Accident: ଦ୍ରୁତଗତି ନେଲା ଆଉ ଏକ ମୂଲ୍ୟବାନ ଜୀବନ

Sep 08, 2026 - 15:54
Accident: ଦ୍ରୁତଗତି ନେଲା ଆଉ ଏକ ମୂଲ୍ୟବାନ ଜୀବନ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦ୍ରୁତଗତି ପୁଣି ନେଇଛି ଏକ ମୂଲ୍ୟବାନ ଜୀବନ।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଞ୍ଚଳର ତଲାରିମାହା ପଞ୍ଚାୟତ ଅନ୍ତର୍ଗତ ଜବେଡି ନିକଟ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ (ଓ ଆର ୨୪ଡି ୯୯୬୬) ବିଶିଷ୍ଟ  କେଟିଏମ୍‌ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

Advertisment ସୂଚନା ଅନୁସାରେ ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡ଼ା ଗ୍ରାମର ଆଶୁତୋଷ ଜାନି (୨୦) ଓ ବିନସନ୍ ଗଣ୍ଡା (୨୩) ସନ୍ଧ୍ୟାରେ ଘରୁ ବାହାରିଥିଲେ।

ପରେ ସେମାନେ ଟିକାବାଲିର ରାଜୀବନଗର ଅଞ୍ଚଳରୁ ଅନିଶ ଦିଗାଲ (୧୮)ଙ୍କୁ ସାଙ୍ଗରେ ନେଇଥିଲେ।

ରାତି ପ୍ରାୟ ୮ଟା ୩୦ରେ ଟିକାବାଲି ତେଙ୍ଗେଡାପଥର ଛକ ନିକଟ ଏକ ହୋଟେଲରେ ଖାଇବା ପରେ ତିନିଜଣ କଳିଙ୍ଗା ଘାଟି ଆଡ଼କୁ ବୁଲିବାକୁ ବାହାରିଥିବା ଜଣାପଡ଼ିଛି।

ରାତି ପ୍ରାୟ ୧୨ଟା ସମୟରେ ଜବେଡି ନିକଟ ବୁଲାଣିରେ ଦ୍ରୁତଗତିରେ ଯାଉଥିବା ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଭିତରକୁ ପଶିଯାଇଥିଲା।

ଦୁର୍ଘଟଣାରେ ବିନସନ୍ ଗଣ୍ଡାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ରାତିସାରା ଆହତ ଦୁଇଜଣ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଇ ସହାୟତା ମାଗିଥିଲେ।

ତେବେ କୌଣସି ଗାଡ଼ି ଅଟକିନଥିବା ଅଭିଯୋଗ ହୋଇଛି।

ଭୟଭୀତ ହୋଇ ସେମାନେ ମଧ୍ୟ ରାତିରେ ପରିବାର କିମ୍ବା ଅନ୍ୟ କାହାକୁ ଘଟଣା ସମ୍ପର୍କରେ ଜଣାଇ ପାରିନଥିଲେ।

ସକାଳେ ଘଟଣା ସମ୍ପର୍କରେ ଖବର ପାଇ ସମାଜସେବୀ ତଥା ସ୍ୱାକ୍ ର ସଭାପତି ଆମନ୍ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ।

ପରେ ଘୁ.ଉଦୟଗିରି ପୋଲିସ ଏଏସ୍‌ଆଇ ବଣ୍ଟି ଦଣ୍ଡିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ମୃତଦେହ ଓ ଆହତ ଦୁଇଜଣଙ୍କୁ ଘୁ.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଖଜୁରିପଡାରୁ ମୃତକଙ୍କ ପରିବାର ଆସି ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।

Accident: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।