Alternative World: ବିକଳ୍ପ ବିଶ୍ବ: ଦେଶ ଓ ଜାତିର ପରିଚୟ, ଜାତୀୟ ସଙ୍ଗୀତ, ପତାକା ଓ ଭାଷା
"ଭଗବାନପ୍ରକାଶ ଏବେ, ଆମ ଲୋକପ୍ରିୟ ସଙ୍ଗୀତ "ବନ୍ଦେ ମାରତମ୍"କୁ ଦେଢ଼ଶହ ବର୍ଷ ପୂରିଲା।
୨୦୨୫-୨୬ରୁ ଏହାକୁ ଜାତୀୟ ସଙ୍ଗୀତ ଭଳି ମର୍ଯ୍ୟାଦା ଦେବା ପାଇଁ ସାରା ଦେଶରେ ବିଚାର, ବିବାଦ, ଆଲୋଚନା, ସମାଲୋଚନା ଚାଲିଛି।
ବନ୍ଦେ ମାତରମ୍ ହେଉଛି ଆମ ଦେଶର ଜାତୀୟ ବା ରାଷ୍ଟ୍ରୀୟ ଗୀତ।
ତେଣୁ ଏବେ ଅନେକ ସାଧାରଣ ଲୋକ ସଂଶୟର ଶିକାର ହୋଇ ପ୍ରଶ୍ନ କରୁଛନ୍ତି ଯେ ତାହା ହେଲେ କ"ଣ ଆମର ଦି"ଟା ଜାତୀୟ ସଙ୍ଗୀତ ହୋଇଯିବ?
ପୁଣି "ଜନ ଗଣ ମନ" ବା ଆମ ଜାତୀୟ ସଂଗୀତ ଓ "ବନ୍ଦେ ମାତରମ୍" ବା ଆମ ଜାତୀୟ ଗୀତକୁ କେମିତି କେଉଁଠି କେତେବେଳେ ଗାନ କରାଯିବ ସେ ନେଇ ନୂଆ ସରକାରୀ ନିର୍ଦ୍ଦେଶ ଆସିବା ପରେ ସଂଶୟ ମଧ୍ୟ ବଢ଼ିଛି।
ଆମ ଜାତୀୟ ସଙ୍ଗୀତ "ଜନ ଗଣ ମନ"କୁ ନେଇ କେହି କେହି କହନ୍ତି ଯେ ଶାନ୍ତିନିକେତନକୁ ମହାତ୍ମା ଗାନ୍ଧୀଙ୍କୁ ସ୍ବାଗତ କରି ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ତାହା ଲେଖିଥିଲେ।
ଆଉ କେତେକ କହନ୍ତି, ଏହା ଭାରତ ଭ୍ରମଣରେ ଥିବା ଇଂରେଜ ମହାରାଜାଙ୍କୁ ସ୍ବାଗତ କରି ଲେଖାଯାଇଥିଲା।
କାରଣ ସେହି ବ୍ରିଟିସ ସାମ୍ରାଜ୍ୟର ସମ୍ରାଟ ଥିଲେ "ଭାରତ ଭାଗ୍ୟ ବିଧାତା"।
ରାଜାମାନେ ଶାସକ ଓ ହର୍ତ୍ତାକର୍ତ୍ତା ହୋଇଥିବାରୁ ସେମାନଙ୍କ ବନ୍ଦନା ମଧ୍ୟ ଏହିଭଳି କରାଯାଇଥାଏ।
ରବୀନ୍ଦ୍ରନାଥଙ୍କ ଜୀବଦ୍ଦଶାରେ ଏହି ସମାଲୋଚନା ସୃଷ୍ଟି ହୋଇଥିଲା।
କିନ୍ତୁ ବିଶ୍ବକବି ତାହାକୁ ସ୍ପଷ୍ଟ ଭାବେ ମନା କରିଥିଲେ।ଯେତେବେଳେ ଭାରତରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହେଲା, ସେତିକିବେଳେ ଲୋକଙ୍କୁ ଉଦ୍ବୁଦ୍ଧ କରିବାକୁ, ଦେଶପ୍ରେମର ଭାବ ଜାତ କରିବାକୁ ସଙ୍ଗୀତ ବା ଗୀତ ଲୋଡ଼ା ପଡ଼ିଲା।
