Action Against Child Marriage: ବାଲ୍ୟବିବାହ ବିରୋଧୀ ଅଭିଯାନ ଜୋରଦାର, ୪୭୬ ମାମଲା ରୁଜୁ; ୫୫୭ ଗିରଫ

Oct 29, 2026 - 14:26
Action Against Child Marriage: ବାଲ୍ୟବିବାହ ବିରୋଧୀ ଅଭିଯାନ ଜୋରଦାର, ୪୭୬ ମାମଲା ରୁଜୁ; ୫୫୭ ଗିରଫ

ଆସାମରେ ବାଲ୍ୟବିବାହ ବିରୋଧରେ ରାଜ୍ୟ ସରକାରଙ୍କ ଅଭିଯାନ ଜାରି ରହିଛି।

ଚଳିତ ବର୍ଷ ଏହି ଅଭିଯାନରେ ଏଯାଏଁ ୪୭୬ଟି ମାମଲା ରୁଜୁ ହୋଇଥିବା ବେଳେ ୫୫୭ ଜଣଙ୍କୁ ଗିରଫ କରାଯାଇଛି।

ଗତ ୨୦୨୪ ମସିହାର ଅଭିଯାନ ତୁଳନାରେ ଚଳିତ ବର୍ଷ ଅଧିକ ମାମଲା ରୁଜୁ ହେବା ସହ ଅଧିକ ଗିରଫଦାରୀ ହୋଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ତଥ୍ୟ ପ୍ରକାଶ କରିଛନ୍ତି।

Advertisment ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ରେ ବାଲ୍ୟବିବାହ ସଂକ୍ରାନ୍ତରେ ୩୬୩ଟି ମାମଲା ରୁଜୁ ହୋଇଥିଲା ଏବଂ ୪୩୨ ଜଣ ଗିରଫ ହୋଇଥିଲେ।

କିନ୍ତୁ ଚଳିତ ବର୍ଷ ଏଯାଏଁ ଗତବର୍ଷ ତୁଳନାରେ ୧୧୩ଟି ଅଧିକ ମାମଲା ରୁଜୁ ହୋଇଛି ଏବଂ ୧୨୫ ଜଣ ଅଧିକ ଗିରଫ ହୋଇଛନ୍ତି।

୨୦୨୩ରୁ ଆସାମ ସରକାର ବାଲ୍ୟବିବାହ ରୋକିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ।

ଏହି ଅଭିଯାନରେ ବିଭିନ୍ନ ଜିଲ୍ଲାରେ ପୁଲିସ ମାମଲା ରୁଜୁ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ବାଲ୍ୟବିବାହ ବିରୋଧୀ ଅଭିଯାନ ପ୍ରତିବର୍ଷ ଚାଲୁ ରହିଛି।

ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିଛି ଏବଂ ୫୦୦ରୁ ଅଧିକ ଲୋକ ଗିରଫ ହୋଇସାରିଛନ୍ତି।

ଆଗକୁ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି।

ଆସାମରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ଭାବେ ଦୂର ନହେବା ପର୍ଯ୍ୟନ୍ତ ସରକାରଙ୍କ ଏହି ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।

Advertisment ଅନ୍ୟପଟେ, ସରକାରଙ୍କ ଆକଳନ ଅନୁଯାୟୀ, ବାଲ୍ୟବିବାହ ବିରୋଧୀ ଅଭିଯାନରେ କିଛି ଅଞ୍ଚଳରେ ଉଲ୍ଲେଖନୀୟ ହ୍ରାସ ଦେଖାଯାଇଛି।

୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ୨୦ଟି ଜିଲ୍ଲାର ୧,୧୩୨ଟି ଗାଁରେ ବାଲ୍ୟବିବାହ ଘଟଣା ୮୧ ପ୍ରତିଶତ ହ୍ରାସ ପାଇଥିବା ଏକ ଆକଳନରେ ଦର୍ଶାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।