Ajay Devgn Announces Drishyam: ଦୃଶ୍ୟମ ଦ କନକ୍ଲୁଜନର ପ୍ରଥମ ପୋଷ୍ଟରରେ ଅଜୟଙ୍କ ଦମଦାର ଲୁକ୍; କଲେ ବଡ଼ ଘୋଷଣା, ଏହି ଦିନ ରିଲିଜ୍
ବଲିଉଡ୍ର ଲୋକପ୍ରିୟ ସସ୍ପେନ୍ସ-ଥ୍ରୀଲର୍ ଫ୍ରାଞ୍ଚାଇଜ୍ ‘ଦୃଶ୍ୟମ’କୁ ନେଇ ଆସିଛି ବଡ଼ ଖବର। ଫ୍ରାଞ୍ଚାଇଜର ତୃତୀୟ ତଥା ଶେଷ ଫିଲ୍ମର ଅଫିସିଆଲ୍ ଟାଇଟଲ୍ ଘୋଷଣା ହୋଇଛି। ଅଜୟ ଦେବଗନ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ବିଜୟ ସାଲଗାଓଁକର ଭୂମିକାରେ ଫେରୁଥିବା ବେଳେ ଫିଲ୍ମର ନାଁ ରହିଛି ‘ଦୃଶ୍ୟମ: ଦ କନକ୍ଲୁଜନ’।
ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର:
ଅଗଷ୍ଟ ୨୪ରେ ଅଜୟ ଦେବଗନ ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରି ଏହାର ଅଫିସିଆଲ୍ ଘୋଷଣା କରିଛନ୍ତି। ପୋଷ୍ଟରରେ ଅଜୟଙ୍କ ମୁହଁର କେବଳ ଅଧା ଅଂଶ ଏବଂ ଗୋଟିଏ ଆଖି ଦେଖିବାକୁ ମିଳୁଛି। ପୋଷ୍ଟରରେ ଲେଖାଯାଇଛି— ‘ମେରା ସତ, ମୋ ସହି, ସିର୍ଫ ମେରି ଫାମିଲି ହେ।’ ଏହି ଲାଇନ୍ ବିଜୟ ସାଲଗାଓଁକରଙ୍କ ଚରିତ୍ର ଏବଂ ପରିବାର ପାଇଁ ତାଙ୍କ ବିଚାରକୁ ପୁଣିଥରେ ସାମ୍ନାକୁ ଆଣିଛି।
ଫିଲ୍ମର ରିଲିଜ ତାରିଖ ଘୋଷଣା କରି ଅଜୟ ଦେବଗନ ଲେଖିଛନ୍ତି, ‘ପ୍ରତ୍ୟେକ ମଣିଷର ଦୃଷ୍ଟିକୋଣ ଅଲଗା। ମୋ ପାଇଁ ମୋ ପରିବାର ହିଁ ସବୁକିଛି।’ ଏହା ସହିତ ଏହି ଫିଲ୍ମ ୨ ଅକ୍ଟୋବର ୨୦୨୬ରେ ସିନେମା ହଲରେ ରିଲିଜ ହେବ।
ପୁଣି ଫେରିବେ ତବ୍ବୁ ଓ ଶ୍ରିୟା ସରନ:
‘ଦୃଶ୍ୟମ’ର ତୃତୀୟ ଭାଗରେ ପୁରୁଣା କଳାକାରଙ୍କ ସହ କିଛି ନୂଆ ମୁହଁ ମଧ୍ୟ ଦେଖିବାକୁ ମିଳିବ। ଅଜୟ ଦେବଗନ ବିଜୟ ସାଲଗାଓଁକର ଭାବେ ଫେରୁଥିବା ବେଳେ ତବ୍ବୁ ପୁଣିଥରେ IG ମୀରା ଦେଶମୁଖ ଏବଂ ଶ୍ରିୟା ସରନ ନନ୍ଦିନୀଙ୍କ ଭୂମିକାରେ ନଜର ଆସିବେ। ରଜତ କପୁର ମଧ୍ୟ ଫ୍ରାଞ୍ଚାଇଜିକୁ ଫେରୁଛନ୍ତି। ଏହାବ୍ୟତୀତ ପ୍ରକାଶ ରାଜ ଓ ଜୟଦୀପ ଅହଲାୱତ ନୂଆ ଚରିତ୍ରରେ କାଷ୍ଟରେ ସାମିଲ ହୋଇଛନ୍ତି।
ଅଭିଷେକ ପାଠକଙ୍କ ହାତରେ ନିର୍ଦ୍ଦେଶନା:
‘ଦୃଶ୍ୟମ: ଦ କନକ୍ଲୁଜନ’କୁ ଅଭିଷେକ ପାଠକ ନିର୍ଦ୍ଦେଶନା ଦେଉଛନ୍ତି। ଆମିଲ କିଆନ ଖାନ୍ ଓ ପରଭେଜ ଶେଖଙ୍କ ସହ ମିଶି ଅଭିଷେକ ପାଠକ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି। ଷ୍ଟାର ଷ୍ଟୁଡିଓଜ୍ ଓ ପାନୋରମା ଷ୍ଟୁଡିଓଜ୍ ବ୍ୟାନର୍ରେ ଏହି ଫିଲ୍ମ ନିର୍ମାଣ ହେଉଛି। ଆଲୋକ ଜୈନ, ଅଜିତ ଅନ୍ଧାରେ, କୁମାର ମଙ୍ଗତ ପାଠକ ଓ ଅଭିଷେକ ପାଠକ ଏହାର ପ୍ରଯୋଜକ ଅଛନ୍ତି।
କ’ଣ ହେବ ବିଜୟ ସାଲଗାଓଁକରଙ୍କ ଶେଷ ପରିଣତି?