ଏହି ପରିପ୍ରେକ୍ଷୀରେ, ବଙ୍ଗଳାର ଜଣେ ଲୋକପ୍ରିୟ କବି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଲେଖିଥିଲେ- ବନ୍ଦେ ମାରତମ୍ ଓ ଏହାପରେ ରବୀନ୍ଦ୍ରନାଥ ଠାକୁର ଲେଖିଥିଲେ- ଜନ ଗଣ ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା।
ସ୍ବାଧୀନତା ଆନ୍ଦୋଳନକୁ ଉଭୟ ଗୀତ ଶକ୍ତିଶାଳୀ ପ୍ରେରଣା ଯୋଗାଇଥିଲେ।
ସ୍ବାଧୀନତା ପରେ ପରେ ୧୯୫୦ ମସିହା ଜାନୁଆରି ୨୪ରେ ସେତେବେଳର ନବଗଠିତ ସଂବିଧାନ ସଭାର ଅଧ୍ୟକ୍ଷ ଡ.
ରାଜେନ୍ଦ୍ର ପ୍ରସାଦ "ବନ୍ଦେ ମାତରମ୍"କୁ "ଜନ ଗଣ ମନ" ସହିତ ସମାନ ମର୍ଯ୍ୟାଦା ଦେବା ପାଇଁ କହିଥିଲେ।
ଏହା ପୂର୍ବରୁ ୧୮୮୨ରେ କବି ବଙ୍କିମଚନ୍ଦ୍ର ତାଙ୍କ ରଚିତ ଲୋକପ୍ରିୟ ଉପନ୍ୟାସ- "ଆନନ୍ଦମଠ"ରେ ଏହାକୁ ସାମିଲ କରିଥିଲେ।
ସ୍ବାଧୀନତା ପୂର୍ବରୁ, ୧୯୦୫ରେ ବଙ୍ଗ ଭଙ୍ଗ ଆନ୍ଦୋଳନ ବେଳେ ଏହି ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା ଓ ସ୍ବଦେଶୀ ତଥା ଜାତୀୟତା ଆନ୍ଦୋଳନରେ ପ୍ରେରଣାର ସ୍ରୋତ ପାଲଟିଥିଲା।
ଭାରତରେ ଜାତୀୟ ସଂଗୀତର ସାରାଂଶ ହେଉଛି ଜାତୀୟତା, ବିବିଧତା ଓ ଏକତା।
ପାକିସ୍ତାନର ଜାତୀୟ ସଂଗୀତର ଅର୍ଥ ନୂତନ ରାଷ୍ଟ୍ର ଗଠନ ଓ ଧର୍ମରକ୍ଷା ଓ ପର୍ସିଆନ ସଂସ୍କୃତିର ସୁରକ୍ଷା।
ବାଂଲାଦେଶରେ ଜାତୀୟ ସଂଗୀତ ମା" ମାଟି, ଭାଷା, ସାଂସ୍କୃତିକ ଜାତୀୟତା ଓ ସ୍ବାଧୀନତା କଥା ଗାଇଥାଏ।
ବାଂଲାଦେଶରେ ଧର୍ମ ପରିବର୍ତ୍ତେ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି।
ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ବାରା ରଚିତ- ""ଆମାଦେର୍ ସୋନାର ବାଂଲା ଆମି ତୋମାୟେ ଭାଲବାସି"କୁ କରାଯାଇଥିଲା ସେ ଦେଶର ଜାତୀୟ ସଙ୍ଗୀତ।
