26 SEPTEMBER 2026

Welcome!

Unlock your personalized experience.
Sign Up

Assembly: ନାମକୁ ମାତ୍ର ଚାଲୁଛି: ବିଜେଡି, କଂଗ୍ରେସର ଜୋର୍‌ଦାର ପ୍ରତିବାଦ ଜାରି

Sep 26, 2026 - 16:53
Assembly: ନାମକୁ ମାତ୍ର ଚାଲୁଛି: ବିଜେଡି, କଂଗ୍ରେସର ଜୋର୍‌ଦାର ପ୍ରତିବାଦ ଜାରି

ଭୁବନେଶ୍ବର: ଚଳିତ ବିଧାନସଭା ଅଧିବେଶନରେ ଗୃହ ଗୋଟିଏ ଦିନ ଚାଲିବାର ଆଉ ସମ୍ଭାବନା ଦେଖାଯାଉନି। ଲଗାତାର ଚାରି ଦିନ ହେଲା ଗୃହ ଅଚଳ ହୋଇଯାଇଛି। ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗରେ ବିରୋଧୀଙ୍କ ଜୋର୍‌ଦାର ପ୍ରତିବାଦ ଜାରି ରହିଛି। ଆସନ୍ତା ସପ୍ତାହରେ ଆଉ ପାଞ୍ଚ ଦିନ ମଧ୍ୟ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ କରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗୃହକୁ ସ୍ବାଭାବିକ କରିବାକୁ ଆଜି ବସିଥିବା ସର୍ବଦଳୀୟ ବୈଠକ ବିନା ନିଷ୍କର୍ଷରେ ଶେଷ ହୋଇଛି। 

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଏମ୍‌ଏମ୍‌ଡିଆର୍‌ ଆଇନ ବିରୋଧରେ ନାରାବାଜି କଲେ। ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ବାଚସ୍ପତିଙ୍କ ପୋଡିୟମ ବାଡ଼େଇଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ। ବିରୋଧୀ ଦଳ ବିଧାୟକମାନଙ୍କ ପ୍ରତିବାଦ ଭିତରେ ଉପବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ସଫଳ ହୋଇ ନଥିଲା। ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। 

ବିଜେଡି, କଂଗ୍ରେସର ଜୋର୍‌ଦାର ପ୍ରତିବାଦ ଜାରି 
ଏଜି ଛକରେ ବିକ୍ଷୋଭ କଲେ ବିଜେଡି ବିଧାୟକ
ସର୍ବଦଳୀୟ ବୈଠକର ନିଷ୍କର୍ଷ ନାହିଁ

ଏହା ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହ ବାହାରକୁ ଯାଇ ପ୍ରତିବାଦ କରିଥିଲେ। ବିଜେଡି ବିଧାୟକମାନେ ଏକ ଶୋଭାଯାତ୍ରାରେ ଏଜି ଛକ ଅଭିମୁଖେ ଯାଇଥିଲେ। ସେଠାରେ ଟ୍ରାଫିକ ପୋଷ୍ଟ ଉପରେ ଠିଆ ହୋଇ ବିଧାୟକ ଅରୁଣ ସାହୁ ଏମ୍‌ଏମ୍‌ଡିଆର୍ ଆଇନ କିପରି ଓଡ଼ିଶାକୁ ତା’ର ନ୍ୟାଯ୍ୟ ଦାବିରୁ ବଞ୍ଚିତ କରିବ, ସେ ସମ୍ପର୍କରେ କହିଥିଲେ। ଅନ୍ୟ ବିଧାୟକମାନେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେଠାରୁ ପୁଣି ଶୋଭାଯାତ୍ରାରେ ବିଧାନସଭା ପରିସରକୁ ଆସିଥିଲେ। ଏହା ପରେ ମନ୍ତ୍ରୀମାନଙ୍କ ଚାମ୍ବରକୁ ଯାଇ ଏମ୍‌ଏମ୍‌ଡିଆର୍‌କୁ ବିରୋଧ କରିବା ପାଇଁ ଏକ ଲିଫଲେଟ୍ ବାଣ୍ଟିଥିଲେ।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଯେଉଁ ମନ୍ତ୍ରୀମାନେ ବିଧାନସଭାରେ ଉପସ୍ଥିତ ଥିଲେ, ସେମାନେ ଲିଫଲେଟ୍ ଗ୍ରହଣ କରିଥିଲେ। ତେବେ ବିଜେଡିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଧାୟକମାନଙ୍କ ଉପସ୍ଥିତି କମ୍ ଥିଲା। ମାତ୍ର ୧୭/୧୮ ଜଣ ବିଧାୟକ ଶୋଭାଯାତ୍ରାରେ ଯାଇଥିଲେ। ଅଧିକାଂଶ ଆଦୌ ବିଧାନସଭା ପରିସରରେ ହିଁ ନ ଥିଲେ। ୫/୬ ଜଣ ଥାଇ ବି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହେଲେନି। ବିଜେଡି ଏକ ବଡ଼ ପ୍ରସଙ୍ଗରେ ଲଢ଼େଇ କରୁଥିଲା ବେଳେ ଅଧା ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଅପରାହ୍ନ ୪ଟାରେ ବି ସମାନ ସ୍ଥିତି। ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କଲେ। ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ବୈଠକ ଚାଲିଥିବାରୁ ଗୃହ ବାରମ୍ବାର ମୁଲତବୀ ରହିଲା। ୫ଟା ୩୪ରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଗଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।