Andhra officials enter Kotia again: ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ: ମତଦାନ ପାଇଁ ଲୋକଙ୍କୁ ଉତ୍ସାହିତ କଲେ
ପଟାଙ୍ଗି/କୋରାପୁଟ: ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା-ଆନ୍ଧ୍ର। ଶୁକ୍ରବାର ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ କୋଟିଆ ଗସ୍ତ କରି ଆନ୍ଧ୍ର ନିର୍ବାଚନକୁ ବିରୋଧ କରିଥିଲେ। ଆନ୍ଧ୍ର ଗୋ-ବ୍ୟାକ୍ ନାରା ଦେଇ ତେଲୁଗୁ ଫଳକ ଭାଙ୍ଗିଥିଲେ। ଆନ୍ଧ୍ର ରାଜନୈତିକ ଦଳର ସମର୍ଥକ ଓ ପ୍ରଚାର ଗାଡ଼ିକୁ ଗାଁରୁ ତଡ଼ି ସୀମା ବାହାରେ ଛାଡ଼ିଥିଲେ। ଏ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ର ଅଧିକାରୀ ଦଳବଳ ସହ ଶନିବାର ପୁଣି କୋଟିଆରେ ପଶି ତେଲୁଗୁ ନାମଫଳକ ଲଗାଇବା ସହ ମତଦାନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିଛନ୍ତି।
ମତଦାନ ପାଇଁ ଲୋକଙ୍କୁ ଉତ୍ସାହିତ କଲେ
ବିଜେଡି କର୍ମୀ ଭାଙ୍ଗିଥିବା ଫଳକ ପୁଣି ଲଗାଇଲେ
କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରୀ ଗାଁରେ ଆନ୍ଧ୍ର ପ୍ରଶାସନ ପହଞ୍ଚି ପ୍ରବେଶ ପଥରେ ‘ସ୍ବାଗତମ୍ ପାଟୁଚେନରୁ’ ଲେଖାଥିବା ନାମଫଳକ ଲଗାଇଛି। ଓଡ଼ିଶାର ଫାଟୁସିନେରୀ ଗାଁକୁ ଆନ୍ଧ୍ର ପାଟୁଚେନରୁ ବୋଲି ନାମ ଦେଇଛି। ଶନିବାର ପୂର୍ବାହ୍ଣରେ ଆନ୍ଧ୍ର ଅଧିକାରୀ ଏହି ଗାଁକୁ ଆସି ସାପ୍ତାହିକ ହାଟରେ ଏମପିଟିସି ଓ ଜେଡପିଟିସି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କୁ ଉତ୍ସାହିତ କରିଥିଲେ। ସାଲୁରୁ ତହସିଲଦାର ଏମ୍. ସୁରେଶଙ୍କ ନେତୃତ୍ବରେ କୋଟିଆ ଆସିଥିବା ଏହି ଟିମ୍ରେ ମଣ୍ଡଳମ୍ ପରିଷଦ ଉନ୍ନୟନ ଅଧିକାରୀ ଜି. ପାର୍ବତୀ, ସାଲୁରୁ ରୁରାଲ ସିଆଇ ପି. ରାମକୃଷ୍ଣା, ଏସ୍ଏଚଓ ରବୀନ୍ଦ୍ର ରାଜୁଙ୍କ ସମେତ ବହୁ ସଂଖ୍ୟାରେ ଅଧିକାରୀ ଓ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ।
ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ଫାଟୁସିନେରୀ ଗାଁ ଚର୍ଚ୍ଚରେ ମତଦାନ କେନ୍ଦ୍ର କରିବ।
ଆନ୍ଧ୍ର ଫାଟୁସିନେରୀରେ ପାଣି ଟାଙ୍କି ସ୍ଥାପନ କରିବା ସହ ସମସ୍ତ ସରକାରୀ ଯୋଜନାରେ ଗାଁ ଲୋକଙ୍କୁ ସାମିଲ କରିଛି। ଅନ୍ୟପକ୍ଷରେ ଓଡ଼ିଶା ଗାଁରେ ରାସ୍ତା, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ସୋଲାର ପାନୀୟ ଜଳପ୍ରକଳ୍ପ, ସିମେଣ୍ଟ ଓ ପେଭର୍ ବ୍ଲକ୍ ରାସ୍ତା ନିର୍ମାଣ କରିଛି। ଲୋକେ ଆନ୍ଧ୍ର ସରକାରଙ୍କ ମନଲୋଭା ଯୋଜନା ହାତେଇବା ପାଇଁ ପଛାଉନାହାନ୍ତି। ଏପରି ସ୍ଥିତିରେ ଆନ୍ଧ୍ରର ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସୁପ୍ରିମକୋର୍ଟରେ ଆନ୍ଧ୍ର ପ୍ରଶାସନ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କୋଟିଆ ଗସ୍ତ କରି ଗାଁକୁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ କୋଟିଆରେ ରାତି କାଟିଛନ୍ତି।
କୋଟିଆରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ, ସାମିଲ ହେଲେ ୩ ବିଧାୟକ ଓ ପୂର୍ବତନ ସାଂସଦ