ଜଣେ ବଙ୍ଗାଳୀ ହିନ୍ଦୁ ପ୍ରଥମ ଥର ପାଇଁ ଦୁଇଟି ପଡ଼ୋଶୀ ଦେଶର ଜାତୀୟ ସଙ୍ଗୀତକାର ହେଲେ।
ତେବେ, ସେ ଯାହା ହେଉ, ସ୍ବାଧୀନତାର ସାତ ବର୍ଷ ପରେ ଅର୍ଥାତ୍, ୧୯୫୪ ମସିହାରେ ପାକିସ୍ତାନରେ ଜାତୀୟ ସଙ୍ଗୀତ ରଚିତ ହେଲା ଓ ନାମ ରଖାଗଲା- "କୌମି ତରାନା"।
ଏଥିରେ ଇସଲାମ ଓ ମୁସଲିମ ଜାତୀୟତା ହେଲା ପାକିସ୍ତାନର ନୂତନ ପରିଚୟ।
ଅନ୍ୟ ପକ୍ଷରେ ଭାରତରେ ବହୁଧର୍ମୀ ଓ ବହୁଭାଷୀ ଏକତା ହେଲା ଏକ ସୂତ୍ରରେ ଦେଶକୁ ବାନ୍ଧି ରଖିବାର ଏକ ପ୍ରୟାସ।
ତେଣୁ ଆମ ଜାତୀୟ ସଙ୍ଗୀତରେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଦେବତା ନାହାନ୍ତି।କେତେକ କହନ୍ତି ଯେ ଆମ ଜାତୀୟ ସଙ୍ଗୀତର ପ୍ରଥମ ଧାଡ଼ିଟି ପ୍ରକୃତରେ "ଜନ ଗଣ ମନ" ନୁହେଁ।
ଏହାର ଆରମ୍ଭ ଧାଡ଼ିଟି- "ଭାରୋତୋ ଭାଗ୍ୟ ବିଧାତା"।
ଏହାକୁ କବିତାର ଶୀର୍ଷକ ଭାବେ ରଖାଯାଇଛି।
ଏହାକୁ ପ୍ରଥମେ ଗାଇଥିଲେ ରବୀନ୍ଦ୍ରନାଥ ଠାକୁରଙ୍କ ଝିଆରୀ ସରଳା ଦେବୀ ଚୌଧରାଣୀ।
ଜାନୁଆରି ୨୦ ତାରିଖ, ୧୯୫୦ ମସିହାରେ ସଂବିଧାନ ସଭା- "ଜନ ଗଣ ମନ"କୁ ରାଷ୍ଟ୍ରୀୟ ସଙ୍ଗୀତ ଭାବରେ ସ୍ବୀକୃତି ଦେଲେ। "ଜନ ଗଣ ମନ"ର ବହୁ ପୂର୍ବରୁ ବଙ୍କିମଚନ୍ଦ୍ର "ବନ୍ଦେ ମାରତମ୍" ଲେଖିଥିଲେ।
ପରେ ଏହାକୁ ତାଙ୍କ ଉପନ୍ୟାସ- "ଆନନ୍ଦମଠ"ରେ ସନ୍ନିହିତ କରିଥିଲେ (୧୮୯୨)।
ଏହାକୁ ଗାନ କରିବା ନେଇ କେତେକ ମୁସଲିମଙ୍କ ମତ ହେଲା ତାଙ୍କ ଧର୍ମରେ ପିତୁଳା ପୂଜା ନିଷିଦ୍ଧ ଏବଂ ମା"ଙ୍କୁ ଈଶ୍ବର ବୋଲି କୁହାଯାଏ ନାହିଁ।
ବନ୍ଦେ ମାତରମ୍ରେ ଦୁର୍ଗା ଓ ଲକ୍ଷ୍ମୀଙ୍କ ଭଳି ହିନ୍ଦୁ ଦେବଦେବୀଙ୍କ ବନ୍ଦନା କଥା ଉଲ୍ଲେଖ ଅଛି।
ଏହି କାରଣରୁ ୧୯୩୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ବାରା ବନ୍ଦେ ମାତରମ୍ କବିତାର ପ୍ରଥମ ଦୁଇଟି ପଦକୁ ଗାନ କରିବାର ନିଷ୍ପତ୍ତି ନିଆଯାଇଥିଲା।
