Apologise Within 15 Days or Pay ₹5 Crore: ୧୫ ଦିନରେ କ୍ଷମା ମାଗ, ନଚେତ୍‌ ୫ କୋଟି ଦିଅ: ସାଂସଦଙ୍କୁ ବରିଷ୍ଠ IPSଙ୍କ ନୋଟିସ୍‌

Oct 15, 2026 - 17:10
Apologise Within 15 Days or Pay ₹5 Crore: ୧୫ ଦିନରେ କ୍ଷମା ମାଗ, ନଚେତ୍‌ ୫ କୋଟି ଦିଅ: ସାଂସଦଙ୍କୁ ବରିଷ୍ଠ IPSଙ୍କ ନୋଟିସ୍‌

ବିହାରର ବରିଷ୍ଠ IPS ଅଧିକାରୀ କୁନ୍ଦନ କୃଷ୍ଣନ ଏବଂ ଆର୍‌ଜେଡି ସାଂସଦ ସୁଧାକର ସିଂହଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। କୁନ୍ଦନ କୃଷ୍ଣନ ସାଂସଦଙ୍କୁ ମାନହାନି ଅଭିଯୋଗରେ ଲିଗାଲ୍ ନୋଟିସ୍‌ ପଠାଇଛନ୍ତି। ନୋଟିସ୍‌ରେ ୧୫ ଦିନ ମଧ୍ୟରେ ସର୍ବସାଧାରଣରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ କୁହାଯାଇଛି। ଏହା ନକଲେ ୫ କୋଟି ଟଙ୍କାର ମାନହାନି କ୍ଷତିପୂରଣ ଦାବି ସହ ଅପରାଧିକ ମାନହାନି ମାମଲା ରୁଜୁ କରିବାକୁ ଚେତାବନୀ ଦିଆଯାଇଛି।

ଏହି ବିବାଦର ମୂଳରେ ରହିଛି ଭାରତ ଭୂଷଣ ତିୱାରୀଙ୍କ ମୃତ୍ୟୁ ଏବଂ ଜମୁଇର ଏକ ଘଟଣାକୁ ନେଇ ସାଂସଦ ସୁଧାକର ସିଂହ ଦେଇଥିବା ବୟାନ। ନୋଟିସ୍‌ ଅନୁସାରେ, ୨୦୨୬ ଜୁନ୍‌ ୧୭ରେ ଭୋଜପୁର ଜିଲ୍ଲାର ବିଲୌଠି ଗାଁରେ ପୁଲିସ ଅପରେସନ୍‌ ସମୟରେ ଭାରତ ଭୂଷଣ ତିୱାରୀଙ୍କ ମୃତ୍ୟୁ ହୋଇଥିଲା।

ଏହାର କିଛି ଦିନ ପରେ, ଜୁନ୍‌ ୨୪ରେ ସୁଧାକର ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାରେ ପୁଲିସ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ। ନୋଟିସ୍‌ରେ ଅଭିଯୋଗ କରାଯାଇଛି ଯେ, ସାଂସଦ କୁନ୍ଦନ କୃଷ୍ଣନଙ୍କ ଭୂମିକାକୁ ନେଇ ଗୁରୁତର ଆରୋପ ଲଗାଇଥିଲେ। ଏହି ଅଭିଯୋଗଗୁଡ଼ିକ ନିରାଧାର ବୋଲି ଦାବି କରି ନୋଟିସ୍‌ ପଠାଇଥିବା ପକ୍ଷ କହିଛି ଯେ ଏହାଦ୍ୱାରା ଅଧିକାରୀଙ୍କ ବ୍ୟକ୍ତିଗତ ଛବି ଓ ବୃତ୍ତିଗତ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଛି।

ଏହି ମାମଲାର ତଦନ୍ତ ପାଇଁ ବିହାର ସରକାର ୨୦୨୬ ଜୁନ୍‌ ୨୦ରେ ଅବସରପ୍ରାପ୍ତ ବିଚାରପତି ବିନୋଦ କୁମାର ସିହ୍ନାଙ୍କ ଅଧ୍ୟକ୍ଷତାରେ ଏକ ନ୍ୟାୟିକ ତଦନ୍ତ କମିଶନ ଗଠନ କରିଥିବା ମଧ୍ୟ ନୋଟିସ୍‌ରେ ଉଲ୍ଲେଖ ରହିଛି।

ଜମୁଇ ଘଟଣାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ

ଜମୁଇରେ ଜଣେ ନାବାଳିକା ଓ ତାଙ୍କ ବନ୍ଧୁଙ୍କ ସହ ଅସଦାଚରଣ ଘଟଣାକୁ ନେଇ ମଧ୍ୟ ଏହି ବିବାଦ ଜଡ଼ିତ। ନୋଟିସ୍‌ରେ ୨୦୨୬ ସେପ୍ଟେମ୍ବର ୨୨ରେ ଏକ ଘରୋଇ ନ୍ୟୁଜ୍‌ ପୋର୍ଟାଲ୍‌କୁ ସୁଧାକର ସିଂହ ଦେଇଥିବା ସାକ୍ଷାତକାରର ଉଲ୍ଲେଖ ରହିଛି। ଏହି ଘଟଣାରେ ବିହାର ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇବା ସହ କୁନ୍ଦନ କୃଷ୍ଣନଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିବା ନୋଟିସ୍‌ରେ କୁହାଯାଇଛି।
ନୋଟିସ୍‌ ପଠାଇଥିବା ପକ୍ଷର ଦାବି ଅନୁସାରେ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା।

‘କ୍ଷମା ମାଗିବି ନାହିଁ, ଆଇନଗତ ଜବାବ ଦେବି’

ଅନ୍ୟପଟେ, ନୋଟିସ୍‌ ପାଇବା ପରେ ସାଂସଦ ସୁଧାକର ସିଂହ ସୋସିଆଲ୍‌ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କ୍ଷମା ମାଗିବେ ନାହିଁ ଏବଂ ଆଇନଗତ ଉପାୟରେ ନୋଟିସ୍‌ର ଜବାବ ଦେବେ ବୋଲି କହିଛନ୍ତି। ଭାରତ ଭୂଷଣ ତିୱାରୀଙ୍କ ମୃତ୍ୟୁ ମାମଲାରେ ତତ୍କାଳୀନ ପୁଲିସ ଅଧିକାରୀଙ୍କ ଭୂମିକାର ତଦନ୍ତ ଦାବି ମଧ୍ୟ ସେ ଦୋହରାଇଛନ୍ତି।

ସୁଧାକର ସିଂହଙ୍କ କହିବା ଅନୁସାରେ, ଘଟଣା ସମୟରେ କୁନ୍ଦନ କୃଷ୍ଣନ ବିହାର ଏସ୍‌ଟିଏଫ୍‌ର ଡିଜି ଥିଲେ। ତେଣୁ ପୁଲିସ କମାଣ୍ଡ, ପୁଲିସ ମୁଖ୍ୟାଳୟ ଏବଂ ନିଷ୍ପତ୍ତି ନେଉଥିବା ବରିଷ୍ଠ ଅଧିକାରୀଙ୍କ ଭୂମିକାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।