Ameen Injured in Road Accident: ଭୋରରେ ଭୟଙ୍କର ଦୁର୍ଘଟଣା, ଏଆର୍‌ ରହମାନଙ୍କ ପୁଅ ଏଆର୍‌ ଅମିନଙ୍କ ପୋର୍ସେ ସହ ୱାଗନ୍‌-ଆର୍‌ ଧକ୍କା

Aug 10, 2026 - 15:08
Ameen Injured in Road Accident: ଭୋରରେ ଭୟଙ୍କର ଦୁର୍ଘଟଣା, ଏଆର୍‌ ରହମାନଙ୍କ ପୁଅ ଏଆର୍‌ ଅମିନଙ୍କ ପୋର୍ସେ ସହ ୱାଗନ୍‌-ଆର୍‌ ଧକ୍କା

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରହମାନଙ୍କ ପୁଅ ତଥା ଗାୟକ ଏଆର୍‌ ଅମିନଙ୍କ ଦୁର୍ଘଟଣା ହୋଇଛି। ସୋମବାର ସକାଳେ ଚେନ୍ନାଇର ଗିଣ୍ଡି ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଅମିନ ଯାଉଥିବା ପୋର୍ସେ କାର୍‌ ସହ ଏକ ରାପିଡୋ ୱାଗନ୍‌-ଆର୍‌ର ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାରେ ବଡ଼ ଧରଣର କ୍ଷତି ହୋଇନଥିବା ଜଣାପଡ଼ିଛି। 

ଭୋର ପ୍ରାୟ ସାଢ଼େ ୩ଟାରେ ଦୁର୍ଘଟଣା:

ରିପୋର୍ଟ ଅନୁସାରେ, ସୋମବାର ଭୋର ପ୍ରାୟ ୩ଟା ୩୦ ମିନିଟ୍‌ରେ ଗିଣ୍ଡିର ଅଲିମ୍ପିଆ ଟେକ୍‌ ପାର୍କ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଅମିନ ତାଙ୍କ ବନ୍ଧୁ ଭାର୍ଗବଙ୍କ ସହ ଗିଣ୍ଡି ଆଡ଼କୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ୱାଗନ୍‌-ଆର୍‌ଟି ଏକ ସାଇଡ୍‌ ରୋଡ୍‌ରୁ ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ଅମିନଙ୍କ ପୋର୍ସେ ସହ ଧକ୍କା ହୋଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି। 

ଅମିନ ଓ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି:

ଧକ୍କା ଯୋଗୁଁ ଅମିନ ଓ ତାଙ୍କ ବନ୍ଧୁ ଭାର୍ଗବ ସାମାନ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ କାଭେରୀ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ଉଭୟଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ସେମାନେ ଘରକୁ ଫେରିଛନ୍ତି। ଅନ୍ୟପଟେ ୱାଗନ୍‌-ଆର୍‌ର ଚାଳକ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ କଳାଇଞ୍ଜର ସେଣ୍ଟେନାରୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ ସେ ମଧ୍ୟ ଘରକୁ ଫେରିଥିବା ରିପୋର୍ଟରେ କୁହାଯାଇଛି। 

ଦୁଇଟି ଗାଡ଼ି ଜବତ, ପୁଲିସର ତଦନ୍ତ:

ଘଟଣା ପରେ ଅଡ଼ୟାର ଟ୍ରାଫିକ୍‌ ଇନଭେଷ୍ଟିଗେସନ୍‌ ୱିଙ୍ଗ ପକ୍ଷରୁ ଦୁଇଟି ଗାଡ଼ିକୁ ଜବତ କରାଯାଇଛି। ଏନେଇ ମାମଲା ରୁଜୁ କରାଯାଇ ଦୁର୍ଘଟଣାର ପରିସ୍ଥିତି ଓ ଦାୟିତ୍ୱ ନେଇ ତଦନ୍ତ କରାଯାଉଛି। 

କିଏ ଏଆର୍‌ ଅମିନ?

ଏଆର୍‌ ଅମିନ ହେଉଛନ୍ତି ଏଆର୍‌ ରହମାନ ଓ ସାୟରା ବାନୋଙ୍କ ପୁଅ। ସେ ଛୋଟବେଳୁ ବାପାଙ୍କ ମାର୍ଗଦର୍ଶନରେ ସଙ୍ଗୀତ ସହ ଜଡ଼ିତ ହୋଇଥିଲେ। ୨୦୧୫ରେ ମଣିରତ୍ନମଙ୍କ ଫିଲ୍ମ ‘ଓ କାଧଲ କଣମଣି’ର ‘ମୌଲା ୱା ସଲ୍ଲିମ୍‌’ ଗୀତରେ ଶିଶୁ କଣ୍ଠଶିଳ୍ପୀ ଭାବେ ତାଙ୍କର ଡେବ୍ୟୁ ହୋଇଥିଲା।

ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଫିଲ୍ମ ଓ ସ୍ୱାଧୀନ ସଙ୍ଗୀତ ପ୍ରକଳ୍ପରେ କାମ କରିଛନ୍ତି। ୨୦୧୯ରେ ‘ସାଗୋ’ ସହ ସଙ୍ଗୀତ ପ୍ରଡକ୍ସନ୍‌ କ୍ଷେତ୍ରରେ ମଧ୍ୟ ପଦାର୍ପଣ କରିଥିଲେ। ନିକଟରେ ଜସଲିନ୍‌ ରୟାଲଙ୍କ ସହ ‘ଭିଗି ଭିଗି’ ଗୀତରେ ମଧ୍ୟ ସେ କାମ କରିଛନ୍ତି। ଏହି ଗୀତର ମ୍ୟୁଜିକ୍‌ ଭିଡିଓରେ ଦୁଲକର ସଲମାନ ଓ ମୃଣାଳ ଠାକୁର ନଜର ଆସିଥିଲେ।  ଏବେ ଦୁର୍ଘଟଣା ପରେ ଅମିନ ସୁରକ୍ଷିତ ଥିବା ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତିର ବିଷୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।