AgriStack Registration Sparks Land Division Fear: ଆଗ୍ରିଷ୍ଟାକ୍ ବଢ଼ାଇଛି ଜମି ଭାଗ ଭୟ, ଚାଷୀ ପରିବାରରେ ବଢୁଛି ଟେନସନ୍

Aug 13, 2026 - 19:54
AgriStack Registration Sparks Land Division Fear: ଆଗ୍ରିଷ୍ଟାକ୍ ବଢ଼ାଇଛି ଜମି ଭାଗ ଭୟ, ଚାଷୀ ପରିବାରରେ ବଢୁଛି ଟେନସନ୍

ଚାଷୀ ପଞ୍ଜିକରଣ ପାଇଁ ଆଗ୍ରିଷ୍ଟାକ୍ ବ୍ୟବସ୍ଥା ଯେତିକି ଚିନ୍ତା ବଢ଼ାଇଛି, ସେତିକି ଅଡୁଆରେ ଛନ୍ଦିଛି ଚାଷୀ ପରିବାର ଗୁଡ଼ିକୁ। କାରଣ ବର୍ଷ ବର୍ଷ ଧରି ବାପା-ଜେଜେବାପା କିମ୍ବା ପୂର୍ବ ପୁରୁଷଙ୍କ ନାଁରେ ପଟ୍ଟା ଥିବା ଜମିକୁ ଚାଷ ବାସ କରି ଚଳିଆସୁଥିବା ପରିବାରକୁ ଏବେ ଘାରିଛି ବିଭାଜନର ଡର। ଭାଇ-ଭାଇ ଭିତରେ ଜମି ଭାଗ କରିବାକୁ ପଡ଼ିବ। ଯୌଥ ପରିବାର ବିଭାଜନ ହେବ। ଯାହାକୁ ନେଇ ଅନେକ ଚାଷୀ ପରିବାରରେ ଭାଳେଣି ପଡ଼ିଥିବାବେଳେ ରାଜ୍ୟବ୍ୟାପି ବି ତେଜିଛି ଅସନ୍ତୋଷ।

ଗଞ୍ଜାମ ଖଲ୍ଲିକୋଟର ସୁଧାକର ଦଳେଇ। ସୁଧାକରଙ୍କୁ ମିଶାଇ ଅଛନ୍ତି ୫ ଭାଇ। ଯେଉଁ ଜମିରେ ଚାଷବାସ କରି ୫ ଭାଇ ଚଳି ଆସୁଛନ୍ତି, ସେହି ଜମି ତାଙ୍କ ବାପାଙ୍କ ନାଁରେ ଅଛି। ହେଲେ ଦୁର୍ଭାଗ୍ୟ, ତାଙ୍କ ବାପା ଆଉ ଏ ଦୁନିଆରେ ନାହାଁନ୍ତି। ଏବେ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ତଥା ଆଗ୍ରିଷ୍ଟାକ୍ ଆଇଡି ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ପରେ ସୁଧାକର ଏବଂ ତାଙ୍କ ଭାଇ ମାନଙ୍କୁ ଘାରିଛି ଚିନ୍ତା। କାରଣ ୫ ଭାଇଙ୍କ ନାଁରେ ଜମି ପଟ୍ଟା ନଥିବାରୁ ଆଗ୍ରିଷ୍ଟାକ୍ ଆଇଡି ହୋଇପାରୁନି। ଆଗ୍ରିଷ୍ଟାକ୍ କରିବାକୁ ହେଲେ କୋର୍ଟ କଚେରୀ ଦୌଡ଼ି ଜମି ଭାଗ ସହ ନିଜ ନିଜ ନାଁରେ ପଟ୍ଟା କରିବା ପରେ ହିଁ ପଞ୍ଜିକୃତ ହୋଇପାରିବେ। ଯାହା ହଠାତ୍ ଅସମ୍ଭବ। ଆଉ ଏମାନେ ହେଲେ ଦେବଗଡ଼ ଜିଲ୍ଲାର ଚାଷୀ। ତାଙ୍କ କହିବା କଥା, ୩ ପୁରୁଷ ବିତିଗଲାଣି, ଜିଲ୍ଲାର ଅନେକ ସ୍ଥାନରେ ନା ଜମିବାଡ଼ି ଭାଗ ହୋଇଛି ନା ଏମାନଙ୍କ ନାଁରେ ପଟ୍ଟା ପାଉତି ଅଛି। ଫଳରେ ଆଗ୍ରିଷ୍ଟାକ୍ ବ୍ୟବସ୍ଥାରେ ପଞ୍ଜିକରଣରୁ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ ଆଣି ଏହାର ଉଛେଦ ଦାବି କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଦେବଗଡ଼ ଜିଲ୍ଲାର ଚାଷୀ। 

