Abhijeet Dipke meets Mamata Banerjee: ମମତାଙ୍କୁ ଭେଟିଲେ ସିଜେପି ମୁଖ୍ୟ, ଭୋଟ୍ ଚୋରି ବିରୋଧରେ ଏକାଠି, କିନ୍ତୁ ରାଲିକୁ ଦୀପକେଙ୍କ ନା

Nov 01, 2026 - 10:10
Abhijeet Dipke meets Mamata Banerjee: ମମତାଙ୍କୁ ଭେଟିଲେ ସିଜେପି ମୁଖ୍ୟ, ଭୋଟ୍ ଚୋରି ବିରୋଧରେ ଏକାଠି, କିନ୍ତୁ ରାଲିକୁ ଦୀପକେଙ୍କ ନା

କକରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦିପକେ ଦିଲ୍ଲୀରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଯୁବପିଢ଼ିଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିବାରୁ ମମତାଙ୍କୁ ଧନ୍ୟବାଦ ଜଣାଇବା ସହ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିଆ ମେଣ୍ଟର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ତେବେ ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ମହାରାଲିରେ ସିଜେପି ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦୀପକେ। ସଂଗଠନ ନିଜର ସ୍ୱତନ୍ତ୍ର ଓ ନିରପେକ୍ଷ ପରିଚୟ ବଜାୟ ରଖିବାକୁ ଚାହୁଁଥିବା ସେ କହିଛନ୍ତି।

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସିଜେପି ପକ୍ଷରୁ ଜନ୍ତରମନ୍ତରରେ ହୋଇଥିବା ପ୍ରଥମ ଆନ୍ଦୋଳନ ସମୟରେ ମମତା ବାନାର୍ଜୀ ସମର୍ଥନ ଜଣାଇଥିଲେ। ଏପରିକି ସଂଗଠନର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ସମୟରେ ମଧ୍ୟ ମମତା ସେମାନଙ୍କ ସହ ଛିଡ଼ା ହୋଇଥିଲେ। ଏହି ସମର୍ଥନ ପାଇଁ ମମତାଙ୍କୁ କୃତଜ୍ଞତା ଜଣାଇବାକୁ ସେ ଭେଟିଥିବା ଦିପକେ କହିଛନ୍ତି।

ରବିବାରର ରାଲିରେ ସିଜେପି ଯୋଗଦେବ କି ନାହିଁ ବୋଲି ପଚାରିବାରୁ ଦିପକେ କହିଛନ୍ତି, ଭୋଟ୍ ଚୋରି ବିରୋଧରେ ହେଉଥିବା ଆନ୍ଦୋଳନକୁ ସଂଗଠନର ସମର୍ଥନ ରହିଛି। କିନ୍ତୁ ସିଜେପି ଏକ ସ୍ୱାଧୀନ ଓ ନିରପେକ୍ଷ ସଂଗଠନ। ତେଣୁ କୌଣସି ରାଜନୈତିକ ମେଣ୍ଟର ଅଂଶ ହୋଇ ନିଜର ପରିଚୟ ହରାଇବାକୁ ଚାହୁଁନାହିଁ। ନିର୍ବାଚନରେ ଅନିୟମିତତା ବିରୋଧରେ ଯେଉଁ ସଂଗଠନ ଲଢ଼େଇ କରିବ, ଦଳୀୟ ପରିଚୟ ନିର୍ବିଶେଷରେ ସିଜେପି ସେମାନଙ୍କୁ ସମର୍ଥନ କରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ମମତା ବାନାର୍ଜୀ ସିଜେପିର ଯୁବ କର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସଆଇଆର) ଏବଂ ନିର୍ବାଚନ ଆୟୋଗ ବିରୋଧରେ ଆନ୍ଦୋଳନରେ ଯୁବ କର୍ମୀଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। 

ଏଥିସହ ଅଭିଜିତ ଦିପକେ ଓ ଅନ୍ୟ ସିଜେପି କର୍ମୀମାନଙ୍କୁ ପଶ୍ଚିମବଙ୍ଗ ଆସି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମମତା ନିମନ୍ତ୍ରଣ ଦେଇଛନ୍ତି। ତେବେ କୋଲକାତାରେ କାର୍ଯ୍ୟକ୍ରମ ହେବ କି ନାହିଁ, ତାହା ସିଜେପି ନିଜେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୧ ତାରିଖ ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବଡ଼ ରାଲି ଆୟୋଜନ କରାଯାଉଛି। ନିର୍ବାଚନରେ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବେ ବିରୋଧୀ ଦଳଗୁଡ଼ିକ।

ଏହି ରାଲି ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଜୋରଦାର ହୋଇଛି। ମୁଖ୍ୟ ମଞ୍ଚ ଉପରେ ବିରାଟ ତ୍ରିରଙ୍ଗା ଛାଉଣି କରାଯାଇଥିବା ବେଳେ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର ପ୍ରତିନିଧିଙ୍କ ପାଇଁ ପୃଥକ ବ୍ୟବସ୍ଥା ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

‘ଚଲୋ ଦିଲ୍ଲୀ’ ନାମରେ ଏକ ପଦଯାତ୍ରା ମିଣ୍ଟୋ ରୋଡ୍‌ରୁ ଆରମ୍ଭ ହୋଇ ରାମଲୀଳା ମୈଦାନରେ ପହଞ୍ଚିବ। ମଧ୍ୟାହ୍ନ ୧୨ଟାରେ ମିଣ୍ଟୋ ରୋଡ୍‌-କନଟ୍ ପ୍ଲେସ୍ ଛକରୁ ଏହି ପଦଯାତ୍ରା ଆରମ୍ଭ ହେବ। ପରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଲି ଆୟୋଜନ ପାଇଁ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରୁ ଖୋଲା ବସ୍‌ରେ ଇଣ୍ଡିଆ ମେଣ୍ଟର ନେତାମାନେ ପଦଯାତ୍ରାର ଆରମ୍ଭ ସ୍ଥଳକୁ ଯିବାର ଯୋଜନା ରହିଛି।

ଏହି ଆନ୍ଦୋଳନରେ କେବଳ ରାଜନୈତିକ ଦଳ ନୁହେଁ, ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା, ଶ୍ରମିକ ଓ ବିଭିନ୍ନ ସାମାଜିକ ସଂଗଠନକୁ ମଧ୍ୟ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। CJP ମଧ୍ୟ ନିର୍ବାଚନରେ ସ୍ୱଚ୍ଛତା ଓ ଅବାଧ ମତଦାନ ସପକ୍ଷରେ ନିଜର ସମର୍ଥନ ଜଣାଇଛି। ତେବେ ରାଲିରେ ଔପଚାରିକ ଭାବେ ସାମିଲ ନହେବାକୁ ସଂଗଠନ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।