ସ୍ବାଧୀନତା ଆନ୍ଦୋଳନରେ ବନ୍ଦେ ମାରତମ୍ର ଜନପ୍ରିୟତା ଦେଖି ଏହାକୁ ନେସନାଲ ଆନ୍ଥେମ୍ ବା ଜାତୀୟ ସଂଗୀତ ବୋଲି ନ କହି ନେସନାଲ ସଙ୍ଗ୍ ବା ଜାତୀୟ ଗୀତ ବୋଲି କୁହାଗଲା।
ଏ ସବୁ ଇତିହାସର କଥା।
ଦୁଇଟି ମହାନ ଗୀତ ଆମେ ପାଇଚେ ଏବଂ ଏହାର ମହତ୍ତ୍ବକୁ ହୃଦୟଙ୍ଗମ କରି ଆମେମାନେ ତତ୍ରୂପ ଆଚରଣ ଦେଖାଇବା ଉଚିତ।
ଜାତୀୟ ସଂଗୀତ କଥା ପଡ଼ିଛି ଯେତେବେଳେ, ଜାଣିବା କଥା ଯେ ପୃଥିବୀର ବିଭିନ୍ନ ଦେଶରେ ଲମ୍ବା ଓ ଛୋଟ ଜାତୀୟ ସଂଗୀତମାନ ରହିଛନ୍ତି।
କେହି କେହି କହନ୍ତି ଯେ ଜାତୀୟ ସଂଗୀତର ଭାଷା ସରଳ ହେବା ଦରକାର।
ତା"ର ସ୍ବର ଏମିତି ହେବା ଦରକାର ଯେମିତି ତାକୁ ସହଜରେ ଗାନ କରାଯାଇପାରିବ।
ସ୍ପେନ୍ର ଜାତୀୟ ସଙ୍ଗୀତରେ କେବଳ ଶବ୍ଦ ଅଛି- ସ୍ବର ନାହିଁ।
ଆଫ୍ରିକାର ନାଇଜେରିଆରେ ତିନିଟି ଶବ୍ଦ- ଆମେ ତୁମକୁ ସ୍ବାଗତ କରୁ, ସ୍ବାଗତ, ସ୍ବାଗତ।
ଏମିତି ଦେଶକେ ଫାଙ୍କ୍, ନଈକେ ବାଙ୍କ୍।
ଜାତୀୟ ସଙ୍ଗୀତ ବା ଜାତୀୟ ଗୀତ ଭଳି ସେମିତି ଜାତିର ଆଉ ଏକ ପରିଚୟ ହେଲା- ଜାତୀୟ ପତାକା।
ଭାରତରେ ଏହାର ନାମ ହେଲା ତ୍ରିରଙ୍ଗା।
ଏହା ତିନିଟି ରଙ୍ଗରେ ରଙ୍ଗାୟିତ।
ମଧ୍ୟ ଭାଗରେ ଶାନ୍ତିର ରଙ୍ଗ ଶ୍ବେତ ବର୍ଣ୍ଣ ଓ ତା" ଉପରେ ପ୍ରଗତିର ପ୍ରତୀକ ଅଶୋକ ଚକ୍ର।
ଅନ୍ୟ ରଙ୍ଗଗୁଡ଼ିକ ହେଲେ ସବୁଜ ଓ ନାରଙ୍ଗୀ।
ଏହି ରଙ୍ଗଗୁଡ଼ିକ ସତ୍ୟ, ଶାନ୍ତି, ପ୍ରଗତି ଚିହ୍ନ।
ଆମ ଜାତୀୟ ପତାକା ଉଡୁଥିବା ବେଳେ ଜୀବନର ନିରନ୍ତର ଯାତ୍ରାର ଜୟଗାନ ଶୁଭୁଥାଏ।
ଆମେରିକା ସ୍ବାଧୀନତା ସଂଗ୍ରାମର ପରେ ପରେ ଦେଶକୁ ୫୦ଟି ରାଜ୍ୟରେ ବିଭକ୍ତ କରାଯାଇଥିଲା।
ତେଣୁ ଆମେରିକା ଜାତୀୟ ପାତାକାରେ ୫୦ଟି ତାରକା ରହିଛନ୍ତି।
ଏଥିରୁ ସବୁ ରାଜ୍ୟ ପ୍ରେରଣା ପାଇଲେ।