‘ଦୃଶ୍ୟମ’ କାହାଣୀର କେନ୍ଦ୍ରରେ ରହିଛନ୍ତି ଗୋଆର ଜଣେ ସାଧାରଣ ପରିବାର ମ୍ୟାନ୍ ବିଜୟ ସାଲଗାଓଁକର। ପରିବାର ସହ ଘଟିଥିବା ଏକ ହତ୍ୟାକାଣ୍ଡ ପରେ ନିଜ ପରିବାରକୁ ଆଇନର ଜାଲରୁ ବଞ୍ଚାଇବା ପାଇଁ ବିଜୟ ଯେଉଁ ଯୋଜନା କରିଥିଲେ, ତାହା ହିଁ ଏହି ଫ୍ରାଞ୍ଚାଇଜିର ମୁଖ୍ୟ ଆକର୍ଷଣ।
ଏବେ ତୃତୀୟ ତଥା ଶେଷ ଭାଗରେ ବିଜୟଙ୍କ କାହାଣୀର ଅନ୍ତ କେଉଁଠି ହେବ, ତାହା ଦେଖିବାକୁ ଦର୍ଶକଙ୍କ ଉତ୍ସୁକତା ବଢ଼ିଛି। ଫିଲ୍ମର ଶୁଟିଂ ଶେଷ ହୋଇସାରିଥିବା ବେଳେ ବର୍ତ୍ତମାନ ଏହା ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟାୟରେ ରହିଛି।
Har insaan ka nazariya alag hota hai… mere liye meri family hi sab kuch hai.#DrishyamTheConclusion in cinemas 2nd October. #Tabu#ShriyaSaran#RajatKapoor@JaideepAhlawat@prakashraaj@AbhishekPathakk@KumarMangat#SanjeevJoshi#AlokJain@AndhareAjit@ishidutta#MrunalJadhav… pic.twitter.com/RqYZMnNAfD
— Ajay Devgn (@ajaydevgn) August 24, 2026
୨୦୧୫ରୁ ଆରମ୍ଭ ହୋଇଥିଲା ‘ଦୃଶ୍ୟମ’ର ଯାତ୍ରା:
ଅଜୟ ଦେବଗନଙ୍କ ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ପ୍ରଥମ ଫିଲ୍ମ ୨୦୧୫ରେ ରିଲିଜ ହୋଇଥିଲା। ଏହା ମୋହନଲାଲଙ୍କ ମଲୟାଲମ ଥ୍ରୀଲର୍ ‘ଦୃଶ୍ୟମ’ର ହିନ୍ଦୀ ରିମେକ୍ ଥିଲା। ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ପାଇବା ସହ ବକ୍ସ ଅଫିସ୍ରେ ପ୍ରାୟ ୧୧୦ କୋଟି ଟଙ୍କାର ବିଶ୍ୱବ୍ୟାପୀ ବ୍ୟବସାୟ କରିଥିଲା।
ଏହାପରେ ୨୦୨୨ରେ ‘ଦୃଶ୍ୟମ ୨’ ରିଲିଜ ହୋଇଥିଲା। ପ୍ରଥମ ଭାଗଠାରୁ ଆହୁରି ବଡ଼ ସଫଳତା ହାସଲ କରିଥିବା ଏହି ଫିଲ୍ମ ବିଶ୍ୱବ୍ୟାପୀ ପ୍ରାୟ ୩୪୨ କୋଟି ଟଙ୍କାର ବ୍ୟବସାୟ କରିଥିଲା।
ଏବେ ‘ଦୃଶ୍ୟମ: ଦ କନକ୍ଲୁଜନ’ ସହ ବିଜୟ ସାଲଗାଓଁକରଙ୍କ କାହାଣୀରେ ଶେଷ ପରଦା ପଡ଼ିବାକୁ ଯାଉଛି। ତେବେ ଏଥର ବିଜୟ ପୁଣି ଆଇନକୁ ଚକମା ଦେବେ ନା ତାଙ୍କ ପରିବାରର ରହସ୍ୟ ସାମ୍ନାକୁ ଆସିବ—ଏହା ଜାଣିବା ପାଇଁ ଦର୍ଶକଙ୍କୁ ଅକ୍ଟୋବର ୨, ୨୦୨୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।