କେବଳ ଖଲ୍ଲିକୋଟ କି ଦେବଗଡ଼ ନୁହଁ। ଆଗ୍ରିଷ୍ଟାକ୍ ବ୍ୟବସ୍ଥାକୁ ନେଇ ରାଜ୍ୟବ୍ୟାପି ତେଜୁଛି ଚାଷୀ ଅସନ୍ତୋଷ। ଗୁଣୁପୁରରେ ଗର୍ଜିଛି ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ। ଉପ ଜିଲ୍ଲାପାଳ ଅଫିସ ସମୁଖରେ କରିଛି ଅନଶନ। ଚାଷୀ ପଞ୍ଜୀକରଣରେ ଆଗ୍ରିଷ୍ଟାକ୍ ଏବଂ ପଟ୍ଟା ବ୍ୟବସ୍ଥା ବିରୋଧରେ ସମ୍ବଲପୁରରେ ତେଜିଛି ଚାଷୀ ଆନ୍ଦୋଳନ। ଧାର୍ଯ୍ୟ ନିଷ୍ପତ୍ତି ଅନୁଯାୟୀ, ଆଜି ପ୍ରତୀକାତ୍ମକ ପ୍ରତିବାଦ ସ୍ୱରୂପ ସେବା ସମବାୟ ସମିତିରେ ତାଲା ପକାଇଥିଲେ ଚାଷୀ। ସେପଟେ କୁଚିଣ୍ଡାରେ ବି ଆଗ୍ରିଷ୍ଟାକ ପ୍ରତ୍ୟାହାର ଦାବି ନେଇ ଲ୍ୟାମ୍ପସରେ ଚାଷୀ ତାଲା ପକାଇଦେଇଥିଲେ।  

ପୂର୍ବ ପୁରୁଷ କିମ୍ବା ବାପା-ମା’ଙ୍କ ନାଁରେ ଥିବା ଜମିବାଡ଼ିକୁ ଏବେ ଜୀବିତ ଥିବା ଉତ୍ତରାଧିକାରୀ ଯଦି ନିଜ ନାଁରେ ମାଲିକାନା ସତ୍ତ୍ୱ କରିବାକୁ ଚାହାଁନ୍ତି, ଏଥିପାଇଁ ସରକାରଙ୍କର ନିର୍ଦ୍ଧିଷ୍ଟ ବିଧି ବ୍ୟବସ୍ଥା ରହିଛି। ପ୍ରଥମେ RI ଅଫିସରେ ଆବେଦନ ଓ ପରେ ତହସିଲଦାରଙ୍କ ଦ୍ବାରା ଆବେଦନକାରୀ ଦାୟାଦଙ୍କ ନାଁରେ ଜମିପଟ୍ଟା ପ୍ରଦାନ ପରେ ଆଗ୍ରିଷ୍ଟାକ ପୋର୍ଟାଲକୁ ଯାଇ ସଂପୃକ୍ତ ଚାଷୀ ପଞ୍ଜିକରଣ କରିପାରିବେ। ପରିଣାମ ସ୍ବରୂପ ଭାଇ-ଭଉଣୀ କିମ୍ବା ଉତ୍ତରାଧିକାରୀଙ୍କ ମଧ୍ୟରେ ଜମି ଭାଗବଣ୍ଟାର ଚିନ୍ତା ବଢିଥିବାବେଳେ ଯୌଥ ପରିବାରରେ ବିଭାଜନର ଆଶଙ୍କା ଘାରିଛି। ତେବେ ସମ୍ବଲପୁର ରେମେଡ୍ ସମ୍ପାଦକଙ୍କ କହିବା କଥା, ୨ ଦିନ ପୂର୍ବରୁ ସରକାର ନିୟମରେ ପରିବର୍ତ୍ତନ ଆଣିଛନ୍ତି। ବିନା ଜମି ପଟ୍ଟାରେ ମଧ୍ୟ ଚାଷୀ ପୂର୍ବଭଳି ପଞ୍ଜିକରଣ କରିପାରିବେ। ପୂର୍ବ ପୁରୁଷଙ୍କ ନାଁରେ ଥିବା ପଟ୍ଟା ଆଧାରରେ ପଞ୍ଜିକରଣ କରି ଧାନ ବିକିପାରିବେ। ଆଗ୍ରିଷ୍ଟାକ୍ ସହ ଧାନବିକ୍ରିର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।

ରୁଆ ବେଉଷଣ ସମୟରେ ଆଗ୍ରିଷ୍ଟାକ୍ ଝିନଝଟ୍ ଭିତରେ କେବେ ଏବଂ କେମିତି ଏହାର ସରଳୀକରଣ ହେଉଛି ଏବଂ ଆଗକୁ ଚାଷୀଙ୍କ ଦ୍ବାରା କେତେ ଆଦୃତ ହେଉଛି, ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।