Alia Bhatt Officially Joins Tumbbad 2: ତୁମ୍ବାଡ୍ ୨ର ବଡ଼ ଘୋଷଣା, ସୋହମ ଶାହ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ଯୋଗଦେଲେ ନାୟିକା

Jul 15, 2026 - 14:40
Alia Bhatt Officially Joins Tumbbad 2: ତୁମ୍ବାଡ୍ ୨ର ବଡ଼ ଘୋଷଣା, ସୋହମ ଶାହ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ଯୋଗଦେଲେ ନାୟିକା

ବହୁ ପ୍ରତୀକ୍ଷିତ ହରର-ଫାଣ୍ଟାସି ଫିଲ୍ମ 'ତୁମ୍ବାଡ୍ ୨ ଆସିବାକୁ ନେଇ ଦର୍ଶକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିଚାଲିଛି। ଏହାର ଦ୍ବିତୀୟ ଭାଗ ଆସିବା ନେଇ ଘୋଷଣା ହେବା ପରଠାରୁ ଏହି ଫିଲ୍ମ ଚର୍ଚ୍ଚାରେ ରହିଥିବା ବେଳେ ଏବେ ନିର୍ମାତାମାନେ ଏକ ବଡ଼ ସର୍ପ୍ରାଇଜ୍ ଦେଇଛନ୍ତି। ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ 'ତୁମ୍ବାଡ୍ ୨'ରେ ସାମିଲ ହୋଇଛନ୍ତି। ଏହାସହ ଫିଲ୍ମ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ପୁରୁଣା ଲୋକକଥା, ସୁନାର ଲୋଭର କାହାଣୀ ଏବଂ ରହସ୍ୟମୟ କିମ୍ବଦନ୍ତୀକୁ ଆଧାର କରି ନିର୍ମିତ 'ତୁମ୍ବାଡ୍' ଭାରତୀୟ ସିନେମାର ଏକ କଲ୍ଟ କ୍ଲାସିକ୍ ଫିଲ୍ମ ଭାବେ ପରିଚିତ। ଏହାର ଦ୍ୱିତୀୟ ଭାଗ 'ଟମ୍ବାଡ୍ ୨ ବର୍ତ୍ତମାନ ଭାରତୀୟ ସିନେମାର ସବୁଠାରୁ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟମାନଙ୍କ ମଧ୍ୟରେ ରହିଛି।

ସୋହମ ଶାହଙ୍କ ପ୍ରତ୍ୟାବର୍ତ୍ତନ ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଷ୍ଟାରକାଷ୍ଟରେ ସାମିଲ ହେବା ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାରି ମଧ୍ୟରେ ଆଲିଆ ଭଟ୍ଟ ମଧ୍ୟ ଏହି ପ୍ରୋଜେକ୍ଟର ଅଂଶ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ଏବେ ନିର୍ମାତାମାନେ ସେହି ଚର୍ଚ୍ଚାରେ ମୋହର ଲଗାଇ ଆଲିଆଙ୍କ ଏଣ୍ଟ୍ରିକୁ ଅଫିସିଆଲ୍ କରିଛନ୍ତି।

ମଙ୍ଗଳବାର ସୋହମ ଶାହ ନିଜ ଇନଷ୍ଟାଗ୍ରାମରେ ଆଲିଆ ଭଟ୍ଟଙ୍କ ସହ କିଛି ଫଟୋ ସେୟାର କରି ତାଙ୍କୁ 'ତୁମ୍ବାଡ୍ ୨'ରେ ସ୍ୱାଗତ କରିଥିଲେ। ସେ ପୋଷ୍ଟରେ ଲେଖିଥିଲେ, "ଏକ ନୂଆ ଅଧ୍ୟାୟର ଆରମ୍ଭ, ତୁମ୍ବାଡକୁ ସ୍ୱାଗତ, ୩ ଡିସେମ୍ବର ୨୦୨୭ରେ ସିନେମା ହଲରେ ଦେଖା ହେବ।"

ଏହା ସହ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ୩ ଡିସେମ୍ବର ୨୦୨୭ ବୋଲି ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ, ସୋହମ ଶାହ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ଆଲିଆ ଭଟ୍ଟ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନିଜର ବହୁମୁଖୀ ଅଭିନୟ ଓ ଭିନ୍ନଧରଣର ଚରିତ୍ର ବାଛିବା ପାଇଁ ପରିଚିତ ଆଲିଆଙ୍କ ଯୋଗଦାନ ଫିଲ୍ମର ରହସ୍ୟମୟ ଦୁନିଆକୁ ଏକ ନୂଆ ମୋଡ ଦେବ ବୋଲି ଆଶା କରାଯାଉଛି।

ବମ୍ବେ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଆଲିଆ କହିଛନ୍ତି, 'ତୁମ୍ବାଡ୍' ପ୍ରଥମ ଥର ଦେଖିବା ପରଠାରୁ ଏହା ମୋ ମନରେ ରହିଆସିଛି। ବହୁତ କମ୍ ଫିଲ୍ମ ଏଭଳି ଏକ ରହସ୍ୟମୟ ଦୁନିଆ, ଓ ପରୁଣା ଲୋକକଥା ଉପରେ ହୋଇଥାଏ। ଏବେ ତାହାର ଗୋଟିଏ ପାର୍ର୍ଟ ହେବା ମୋ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ। ସୋହମ ଓ ନୱାଜୁଦ୍ଦିନଙ୍କ ସହ କାମ କରିବାକୁ ମୁଁ ବହୁତ ଉତ୍ସାହିତ ଅଛି। 

ନିଜର ଚମତ୍କାର କାହାଣୀ, ଏବଂ ଲୋକକଥା ସହ ଫ୍ୟାଣ୍ଟାସିର ନିଆରା ମିଶ୍ରଣ ପାଇଁ 'ତୁମ୍ବାଡ୍' କଲ୍ଟ କ୍ଲାସିକ୍‌ର ମର୍ଯ୍ୟାଦା ହାସଲ କରିଥିଲା। ଫିଲ୍ମର ରି-ରିଲିଜ୍ ମଧ୍ୟ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏବେ ଆଲିଆ ଭଟ୍ଟଙ୍କ ଯୋଗଦାନ ସହ 'ତୁମ୍ବାଡ୍ ୨' ଏହି ଫ୍ରାଞ୍ଚାଇଜକୁ ଆହୁରି ବଡ଼ ପରିସର ଓ ନୂଆ ଉଚ୍ଚତାକୁ ନେବ ବୋଲି ଚଳଚ୍ଚିତ୍ର ପ୍ରେମୀମାନେ ଆଶା ରଖିଛନ୍ତି।

 
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।