Accident: ମାଛ ବୋଝେଇ କଣ୍ଟେନର ଧକ୍କାରେ କଲେଜ ଛାତ୍ରଙ୍କର ମୃତ୍ୟୁ
"ବାଲିକୁଦା: କଲେଜ ନିର୍ବାଚନର ଉତ୍ସାହ ମଧ୍ୟରେ ହଠାତ୍ ଖେଳିଗଲା ଶୋକର ଛାୟା।
ମାଛ ବୋଝେଇ କଣ୍ଟେନର ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ମୁଖ୍ୟ ବଜାରରେ ଉତ୍ତେଜନା ପ୍ରକାଶ ପାଇଛି।
ମୃତ ଛାତ୍ର ଜଣକ ହେଲେ ବାଲିକୁଦା କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ରାହୁଲ ନାୟକ (୨୦)।
ତାଙ୍କ ଘର ବାଲିକୁଦା ଥାନା ଅନ୍ତର୍ଗତ ଅଢଙ୍ଗା ପଞ୍ଚାୟତର କୋଳଦା ଗ୍ରାମରେ।
ତାଙ୍କ ପିତାଙ୍କ ନାମ ସଚିନ୍ଦ୍ର ନାୟକ।Advertisment କଲେଜ ନିର୍ବାଚନକୁ ନେଇ ରାହୁଲ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ।
ଭୋଟ ପ୍ରଚାର ପାଇଁ ସେ ପ୍ରାର୍ଥୀଙ୍କ ସହିତ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଘରକୁ ଯାଇଥିଲେ।
ଏହି କାର୍ଯ୍ୟ ସାରି ବାଇକ୍ ଯୋଗେ ବାଲିକୁଦା ମୁଖ୍ୟ ବଜାର ନିକଟରେ ଯାଉଥିବା ବେଳେ କଟକ-ମାଛଗାଁ ମୁଖ୍ୟ ରାସ୍ତାରେ ବାଲିକୁଦା ପଟୁ କଟକ ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ କଣ୍ଟେନର ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା।
ଫଳରେ ରାହୁଲ ଗାଡ଼ି ଚକ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ମୁଣ୍ଡ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଓ ଛାତ୍ରମାନେ ମିଶି କଣ୍ଟେନରକୁ ପିଛା କରି ତହସିଲ ଛକ ନିକଟରେ ଅଟକାଇଥିଲେ।
ପରେ ପୁଲିସ ଗାଡ଼ିଟିକୁ ଜବତ କରି ନିଜ ହେପାଜତକୁ ନେଇଥିବା ବାଲିକୁଦା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।
କଣ୍ଟେନର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧଅନ୍ୟପକ୍ଷରେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରମାନେ ରାସ୍ତା ଅବରୋଧ କରିବା ସହ ପୁଲିସ ସହିତ ଯୁକ୍ତିତର୍କ କରିଥିଲେ।
ଜଣେ ଯୁବ ଛାତ୍ରଙ୍କ ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ବାରିକ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ମଙ୍ଗଳବାର ଅଧିକ ତଥ୍ୟ ମିଳିପାରିବ।
କଲେଜ ନିର୍ବାଚନ ସମୟରେ ଜଣେ ଛାତ୍ରଙ୍କ ଏଭଳି ଅକାଳ ବିୟୋଗ ସହପାଠୀ ଓ ଛାତ୍ର ମହଲରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।