Affordable air conditioner: ୨ ହଜାର ଟଙ୍କାରେ AC! VSSUT ପ୍ରଫେସରଙ୍କ ‘ଟେରାକୋଲ୍ଡ’ ଘରକୁ କରିବ ଥଣ୍ଡା

Aug 15, 2026 - 11:26
Affordable air conditioner: ୨ ହଜାର ଟଙ୍କାରେ AC! VSSUT ପ୍ରଫେସରଙ୍କ ‘ଟେରାକୋଲ୍ଡ’ ଘରକୁ କରିବ ଥଣ୍ଡା

ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ୪୦ରୁ ୫୦ ହଜାର ଟଙ୍କା ନହେଲେ ଏସିଟେ ମିଳୁନଥିବା ବେଳେ ମାତ୍ର ୨ ହଜାର ଟଙ୍କାରେ ଏସି। ଆପଣ ଭାବୁଥିବେ ୨ ହଜାର ଟଙ୍କାରେ କୁଲରଟେ ମିଳୁନି, ଇଏ ପୁଣି ଏସି ଦେବେ। କିନ୍ତୁ ତାହା ନିରାଟ ସତ। ସମ୍ବଲପୁର ଭିସୁଟ ମେକାନିକାଲ ଇଂଜିନିୟରିଂ ଡିପାର୍ଟମେଣ୍ଟର ଜଣେ ସହକାରୀ ପ୍ରଫେସର ତିଆରି କରିଛନ୍ତି ଏମିତି ଏକ ଏସି। ମାତ୍ର ୨ ହଜାର ଟଙ୍କା ଖର୍ଚ୍ଚରେ ଘର ପୂରା ଥଣ୍ଡା ହୋଇଯିବ। 

‘ଟେରାକୋଲ୍ଡ’ ନାମକ ଏହି ଏସି ଖରାଦିନେ ଘରକୁ ଥଣ୍ଡା ଏବଂ ଶୀତଦିନେ ଉଷୁମ ରଖିପାରିବ ବୋଲି ପ୍ରଫେସର ଦାବି କରିଛନ୍ତି। ‘ଟେରା’ ଏକ ଲାଟିନ ଶବ୍ଦ ଯାହାର ଅର୍ଥ ମାଟି ଏବଂ ‘କୋଲ୍ଡ’ ଅର୍ଥ ଥଣ୍ଡା। ମାଟି ତଳର ତାପମାତ୍ରାକୁ ବ୍ୟବହାର କରି ଘରକୁ ଥଣ୍ଡା ରଖିବାର ମେକାନିଜିମ ଉପରେ ଏହା ତିଆରି ହୋଇଛି। ପୁରୁଣା ଯନ୍ତ୍ରାଂଶରୁ ତିଆରି ହୋଇଛି ଏହି ନିଆରା ଏସି। ପ୍ରଫେସରଙ୍କ କହିବା ଅନୁସାରେ, ମାଟିର ପ୍ରାୟ ୩ ଫୁଟ୍ ତଳକୁ ଗଲେ ତାପମାତ୍ରା ଅପେକ୍ଷାକୃତ କମ୍ ରହିଥାଏ।

ତେଣୁ ବାହାରର ତାପମାତ୍ରା ମାଟିତଳ ତାପମାତ୍ରାକୁ ସିଧାସଳଖ ପ୍ରଭାବିତ କରିପାରେ ନାହିଁ। ହିଟ୍ ଟ୍ରାନ୍ସଫର୍ ଟେକ୍ନୋଲୋଜିରେ କଣ୍ଡକ୍ସନ୍ ଓ କନଭେକ୍ସନ୍ ପ୍ରକ୍ରିୟାକୁ ବ୍ୟବହାର କରାଯାଇଛି। ପୁରୁଣା ଲୁହା ଓ ପ୍ଲାଷ୍ଟିକ୍ ପାଇପ୍ ସହ ଏକଜଷ୍ଟ ଫ୍ୟାନ୍ ବ୍ୟବହାର କରି ଏହା ପ୍ରସ୍ତୁତ ହୋଇଛି। ମାଟି ଭିତରେ ମେଟାଲ୍ ପାଇପ୍ ଖଞ୍ଜାଯାଇଛି। ଫ୍ୟାନ୍ ଦ୍ୱାରା ଗରମ ପବନ ପାଇପ୍ ଦେଇ ଯିବା ସମୟରେ ମାଟି ସେହି ତାପକୁ ଶୋଷି ନେଇଥାଏ। ଫଳରେ ଘର ଭିତରକୁ ଅପେକ୍ଷାକୃତ ଥଣ୍ଡା ପବନ ପହଞ୍ଚି ଥାଏ ବୋଲି ପ୍ରଫେସର କହିଛନ୍ତି । ଏହାକୁ ପ୍ରସ୍ତୁତ କରିବାରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ୫ ଜଣ ଛାତ୍ର ସହଯୋଗ କରିଛନ୍ତି ।  

ଏବେ ଏହା ପରୀକ୍ଷାମୂଳକ ସ୍ଥିତିରେ ଥିବା ବେଳେ ବଜାରକୁ ଆସିବାକୁ ଆଉ କିଛି ଦିନ ସମୟ ଲାଗିବ। ତେବେ ବଜାରରେ ଉପଲବ୍ଧ ହେଲା ପରେ ଏହା ଗରିବ ଲୋକଙ୍କ ପାଇଁ ବରଦାନ ସଦୃଶ ହେବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।