଁ ହେଉ କିମ୍ବା କଟିଯାଇଥିବା ନାଁକୁ ଯୋଡ଼ିବା ପାଇଁ। କିଏ ମୟୁରଭଞ୍ଜ ତ ଆଉ କିଏ ଜଗତସିଂପୁର, କିଏ ପୁରୀରୁ ତ ଆଉ ପୁଣି କିଏ ଦେବଗଡ଼ ଜିଲ୍ଲାରୁ ଧାଇଁ ଆସିଛନ୍ତି। ଏଇ ଯେମିତି, ସତ୍ୟବାଦୀର ସୁଦର୍ଶନ ବେହେରା। ୮୦ ବର୍ଷିୟ ତାଙ୍କ ବାପାଙ୍କୁ ଆଜିକୁ ୪ ମାସ ହେଲାଣି ଭତ୍ତା ମିଳିନି। କାରଣ ତାଙ୍କ ଆଧାରକାର୍ଡ ରିଜେକ୍ଟ ହୋଇଯାଇଛି। ଆଉ ଏ ହେଉଛନ୍ତି ବାରିପଦାରୁ ଆସିଥିବା ଜଣେ ବୃଦ୍ଧା। ଯାହାଙ୍କ ନାଁ କମଳା ଜେନା। ତାଙ୍କ କଥା ଶୁଣିଲେ ତ ଆଶ୍ଚର୍ଯ୍ୟ ହୋଇଯିବେ। ଜୀବିତ ଥାଉ ଥାଉ ତାଙ୍କୁ ସରକାରୀ କାଗଜପତ୍ରରେ କୁଆଡ଼େ ମୃତ ଘୋଷଣା କରି ଦିଆଯାଇଛି। OCACକୁ ଆସି ବୁଝିଲାବେଳକୁ ସବୁ ସତ ଧରାପଡ଼ିଯାଇଛି। ହେଲେ ଦୁର୍ଭାଗ୍ୟ, ୩ ମାସ ତଳେ ଆସି OCACରେ ନିଜର ଆପତ୍ତି ଜଣାଇଥିଲେ ବି ଅପଡେଟ୍ ହୋଇନଥିବା କହିଛନ୍ତି, ଏଥର ନହେଲେ ପରଘରେ ଯାଇ ବାସନ ମାଜି ପେଟ ପୋଷିବି।
ଆଧାର ଜଞ୍ଜାଳ ଏତିକିରେ ସରିନି। ଆସନ୍ତୁ ଗତକାଲି ଭଳି ଆଜି ବି ଯିବା ଗ୍ରାଉଣ୍ଡ ଜିରୋକୁ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସାଇଁକୁଳର ନୀଳକଣ୍ଠ ରାୟସିଂ। ସରକାରୀ ଚାକିରୀରୁ ଅବସର ପରେ ପେନସନ୍ ବହିରେ ତାଙ୍କ ଧର୍ମପତ୍ନୀ ବିଜୟିତା ନୋମିନି ଅଛନ୍ତି। କିନ୍ତୁ ଘର ଠିକଣା ବଦଳିବାରୁ ଆଧାରକାର୍ଡରେ ବି ଠିକଣା ବଦଳାଇଲେ ସତ, ହେଲେ ବନାନରେ ପତ୍ନୀଙ୍କ ନାଁ ଭୁଲ୍ ହୋଇଯାଇଛି। ଆଜିକୁ ୧୦ ବର୍ଷ ହେବ ଏହାକୁ ସଂଶୋଧନ ପାଇଁ ସରକାରୀ ଦପ୍ତରକୁ ଦୌଡ଼ି ଦୌଡ଼ି ନାକେଦମ୍ ନୀଳକଣ୍ଠ।
ଅର୍ଥାତ ଆଧାର କାର୍ଡର ସଂଘର୍ଷ ଭିତରେ କାହା ଆୟୁଷ ଅଧା ହୋଇଗଲାଣି ଆଉ କାହା ଜୀବନ ଏବେ ଅଧୁରା। ଭତ୍ତାଠୁ ଆରମ୍ଭ କରି ଆବାସ, ପିଲାଙ୍କ ସ୍କୁଲ ଆଡ଼ମିଶନଠୁ ପ୍ରତ୍ୟେକ ସରକାରୀ କାର୍ଯ୍ୟ। ଆଧାର୍ ନଥିଲେ ହେବନି। କିନ୍ତୁ କାହା ନାଁ ଭୁଲ୍ ତ ଆଉ କିଏ ଆବେଦନ କରି ହାଲିଆ। ତଥାପି ଫିଟୁନି ସମାଧାନ ବାଟ। କାହିଁକି ଲାଗିରହୁଛି ବିଭ୍ରାଟ ? କେଉଁଠି ରହୁଛି ତ୍ରୁଟି ? ଗାଁର ଲୋକଟିଏ ରାଜଧାନୀ ଯାଏଁ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହେଉଥିବାବେଳେ ସେମାନଙ୍କ ଅଞ୍ଚଳରେ ସମାଧାନ କରିବାରେ ଅସୁବିଧା କେଉଁଠି ? ନାନା ପ୍ରଶ୍ନ ଭିତରେ ଆଧାର ପାଇଁ ବିକଳ ଅବସ୍ଥା, ଚିନ୍ତା ବଢ଼ାଇଥିବାବେଳେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମସ୍ୟାକୁ ସ୍ବୀକାର କରିଛନ୍ତି। ତା’ସହ କହିଛନ୍ତି, ସ୍ଥିତି ଅନୁଧାନ କରିବୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।