Asian Games: ଏସୀୟ କ୍ରୀଡ଼ା ଉଦ୍ଘାଟିତ: ଭାରତୀୟ ଦଳର ନେତୃତ୍ୱ ନେଲେ ମନୁ, ପବନ
"ନାଗୋୟା: ଜାପାନର ନାଗୋୟାଠାରେ ଶନିବାର ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହ ସହ ଆରମ୍ଭ ହୋଇଛି ୨୦ତମ ଏସୀୟ କ୍ରୀଡ଼ା।
ଜାପାନର ସମ୍ରାଟ୍ ନାରୁହିତୋ ଏହି କ୍ରୀଡ଼ା ମହାକୁମ୍ଭର ଉଦ୍ଘାଟନ କରିଛନ୍ତି।
ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମଠାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଜାପାନର ପାରମ୍ପରିକ କଳା ସଂସ୍କୃତି ସହ ଆଧୁନିକ ବୈଷୟିକ ଓ ଶିଳ୍ପ ପ୍ରଗତିକୁ ଦର୍ଶାଯାଇଥିଲା।
ଏହା ପୂର୍ବରୁ ଜାପାନ ୧୯୫୮ରେ ଟୋକିଓ ଓ ୧୯୯୪ରେ ହିରୋସିମାରେ ଏସୀୟ କ୍ରୀଡ଼ା ଆୟୋଜନ କରିଥିଲା। "ହାର୍ମୋନିକ ହାର୍ଟବିଟ୍" ଥିମ୍ ସଂଗୀତ ତାଳେ ତାଳେ ଜାପାନ ପକ୍ଷରୁ ସମସ୍ତ ଏସିଆର କ୍ରୀଡ଼ାବିତ୍ମାନଙ୍କୁ ସ୍ବାଗତ କରାଯାଇଥିଲା।
ଆସନ୍ତା ଅକ୍ଟୋବର ୪ରେ ଉଦ୍ଯାପିତ ହେବାକୁ ଥିବା ଏହି ଏସୀୟ କ୍ରୀଡ଼ାରେ ୪୫ ଦେଶ ଓ ସ୍ଥାନରୁ ଆସିଥିବା ପ୍ରାୟ ୧୧୦୦୦ ଆଥଲେଟ୍ ୪୩ଟି କ୍ରୀଡ଼ାରେ ୪୬୯ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ।
Advertisment ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଅଲିମ୍ପିକ୍ ପଦକ ବିଜେତା ସୁଟର ମନୁ ଭାକର।
ତାଙ୍କ ସହ ଭାରତୀୟ ଦଳର ଅନ୍ୟ ଧ୍ୱଜାବାହକ ଭାବେ ସାମିଲ ହୋଇଥିଲେ କବାଡ଼ି ତାରକା ପବନ ସେରାୱତ୍।
ଶଟ୍ପୁଟର ତଜିନ୍ଦରପାଲ ସିଂହ ତୁରଙ୍କ ସ୍ଥାନରେ ଶେଷ ମୁହୂର୍ତ୍ତରେ ସେରାୱତ୍ଙ୍କୁ ଧ୍ୱଜାବାହକ କରାଯାଇଥିଲା।
ଭାରତୀୟ ଦଳର ଖେଳାଳିମାନେ ଆକର୍ଷଣୀୟ ଶାଢ଼ି ଓ ବ୍ଲେଜର ପରିଧାନ କରି ଗର୍ବର ସହ ଆଥଲେଟ୍ ପରେଡ୍ରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ଚିରାଗ ସେଟ୍ଟୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ନଜର ଆସିଥିଲେ।
ଚଳିତ ଏସୀୟ କ୍ରୀଡ଼ା ଆରମ୍ଭ ପୂର୍ବରୁ ଆୟୋଜନକୁ ନେଇ କିଛି ପ୍ରଶାସନିକ ଓ ଲଜିଷ୍ଟିକ୍ସ ସମସ୍ୟା ସାମ୍ନାକୁ ଆସିଥିଲା।
ସବୁଠାରୁ ବଡ଼ ସମସ୍ୟା ହୋଇଛି ହଜାର ହଜାର ଆଥଲେଟ୍ଙ୍କ ରହଣିକୁ ନେଇ।
ଏସବୁ ସତ୍ତ୍ବେ ଉତ୍ସାହର ସହ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଯାଇଛି।
ପ୍ୟାରିସ ଅଲିମ୍ପିକ୍ସଠୁ ବଡ଼ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ୍ଙ୍କ ସଂଖ୍ୟା ଦୃଷ୍ଟିରୁ ଏହାକୁ ପ୍ୟାରିସ୍ ଅଲିମ୍ପିକ୍ସଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା କୁହାଯାଉଛି।
ପ୍ୟାରିସ୍ ଅଲିମ୍ପିକ୍ସରେ ୧୦,୭୦୦ ଆଥଲେଟ୍ ଯୋଗ ଦେଇଥିଲେ।
ତେବେ ୨୦୨୩ ହାଙ୍ଗଝୁ ଏସୀୟ କ୍ରୀଡ଼ାରେ ୧୨୦୦୦ ଆଥଲେଟ୍ ଅଂଶଗ୍ରହଣ କରିଥିଲେ।
ଚଳିତ ଥର ଜାପାନରୁ ସର୍ବାଧିକ ୯୩୩ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଥିବାବେଳେ ଚୀନରୁ ୮୧୫, ହଂକଂରୁ ୫୮୦ ଓ ଭାରତରୁ ୪୯୯ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।