Ahe Nilashaila: ‘ଆହେ ନୀଳଶଇଳ’ର ୩୮ତମ ସୋ’ ପ୍ରଦର୍ଶନ ସମାରୋହ: ପ୍ରତିକୂଳ ପାଗ ସତ୍ତ୍ୱେ ଛୁଟିଲା ଦର୍ଶକଙ୍କ ସୁଅ
"ଭୁବନେଶ୍ୱର: ଓଡ଼ିଆ ଜାତିର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ସବୁକାଳେ ରହସ୍ୟମୟ।
କେତେବେଳେ ସେ ଓଡ଼ିଆ ଜାତିର ସ୍ବାଭିମାନ ରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ତ କେତେବେଳେ ତାଙ୍କୁ ସୁରକ୍ଷା ଦେବାକୁ ଓଡ଼ିଆ ଜାତି କେତେ ତତ୍ପର, ତାହାର ପରୀକ୍ଷା ନେଇଛନ୍ତି।
ମୋଗଲ ଶାସନ କାଳରେ ଏମିତି ଏକ ଘଟଣାକ୍ରମରେ ଗଜପତି ମହାରାଜ ରାମଚନ୍ଦ୍ର ଦେବଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଜଗନ୍ନାଥ ଆଗ ନା ଧର୍ମ ଆଗ?
ଏହି ଜଟିଳ ସ୍ଥିତିର ମୁକାବିଲା କରିଥିଲେ ଗଜପତି ରାମଚନ୍ଦ୍ର ଦେବ।
ତେବେ ସ୍ବାଭାବିକ ଭାବେ ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ଯାଇ ଗଜପତି ରାମଚନ୍ଦ୍ର ଦେବ ନିଜ ଧର୍ମ ତ୍ୟାଗ କରିଥିଲେ।
ସବୁଦିନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିବାର ଅଧିକାର ହରାଇଥିଲେ ବି ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ସେ ଚିରକାଳ ଓଡ଼ିଆ ଜାତି ପାଇଁ ଅମର ହୋଇଗଲେ।
ରାମଚନ୍ଦ୍ର ଦେବଙ୍କ ଏହି ସଂଘର୍ଷର କାହାଣୀକୁ ନେଇ "ଚକଲେଟ୍ ପ୍ରଡକ୍ସନ୍ସ" ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ "ଆହେ ନୀଳଶଇଳ" ଦର୍ଶକଙ୍କୁ ଶିହରିତ କରିଥିଲା।Advertisment ଶହ ଶହ ଭକ୍ତ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ସମ୍ପର୍କିତ ନାଟକ ଦେଖିବା ପାଇଁ ଧାଇଁ ଆସିଥିଲେ।
ପ୍ରବଳ ବର୍ଷା ସତ୍ତ୍ୱେ ପ୍ରେକ୍ଷାଳୟ ଦର୍ଶକରେ ଭରିଯାଇଥିଲା।
ଜୟ ଜଗନ୍ନାଥ ଧ୍ବନିରେ ପ୍ରେକ୍ଷାଳୟ କମ୍ପାଇ ଦେଉଥିଲେ ଦର୍ଶକ।
ପଣ୍ଡାଙ୍କ ମଜାଳିଆ କଥାରେ ଦର୍ଶକ ହସୁଥିଲେ।
ଗଜପତି ମହାରାଜାଙ୍କ ଦୁଃଖରେ ଆଖିରୁ ଲୁହ ନିଗାଡ଼ୁଥିଲେ।
ମହାପ୍ରଭୁ ପୁନର୍ବାର ରତ୍ନ ସିଂହାସନକୁ ଯିବା ବେଳେ ଖୁସିରେ ଆତ୍ମହରା ହୋଇଯାଇଥିଲେ ଦର୍ଶକ।
ନାଟକର ୩୮ତମ ସୋ" ପ୍ରଦର୍ଶନ ସନ୍ଧ୍ୟାରେ ଭକ୍ତି ଓ ପ୍ରେମର ନିଆରା ନିଦର୍ଶନ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଅଭିନେତା ସୁକାନ୍ତ ରଥ, ନିର୍ଦ୍ଦେଶକ ଲାଲା ବୀରେନ ରାୟ ପ୍ରମୁଖ ଉପସ୍ଥିତ ଥିଲେ। "ସମ୍ବାଦ" ଓ "କନକ ନ୍ୟୁଜ୍"ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିଲେ।
ଆସନ୍ତା ୨୧ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ଏହି ନାଟକ ମଞ୍ଚସ୍ଥ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।