Asian Games 2026 Day 1: ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ, ସୁଟିଂରେ ଡବଲ୍ ସିଲଭର

Sep 20, 2026 - 12:50
Asian Games 2026 Day 1: ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ, ସୁଟିଂରେ ଡବଲ୍ ସିଲଭର

ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଛି ଭାରତ। ସୁଟିଂରେ ଭାରତୀୟ ମହିଳା ଟିମ୍ ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। ଏଲାଭେନିଲ୍ ଭାଲାରିଭାନ୍, ସୋନମ ମାସ୍କର ଓ ବିଦର୍ଶା କେ. ବିନୋଦଙ୍କ ତ୍ରିଜଣିଆ ଦଳ ୧୮୯୮.୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଚୀନ ୧୯୦୪.୨ ପଏଣ୍ଟ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ଜାପାନ ୧୮୯୭.୧ ପଏଣ୍ଟ ସହ କାଂସ୍ୟ ପଦକ ପାଇଛି।

ଟିମ୍ ଇଭେଣ୍ଟରେ ସୋନମ ମାସ୍କର ୬୩୪.୧ ପଏଣ୍ଟ, ଏଲାଭେନିଲ୍ ୬୩୩.୫ ପଏଣ୍ଟ ଏବଂ ବିଦର୍ଶା ବିନୋଦ ୬୩୦.୪ ପଏଣ୍ଟ ସ୍କୋର କରିଥିଲେ। ଏହି ସଫଳତା ସହ ଏଲାଭେନିଲ୍ ଓ ସୋନମ ମଧ୍ୟ ୧୦ ମିଟର ଏୟାର ରାଇଫଲ୍‌ର ବ୍ୟକ୍ତିଗତ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିଥିଲେ। 

ବ୍ୟକ୍ତିଗତ ଇଭେଣ୍ଟରେ ଏଲାଭେନିଲଙ୍କୁ ଆଉ ଏକ ରୌପ୍ୟ

ଟିମ୍ ଇଭେଣ୍ଟ ପରେ ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲ୍‌ରେ ମଧ୍ୟ ଏଲାଭେନିଲ୍ ଭାଲାରିଭାନ୍ ଆଉ ଏକ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍‌ରେ ସେ ମୋଟ ୨୫୨.୪ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫଳରେ ଏଲାଭେନିଲ ଏହି ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଲେଣି। 

ଏହି ସଫଳତା ସହ ଏସୀୟ କ୍ରୀଡ଼ାର ଆରମ୍ଭରୁ ଭାରତୀୟ ସୁଟିଂ ଦଳ ଦୁଇଟି ରୌପ୍ୟ ପଦକ ହାସଲ କରିଛି। ଆଗକୁ ପୁରୁଷ ୧୦ ମିଟର ଏୟାର ରାଇଫଲ୍ ସହ ଅନ୍ୟାନ୍ୟ ସୁଟିଂ ଇଭେଣ୍ଟରେ ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରତିଯୋଗିତା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।