ଆମେରିକା ଏକ ହୁଗୁଳା ରାଜ୍ୟ ସଂଘ ହୋଇଥିଲେ ହେଁ ଦୁର୍ବଳ ନୁହେଁ।
ସେ ଦେଶ ଆଜି ପୃଥିବୀର ଏକମାତ୍ର ସୁପର୍ପାୱାର।Advertisment ରାଷ୍ଟ୍ରୀୟ ସଙ୍ଗୀତ ଗାନ ସମୟରେ ନାଗରିକମାନେ କିପରି ଆଚରଣ ଓ ସମ୍ମାନ ପ୍ରଦର୍ଶନ କରିବେ, ସେ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଲମ୍ବା ପ୍ରୋଟକଲ, ଆଚରଣବିଧି ତିଆରି କରିଛନ୍ତି।
କିନ୍ତୁ ବଡ଼ କଥା ହେଲା ଜାତୀୟ ସଙ୍ଗୀତ ଗାନ କଲାବେଳେ ବା ଶୁଣିଲାବେଳେ ମନ ଦେଶପ୍ରେମ ଭାବ ଦ୍ବାରା ପୂରିଯାଏ।
ସେମିତି କୌଣସି ଜାତିର ଆଉ ଏକ ପରିଚୟ ହେଲା ତା"ର ଭାଷା।
ଭାରତରେ ଦେଶକୁ ଭାଷା ଭିତ୍ତିରେ ଛୋଟ ଛୋଟ ରାଜ୍ୟରେ ବିଭକ୍ତ କରାଗଲା।
କିନ୍ତୁ ଏହା ଦ୍ବାରା ଦେଶ ଓ ରାଜ୍ୟମାନେ ଦୁର୍ବଳ ହୋଇନାହାନ୍ତି।
୧୯୩୬ରେ ଆମ ରାଜ୍ୟ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ହେଲା।
ଯେଉଁ ଭାଷାକୁ ସ୍ବତନ୍ତ୍ର ଭାଷା ନୁହେଁ ବୋଲି କହି ହେୟ ମନେ କରାଯାଉଥିଲା, ସେହି ଭାଷା ଆଧାରରେ ପ୍ରଥମ ରାଜ୍ୟ ଗଠିତ ହେଲା ଏବଂ ଅଗାକୁ ସବୁ ରାଜ୍ୟ ଗଠିତ ହେବା ଲାଗି ବାଟ ଫିଟିଲା।
ଭାରତରେ ଥିବା ଆଞ୍ଚଳିକ ଭାଷାଗୁଡ଼ିକ ବହୁ ପ୍ରାଚୀନ, ତେଣୁ ଶାସ୍ତ୍ରୀୟ ମାନ୍ୟତା ପାଇଛି।
ତେଣୁ ହିନ୍ଦୀକୁ ରାଷ୍ଟ୍ର ଭାଷା ବୋଲି କୁହାଗଲା ବେଳେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ପ୍ରତିବାଦ କରୁଛନ୍ତି।
ସେମାନେ କହୁଛନ୍ତି ଯେ ଆମେ ଦିନ୍ଦୀ ଶିଖିବୁ, କିନ୍ତୁ ହିନ୍ଦୀଭାଷୀ ଲୋକେ ବି ଦକ୍ଷିଣୀ ଭାଷା ଶିଖନ୍ତୁ।
କୌଣସି ଭାଷାକୁ ଲଦି ଦିଅାଯିବା ଉଚିତ ନୁହେଁ।
ଏ ସବୁ ବିବାଦ ସତ୍ତ୍ବେ ଭାରତର ବୈଶିଷ୍ଟ୍ୟ ହେଲା ବିବିଧତା ଓ ବିବାଦ ଭିତରେ ଏକତା।
ପୃଥିବୀର ଅନ୍ୟ କୌଣସି ଦେଶରେ ଏଭଳି ଦେଖାଯାଏ ନାହିଁ।
