Agriculture: ୫୦୦ରୁ ଊର୍ଦ୍ଧ୍ବ ସମିତିର ୮ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ: ମୁଖ୍ୟମନ୍ତ୍ରୀ

Sep 25, 2026 - 18:12
Agriculture: ୫୦୦ରୁ ଊର୍ଦ୍ଧ୍ବ ସମିତିର ୮ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ: ମୁଖ୍ୟମନ୍ତ୍ରୀ

"ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜି ମୁଖ୍ୟମନ୍ତ୍ରୀ ୩୨୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀମାନଙ୍କୁ ଲାଭାଂଶ ପ୍ରଦାନ କରିଛନ୍ତି।

ଏହି ପ୍ରକ୍ରିୟାରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ।Advertisment "ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା  ବୋଲି ଆଜି PACS ଓ LAMPCS ର ମେଗା ମେମ୍ବରସିପ୍ ଡ୍ରାଇଭ୍ "ସମ୍ବନ୍ଧ"ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 'ସମ୍ବନ୍ଧ' କେବଳ ଗୋଟିଏ ଯୋଜନାର ଶୁଭାରମ୍ଭ ନୁହେଁ, ବରଂ ଏହା ସରକାର ଏବଂ ରାଜ୍ୟର ପ୍ରତ୍ୟେକ ଚାଷୀ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ।

ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଚାଷୀଙ୍କ ଜୀବନରେ ଏହା ଏକ ନୂତନ ଫର୍ଦ୍ଦ ଯୋଡ଼ିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ବିପୁଳ ସଂଖ୍ୟାରେ PACS ଓ LAMPCSରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ।

ସେ ପୁଣି କହିଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ସହକାର୍ ସେ ସମୃଦ୍ଧି" ଆହ୍ୱାନ ଏବଂ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନକୁ ପାଥେୟ କରି ଓଡ଼ିଶା ଆଜି ଭାରତର ପ୍ରଥମ ରାଜ୍ୟ ଭାବେ ନିଜର "ସମବାୟ ନୀତି ୨୦୨୬" ପ୍ରଣୟନ କରିଛି।

ଏହି ନୂତନ ନୀତି ଅଧୀନରେ PACS ଓ LAMPCS ଗୁଡ଼ିକୁ କେବଳ ଋଣ ପ୍ରଦାନ ମଧ୍ୟରେ ସୀମିତ ନରଖି ଗ୍ରାମାଞ୍ଚଳର "ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍" ସେଣ୍ଟରରେ ପରିଣତ କରାଯାଉଛି।

ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା MSP ପ୍ରଦାନ କରାଯାଉଥିବା ବେଳେ ଗୋଟିଏ ଛାତ ତଳେ ସାର, ବିହନ, ଆଧୁନିକ କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଯୋଗାଇ ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି ନୂତନ Consumer Store, ୭୦ଟି ପ୍ୟାକ୍ସର  ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର, ୨୧ଟି ପ୍ୟାକ୍ସରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ୪ଟି ଆଦର୍ଶ ମଣ୍ଡି  ଏବଂ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ୩ଟି ଶସ୍ୟ ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମବାୟ ସମିତିଗୁଡ଼ିକର କାର୍ଯ୍ୟଶୈଳୀକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ National PACS Software ମାଧ୍ୟମରେ କୋର୍ ବ୍ୟାଙ୍କିଙ୍ଗ୍ ଓ ରିଅଲ-ଟାଇମ ସେଟେଲମେଣ୍ଟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏହିକ୍ରମରେ ୩୦୦ଟି ପ୍ୟାକ୍ସରେ NLPS ମାଧ୍ୟମରେ ଅନ୍‌ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ରାଜ୍ୟର ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ପ୍ରଦାନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଖୁ ଚାଷୀମାନଙ୍କୁ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ଉନ୍ନତମାନର ଆଖୁ ବିହନ ଯୋଗାଇବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।