Abhishek Banerjee Alleges Attack On Home: ରାତି ଅଧରେ ଅଭିଷେକଙ୍କ ଘର ଆଗରେ ହଙ୍ଗାମା, ପଥରମାଡ଼ ଓ ମାରପିଟ ଅଭିଯୋଗ
ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀଙ୍କ ଜନ୍ମଦିନ ପାଳନ ସମୟରେ କୋଲକାତାରେ ତାଙ୍କ ବାସଭବନ ସମ୍ମୁଖରେ ହଙ୍ଗାମା ହୋଇଛି।
ଶୁକ୍ରବାର ରାତିରେ ତୃଣମୂଳ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସହ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଅଭିଷେକ ବାନାର୍ଜୀ ନିଜ ଘର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଛନ୍ତି।
Advertisment ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ କାଳୀଘାଟସ୍ଥିତ ଅଭିଷେକ ବାନାର୍ଜୀଙ୍କ ବାସଭବନ ସମ୍ମୁଖରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
'ଚୋର' ସ୍ଲୋଗାନକୁ ନେଇ ଏହି ବିବାଦ ତୀବ୍ର ହୋଇଥିଲା।
ଅଭିଷେକଙ୍କ ଅଭିଯୋଗ ଅନୁଯାୟୀ, ବିଜେପି କର୍ମୀମାନେ ତାଙ୍କ ସମର୍ଥକଙ୍କୁ ତଳେ ପକାଇ ଇଟା ଓ ପଥରରେ ଆକ୍ରମଣ କରିଥିଲେ।
ଏନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଏଥିରେ କିଛି ଲୋକ ତାଙ୍କ ବ୍ୟାନର ଓ ପୋଷ୍ଟର ଚିରି ଦେଉଥିବା ଦେଖିବାକୁ ମିଳିଛି।
ଏକ୍ସରେ ପୋଷ୍ଟ କରି ଅଭିଷେକ ଅଭିଯୋଗ କରିଛନ୍ତି ଯେ, ଗତ ଦୁଇ ଦିନ ଧରି ତାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ନଜର ରଖାଯାଉଥିଲା।
ଏହା ପରେ ରାତି ୨ଟାରେ ବିଜେପିର କିଛି ଗୁଣ୍ଡା ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ।
Advertisment ସେ ଆହୁରି କହିଛନ୍ତି, ଯଦି ଜଣେ ନିର୍ବାଚିତ ସାଂସଦଙ୍କ ଘର ଉପରେ ଏଭଳି ଆକ୍ରମଣ ହୋଇପାରୁଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କ'ଣ ହେଉଥିବ ତାହା ସହଜରେ ଅନୁମାନ କରାଯାଇପାରେ।
ଗତ ୬ ମାସ ମଧ୍ୟରେ ତାଙ୍କ ଜୀବନ ନେବାକୁ ସପ୍ତମ ଥର ଉଦ୍ୟମ ହୋଇଛି।
ଏତେ ବଡ଼ ଘଟଣା ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ପୋଲିସ ସମ୍ମୁଖରେ ହିଁ ଆକ୍ରମଣକାରୀମାନେ ପଥର ଓ ଇଟା ଫିଙ୍ଗିଥିବା ଅଭିଷେକ ଅଭିଯୋଗ କରିଛନ୍ତି।
ତେବେ ଘଟଣା ପରେ ଅଭିଷେକ ନିଜେ ଘରୁ ବାହାରି ପୋଲିସ ଓ ବିଜେପି ସମର୍ଥକଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ।
ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ସମର୍ଥକମାନେ ବନ୍ଧୁକ ଧରି ଆସିଥିଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଯୋଜନା କରିଥିଲେ।
ଅଭିଷେକ କହିଛନ୍ତି ଯେ, ଟିଏମସିର ତାପସ ନାମକ ଜଣେ କର୍ମୀଙ୍କ ହାତର ବୁଢ଼ା ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଛି।
ତାଙ୍କୁ ହସ୍ପିଟାଲ ପଠାଯାଇଥିବା ବେଳେ ତାଙ୍କ ହାତରେ ପ୍ଲାଷ୍ଟିକ୍ ସର୍ଜରୀ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି।
ସେହିପରି ଅନ୍ୟ ଜଣେ କର୍ମୀଙ୍କ ଆଖି ତଳେ ଗୁରୁତର ଭାବେ ଆଘାତ ଲାଗିଛି।
ସେ ଆହୁରି କହିଛନ୍ତି ଯେ, ଜୁନ୍ ୧୯ ତାରିଖରେ ଦିଲ୍ଲୀରୁ ଫେରିବା ସମୟରେ ସୋନାରପୁର ଅଞ୍ଚଳରେ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା।
ସେତେବେଳେ ବନ୍ଧୁକ ଧରିଥିବା କିଛି ବ୍ୟକ୍ତିଙ୍କୁ ତାଙ୍କ ଦଳୀୟ କର୍ମୀମାନେ ଧରିଥିଲେ।
ଏନେଇ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ବିଜେପି ଏହି ଘଟଣାକୁ ନାଟକ ବୋଲି କହିଛି।
ବିଜେପି ନେତା ଦିଲୀପ ଘୋଷ କହିଛନ୍ତି, ଜଣେ ନେତାଙ୍କ ଜନ୍ମଦିନ ଫୁଟପାଥ୍ରେ ପାଳନ ହେଉଥିବା ପ୍ରଥମ ଥର ଦେଖିବାକୁ ମିଳୁଛି।
ରାତିରେ କେହି ଅଶାନ୍ତି ସୃଷ୍ଟି କଲେ ତାହାର ବିରୋଧ ହେବା ସ୍ୱାଭାବିକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।