ତେଣୁ କେହି କେହି ଭାରତକୁ ଏକ କ୍ଷୁଦ୍ର ପୃଥିବୀ ବୋଲି ମଧ୍ୟ କହନ୍ତି।
ପୃଥିବୀରେ ବିଭିନ୍ନ ରାଷ୍ଟ୍ର ପରିପ୍ରେକ୍ଷୀରେ ଅନେକତା ମଧ୍ୟରେ ଏକତା ପାଇଁ ହୋଇଥିବା ଉଦ୍ୟମ ସ୍ବରୂପ ଗଢ଼ା ହୋଇଥିଲା ମିଳିତ ରାଷ୍ଟ୍ରସଂଘ। "ୟୁନାଇଟେଡ୍ ନେସନ୍ସ" ବା ଜାତିସଂଘ ବିଶ୍ବ ମାନଚିତ୍ର ସହ ଏକ ବିଶ୍ବ ପତାକା ବ୍ୟବହାର କଲା।
ସେଇ ସମୟ ବେଳକୁ ଅନେକ ଦେଶ ବିଦେଶୀ ଶାସନର କବଳରେ ଥିଲେ।
ଏହା ପରେ ଛୋଟ, ବଡ଼ ଅନେକ ଦେଶ ସ୍ବାଧୀନତା ପାଇଲେ।
ସେଥିରୁ ଅନେକ ଦେଶ ସେମାନଙ୍କ ଶାସନ ପ୍ରଣାଳୀରେ ଗଣତନ୍ତ୍ର ଓ ପନ୍ଥ-ନିରପେକ୍ଷତା ଅନୁସରଣ କରିଥିଲେ ଏବଂ ନିଜ ନିଜର ପରିଚୟ ସୃଷ୍ଟି କରିଥିଲେ।
ରାଷ୍ଟ୍ରୀୟ ସଙ୍ଗୀତ ଗାନ ସମୟରେ ନାଗରିକମାନେ କିପରି ଆଚରଣ ଓ ସମ୍ମାନ ପ୍ରଦର୍ଶନ କରିବେ, ସେ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଲମ୍ବା ପ୍ରୋଟକଲ, ଆଚରଣବିଧି ତିଆରି କରିଛନ୍ତି।
କିନ୍ତୁ ବଡ଼ କଥା ହେଲା ଜାତୀୟ ସଙ୍ଗୀତ ଗାନ କଲାବେଳେ ବା ଶୁଣିଲାବେଳେ ମନ ଦେଶପ୍ରେମ ଭାବ ଦ୍ବାରା ପୂରିଯାଏ।
ସେମିତି ନିଜ ଦେଶର ଜାତୀୟ ପତାକାକୁ ସବୁଠାରୁ ଅଧିକ ଉଚ୍ଚରେ ଉଡ଼ାଇବା ଯେ କୌଣସି ଦେଶର ନାଗରିକମାନଙ୍କ କାମନା ରହିଥାଏ।
ଏ କଥା ଅନ୍ତର୍ଜାତୀୟ ଖେଳରେ ପଦକ ଜିଣୁଥିବା ଖେଳାଳିମାନେ କହନ୍ତି।
ସେମିତି ଭାଷା ମଧ୍ୟ ଜାତିର ପରିଚୟ ହୋଇଥିବାରୁ ଏହାକୁ ନେଇ ଅସ୍ମିତା ଓ ଏହାର ଅବମାନନାକୁ ନେଇ ପ୍ରତିବାଦ ଶୁଣାଯାଏ।
ଏହି ତିନି ପ୍ରସଙ୍ଗ ଅତି ସ୍ପର୍ଶକାତର, ତେଣୁ ଏହାକୁ ନେଇ ସରକାର ଯେତେବେଳେ କୌଣସି ନିଷ୍ପତ୍ତି ନିଅନ୍ତି, ତାହା ବିବାଦୀୟ ହୋଇପଡ଼େ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୭୦୨୭୦୧୭"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।