Afghanistan Suffer Shock Defeat Against Nepal: ଏସିଆନ୍ ଗେମ୍ସରେ ବଡ଼ ବିପର୍ଯ୍ୟୟ, ଆଫଗାନିସ୍ତାନକୁ ହରାଇଲା ନେପାଳ
ଏସିଆନ୍ ଗେମ୍ସ କ୍ରିକେଟ୍ରେ ବଡ଼ ଓଲଟପାଲଟ । ଆଫଗାନିସ୍ତାନକୁ ୫ ୱିକେଟ୍ରେ ହରାଇ କ୍ୱାର୍ଟରଫାଇନାଲ୍ ଯୋଗ୍ୟତା ଦୌଡ଼କୁ ରୋଚକ କରିଦେଇଛି ନେପାଳ । ଶୁକ୍ରବାର କୋରୋଗି ସ୍ପୋର୍ଟସ୍ ପାର୍କରେ ଗ୍ରୁପ୍-ଏ’ର ମ୍ୟାଚ୍ରେ ଆଫଗାନିସ୍ତାନକୁ ମାତ୍ର ୧୦୨ ରନ୍ରେ ଅଟକାଇ ଦେଇଥିଲା ନେପାଳ । ଆଫଗାନିସ୍ତାନ ପକ୍ଷରୁ ଫୈସଲ୍ ଶିନୋଜାଦା ଓ ନଜିବୁଲ୍ଲା ଜାଦ୍ରାନ୍ ୩୦ ରନ୍ ଲେଖାଏଁ କରିଥିଲେ । ନେପାଳର କୁଶଲ ଭୁର୍ତେଲ୍ ୪ଟି ଏବଂ ଲଳିତ ରାଜବଂଶୀ ୩ଟି ୱିକେଟ୍ ନେଇ ଆଫଗାନିସ୍ତାନର ରନ୍ ଗତିକୁ ରୋକିଥିଲେ ।
୧୦୩ ରନ୍ର ଲକ୍ଷ୍ୟ ପିଛା କରି ନେପାଳ ମଧ୍ୟ ଆରମ୍ଭରେ ଝଟକା ଖାଇଥିଲା । ମାତ୍ର ୩୧ ରନ୍ରେ ୩ଟି ୱିକେଟ୍ ହରାଇଥିଲା ଦଳ । ଏହାପରେ ସୁନ୍ଦୀପ ଜୋରା ଓ ରୋହିତ ପୌଡେଲ୍ ଦାୟିତ୍ୱ ନେଇଥିଲେ । ସୁନ୍ଦୀପ ୩୪ ରନ୍ କରିଥିବା ବେଳେ ରୋହିତ ଅପରାଜିତ ୩୩ ରନ୍ କରିଥିଲେ । ଶେଷ ଆଡ଼କୁ ଅଧିନାୟକ ଦୀପେନ୍ଦ୍ର ସିଂହ ଆରୀଙ୍କ ୧୫ ରନ୍ ଦଳକୁ ବିଜୟ ନିକଟରେ ପହଞ୍ଚାଇଥିଲା । ଶେଷରେ ଗୁଲସନ ଝାଙ୍କ ଏକ ରନ୍ ସହ ନେପାଳ ୫ ୱିକେଟ୍ରେ ବିଜୟ ହାସଲ କରିଛି ।
ଏହି ପରାଜୟ ପରେ ଆଫଗାନିସ୍ତାନର ୨ଟି ମ୍ୟାଚ୍ରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ରହିଛି । ତଥାପି ଭଲ ନେଟ୍ ରନ୍ରେଟ୍ ଯୋଗୁଁ ଦଳ ଗ୍ରୁପ୍-ଏ’ରେ ଶୀର୍ଷରେ ରହିଛି । ନେପାଳ ଏବେ ଗୋଟିଏ ବିଜୟ ସହ ଜାପାନ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ । ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ ଏବଂ ପ୍ରତି ଗ୍ରୁପ୍ର ଶୀର୍ଷ ଦୁଇ ଦଳ କ୍ୱାର୍ଟରଫାଇନାଲ୍କୁ ଯିବେ ।
Nepal begin their Asian Games campaign with a stunning victory over Afghanistan 🤩
— ICC (@ICC) September 25, 2026
📝: https://t.co/JR6d8NTD2fpic.twitter.com/lRCwCu2k7R
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।