Ananya: ରାଣୀଙ୍କ ଲୁକ୍ରେ ଅନନ୍ୟା
କିଛି ଦିନ ତଳେ ମାଆ ଶ୍ରୀଦେବୀଙ୍କ 'ନାଗିନା' ଲୁକ୍ରେ ନଜର ଆସିଥିଲେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର।
ଏବେ ରାଣୀ ମୁଖାର୍ଜୀଙ୍କ 'ସାୱା ସାୱା' ଲୁକ୍କୁ ଅନୁକରଣ କରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ।
ଅନନ୍ୟାଙ୍କ ଏହି ଅବତାର ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଲିଉଡ୍ର ଲୋକପ୍ରିୟ ଫିଲ୍ମ 'କଭି ଖୁସି କଭି ଗମ୍'ର 'ସାୱା ସାୱା' ଗୀତରେ ରାଣୀଙ୍କ ବେଶଭୂଷା ଆଜି ବି ଅନେକଙ୍କ ପସନ୍ଦ ହୋଇ ରହିଥିବା ବେଳେ ଅନନ୍ୟା ସେହି ସ୍ମୃତିକୁ ପୁଣି ଥରେ ତାଜା କରିଛନ୍ତି।
ମୁମ୍ବାଇରେ ଆୟୋଜିତ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଅନନ୍ୟାଙ୍କୁ ରାଣୀଙ୍କ ଲୁକ୍ରେ ଦେଖି ସଭିଏଁ ଚକିତ ହୋଇଥିଲେ।
Advertisment ୨୦୦୧ରେ ମୁକ୍ତିଲାଭ କରିଥିବା 'କଭି ଖୁସି କଭି ଗମ୍' ଫିଲ୍ମ କେବଳ କାହାଣୀ ଓ କଳାକାରଙ୍କ ଅଭିନୟ ପାଇଁ ନୁହେଁ, ଫ୍ୟାସନ୍ ପାଇଁ ମଧ୍ୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ନେଇଛି।
ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ପିନ୍ଧିଥିବା ଚମକଦାର ଲେହେଙ୍ଗା ବେଶ୍ ଲୋକପ୍ରିୟ ହୋଇଥିଲା।
ଦୀର୍ଘ ବର୍ଷ ପରେ ଅନନ୍ୟା ସେହି ପୋଷାକରୁ ପ୍ରେରଣା ନେଇ ନିଜ ଲୁକ୍ ପ୍ରସ୍ତୁତ କରିଛନ୍ତି।
ଅନନ୍ୟା ଏହି ଚମକଦାର ଲେହେଙ୍ଗା ସହ ମ୍ୟାଚିଂ ବ୍ଲାଉଜ୍ ପିନ୍ଧିଥିଲେ।
ଏହା ସହ ହୀରାର ହାର, ଆକର୍ଷଣୀୟ କାନଫୁଲ ଓ ଆଙ୍ଗୁଠିରେ ମ୍ୟାଚିଂ ମୁଦି ପିନ୍ଧି ସେ ନିଜ ଷ୍ଟାଇଲ୍କୁ ସମ୍ପୂର୍ଣ୍ଣ କରିଥିଲେ।
କେଶ ଖୋଲା ରଖିବା ସହ ହାଲୁକା ମେକ୍ଅପ୍ରେ ସେ ବେଶ୍ ଆକର୍ଷଣୀୟ ଦିଶୁଥିଲେ।
ହାଲୁକା ଗୋଲାପି ଲିପ୍ଷ୍ଟିକ୍, ଗୋଲାପି ବ୍ଲସ୍ ଓ ଆଖିରେ ହାଲୁକା ଆଇସ୍ୟାଡୋ ତାଙ୍କ ଲୁକ୍କୁ ଆହୁରି ସୁନ୍ଦର କରିଥିଲା।
ଅନନ୍ୟା ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ପ୍ରଥମେ ଫିଲ୍ମରେ ରାଣୀ ପିନ୍ଧିଥିବା ପୋଷାକର କିଛି ଫଟୋ ସେୟାର୍ କରିଥିଲେ।
ପରେ ନିଜର ଏହି ନୂଆ ଲୁକ୍ର ଫଟୋ ପୋଷ୍ଟ କରିଥିଲେ।
ତାଙ୍କର ଏହି ଅନ୍ଦାଜ ପୁଣି ଥରେ ପୁରୁଣା ବଲିଉଡ୍ ଫ୍ୟାସନ୍ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇଛି।
ଅନନ୍ୟାଙ୍କ ଏହି ଲୁକ୍ ଦର୍ଶାଉଛି ଯେ ପୁରୁଣା ଫ୍ୟାସନ୍ ଟ୍ରେଣ୍ଡ୍ ସମୟ ସହ ନୂଆ ରୂପରେ ଫେରିପାରେ।
ରାଣୀଙ୍କ ଲୋକପ୍ରିୟ ଲୁକ୍କୁ ନିଜ ଶୈଳୀରେ ପୁନର୍ବାର ଉପସ୍ଥାପନ କରି ଅନନ୍ୟା ଏଥର ଦୀପାବଳି ପାର୍ଟିରେ ଫ୍ୟାସନ୍ପ୍ରେମୀଙ୍କୁ ଚମକାଇ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।