16 OCTOBER 2026

Welcome!

Unlock your personalized experience.
Sign Up

ABVP-BCJD: ଏବିଭିପି-ବିସିଜେଡି କଡ଼ା ମୁକାବିଲା: କୌଣସି ସଂଗଠନ ସପକ୍ଷରେ ଏକପାଖିଆ ମତ ନାହିଁ

Oct 16, 2026 - 04:23
ABVP-BCJD: ଏବିଭିପି-ବିସିଜେଡି କଡ଼ା ମୁକାବିଲା: କୌଣସି ସଂଗଠନ ସପକ୍ଷରେ ଏକପାଖିଆ ମତ ନାହିଁ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ ଆଜି ‌ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ, ଗଣ୍ଡଗୋଳ ଭିତରେ ମତଦାନ ଓ ଫଳାଫଳ ପ୍ରକାଶ ପାଇଛି। କୌଣସି ଛାତ୍ର ସଂଗଠନ ସପକ୍ଷରେ ଏକପାଖିଆ ଫଳାଫଳ ଯାଇ ନାହିଁ। ତେବେ ରାଜ୍ୟର ପ୍ରମୁଖ କଲେଜରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଛାତ୍ର କଂଗ୍ରେସ ମଧ୍ୟ କିଛି କଲେଜରେ ସଫଳତା ପାଇଛି। ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ରା ମନାଇଛନ୍ତି। 
ବିଜେପି ସରକାରକୁ ଆସିଲା ପରେ ପ୍ରଥମ ଥର ପାଇଁ କ୍ୟାମ୍ପସ୍‌ ନିର୍ବାଚନ ହୋଇଥିଲା। ତେଣୁ ଏବିଭିପି ଏଥର ବେଶ୍‌ ସକ୍ରିୟ ଭାବେ ଲଢ଼ିଥିଲା। ଶାସକ ଦଳର ବିଧାୟକ ଓ ନେତାମାନେ ନିଜ ନିଜ ଅଞ୍ଚଳରେ ଏବିଭିପି ପ୍ରାର୍ଥୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ବିଜୁ ଛାତ୍ର ଜନତା ଦଳ ଏଥର ବିରୋଧୀ ଆସନରେ ଥାଇ ନିର୍ବାଚନ ଲଢ଼ିଥିଲା। ଛାତ୍ର କଂଗ୍ରେସ ମଧ୍ୟ କିଛି କଲେଜରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏବିଭିପିକୁ ବିଜୁ ଛାତ୍ର ଜନତା ଦଳ ସବୁ ସ୍ଥାନରେ କଡ଼ା ମୁକାବିଲା କରିଥିଲା।

Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା

ଉଭୟ ସଂଗଠନକୁ ମିଶ୍ର ଫଳାଫଳ ମିଳିଛି। ଛାତ୍ର କଂଗ୍ରେସ ଅନ୍ୟ ଦୁଇ ସଂଗଠନ ତୁଳନାରେ ପଛରେ ରହିଯାଇଛି।  ତେବେ ୮ ବର୍ଷ ପରେ ହୋଇଥିବା ଛାତ୍ରସଂସଦ ନିର୍ବାଚନରେ
 ହିଂସାକାଣ୍ଡ ଚିନ୍ତାର କାରଣ ହୋଇଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ବିଭିନ୍ନ କଲେଜରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବନ୍ଦ ହୋଇଥିଲା। ଆଜି ମତଦାନ ପରେ ମଧ୍ୟ ହିଂସାକାଣ୍ଡ ଘଟିଛି। ଭୁବନେଶ୍ବର, ରାଜନଗର, ରାୟଗଡ଼ା, ହିଞ୍ଜିଳିକାଟୁ ଆଦି ଅଞ୍ଚଳରେ ଗଣ୍ଡଗୋଳର ଖବର ଆସିଛି। ରେଭେନ୍ସା କଲେଜରେ ସଭାପତି ଭାବେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ବିଶ୍ବଜିତ ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଏବିଭିପି ସମର୍ଥିତ ପ୍ରାର୍ଥୀ ତାପସ କୁମାର ନାୟକଙ୍କୁ ପରାସ୍ତ କରିଛନ୍ତି। ବିଜେବି କଲେଜରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ବି‌ସିଜେଡି ସମର୍ଥିତ ପ୍ରାର୍ଥୀ ପ୍ରତୀକ ପାଣିଗ୍ରାହୀଙ୍କୁ ପରାସ୍ତ କରିଛନ୍ତି।  

Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ଯାଜପୁର ଏନ୍‌ସି କଲେଜରେ ବିସିଜେଡି ପ୍ରାର୍ଥୀ ସଞ୍ଜମ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଏବିଭିପିର ସନ୍ଧ୍ୟାରାଣୀ ବେହେରାଙ୍କୁ ପରାସ୍ତ କରିଛନ୍ତି। ନୟାଗଡ଼ କଲେଜର ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରାର୍ଥୀ କାର୍ତ୍ତିକ ମହାନ୍ତି ନିକଟତମ ପ୍ରତିଦ୍ବନ୍ଦ୍ବୀ ଏବିଭିପିର ପାୟଲ ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଜନ୍‌ସନ ବେହେରା ବିଜୟୀ ହୋଇଛନ୍ତି। ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ସଂଦୀପ୍ତା ଦାଶ ବିଜୟୀ ହୋଇଥିଲା ବେଳେ ଏମ୍‌ପିସି ସ୍ବୟଂଶାସିତ କଲେଜର ସ୍ବାଧୀନ ପ୍ରାର୍ଥୀ ଅଞ୍ଜନ ସୋରେନ ଜିତିଛନ୍ତି। କେନ୍ଦ୍ରାପଡ଼ା କଲେଜର ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଶୁଭମ କୁମାର ଦାସ ଏବିଭିପିର ତୁଳସୀ ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଭଦ୍ରକ କଲେଜରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଅମିତ ମହାନ୍ତି ବିଜୟୀ ହୋଇଛନ୍ତି। କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଶୁଭମ ନାୟକ ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ସଞ୍ଜୀବ କୁମାର ଝରାଙ୍କୁ ହରାଇଛନ୍ତି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ହୋଇଥିବା ପରୋକ୍ଷ ନିର୍ବାଚନ ପଦ୍ଧତିରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ସ୍ବାଧୀନ ଆଚାର୍ଯ୍ୟ ବିଜୟୀ ହୋଇଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ମଧ୍ୟ ଏବିଭିପି ସମର୍ଥିତ ପ୍ରାର୍ଥୀ ସୁଦର୍ଶନ ସୁନା ବିଜୟୀ ହୋଇଛନ୍ତି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ପୁଣ୍ଡି ବିଜୟୀ ହୋଇଛନ୍ତି। ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ସଭାପତି ପଦରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଛାତ୍ର କଂଗ୍ରେସର ଋଷଭ ସଗରିଆଙ୍କୁ ହରାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।