କୋରାପୁଟ: କୋଟିଆ ଆମ ଓଡ଼ିଶାର ଅଂଶ, ଆମ ଅଖଣ୍ଡତାର ପରିଚୟ। କୋଟିଆର ପରିଚୟ, ଅଧିକାର ଓ ସ୍ୱାଭିମାନର ସୁରକ୍ଷା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ। ଜୀବନ ଯିବ ପଛେ ଏ ମାଟିକୁ ଆମେ ଛାଡ଼ିବାନି। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ଦୃଢ଼ ବିରୋଧ କରାଯିବ। ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗସ୍ତ ଅବସରରେ କୋଟିଆ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ବୈଠକରେ ଏପରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଆନ୍ଧ୍ରର ମନମାନି ବିରୋଧରେ ବର୍ଷିଛନ୍ତି। କହିଛନ୍ତି, ଓଡ଼ିଶା ସରକାର କେବଳ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ହେବନି। ଗତ ସରକାର କୋଟିଆ ମାମଲାର ପରିଚାଳନା ପାଇଁ ଓକିଲ ଦେଇ ପାରିଲେନି। ପୁଣି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ପଦକ୍ଷେପ ନେବା ପରେ କୋରାପୁଟ ଜିଲ୍ଲାପାଳ ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛନ୍ତି। ଏହା ପୂର୍ବରୁ ମଧ୍ୟ କୋଟିଆ ପାଇଁ ସୁପ୍ରିମକୋର୍ଟରେ ମାମଲା ହୋଇଛି। କିଛି ସୁଫଳ ମିଳିନି। କେବଳ ମାମଲା କଲେ ହେବନି। ଦଳମତ ନିର୍ବିଶେଷରେ ସଭିଁଏ ଏକଜୁଟ ହୋଇ ନିର୍ବାଚନକୁ ଭଣ୍ଡୁର କରିବାକୁ ତାରା ଆହ୍ବାନ ଦେଇଛନ୍ତି।
ଏକଜୁଟ ହୋଇ ଆନ୍ଧ୍ରର ମତଦାନକୁ ବିରୋଧ ଲାଗି ତାରାଙ୍କ ଆହ୍ବାନ
କୋଟିଆ ଆମ ଅଖଣ୍ଡତାର ପରିଚୟ, ଜୀବନ ଗଲେ ବି ଛାଡ଼ିବାନି: କାଡାମ
ବୈଠକରେ ସ୍ଥାନୀୟ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ଉପସ୍ଥିତ ନେତାମାନେ କହିଥିଲେ କୋଟିଆ ଓଡ଼ିଶାର। ଶ୍ରୀଜଗନ୍ନାଥଙ୍କ ଉପରେ ଭରସା ରଖ। ଆନ୍ଧ୍ର ନିର୍ବାଚନରେ ସାମିଲ ହୁଅନି। ଆଲୋଚନା ପରେ ଆନ୍ଧ୍ର ଗୋ ବ୍ୟାକ ନାରା ଦେଇ ସର୍ବଦଳୀୟ ନେତା ନେରିଡିବାଲସା ଓ ଫଗୁଣୁସିନେରୀ ଗ୍ରାମ ଗସ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନିମାଇଁ ସରକାର, ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ବରିଷ୍ଠ ନେତା ସିଦ୍ଧାର୍ଥ ରାଉତରାୟ, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ନିହାର ବିଷୋୟୀ, କୈଳାସ ଖୋସଲା, କୋଟିଆ ସରପଞ୍ଚ ଲିଉ ଗେମେଲ, ଅର୍ଜୁନ ବାଙ୍କିଆ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମଧ୍ୟ କୋଟିଆ ଗସ୍ତ କରି ଆନ୍ଧ୍ରର ବେଆଇନ ନିର୍ବାଚନ ପ୍ରକ୍ରିୟାକୁ ଘୋର ବିରୋଧ କରିଛି। ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କ ସମେତ ସମ୍ପାଦକ ଅଯୋଧ୍ୟାନାଥ ସାମଲ, ଉପସଭାପତି ଅଜିତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଜଗନ୍ନାଥ ଦାଶ, କୋଷାଧ୍ୟକ୍ଷ ରାମଚନ୍ଦ୍ର ରାଓ, କାର୍ଯ୍ୟକାରୀ କମିଟି ସଦସ୍ୟ ଲକ୍ଷ୍ମୀ ପାଣିଗ୍ରାହୀ, ଗିରିଜା ଚୌଧୁରୀ, ଇଂ.ସୁନୀଲ ବିଶ୍ବାଳ, ସୋରେନ୍ ବେହେରା ପ୍ରମୁଖ ସାମିଲ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।