At 105, Returned To Studies And Scored 75 Percent: ଛୋଟବେଳେ ଛାଡ଼ିଥିଲେ ପାଠ, ୧୦୫ରେ ପୁଣି ଧରିଲେ ବହି; ଗଣିତରେ ୧୦୦ରୁ ୧୦୦

Aug 29, 2026 - 17:05
At 105, Returned To Studies And Scored 75 Percent: ଛୋଟବେଳେ ଛାଡ଼ିଥିଲେ ପାଠ, ୧୦୫ରେ ପୁଣି ଧରିଲେ ବହି; ଗଣିତରେ ୧୦୦ରୁ ୧୦୦

କୁହାଯାଏ, ଶିଖିବାର କୌଣସି ବୟସ ନଥାଏ। ମନରେ କିଛି କରିବାର ଇଚ୍ଛା ଥିଲେ ବୟସର ସୀମା ମଧ୍ୟ ଛୋଟ ପଡ଼ିଯାଏ। କେରଳର ଭାଗୀରଥୀ ଆମ୍ମା ଏହି କଥାକୁ ସତ ପ୍ରମାଣିତ କରିଛନ୍ତି। ଯେଉଁ ବୟସରେ ଲୋକେ ସାଧାରଣତଃ ଆରାମର ଜୀବନ ବିତାଇଥାନ୍ତି, ସେହି ବୟସରେ ସେ ପୁଣିଥରେ ପାଠ ପଢ଼ିବା ଆରମ୍ଭ କରିଥିଲେ। ୧୦୫ ବର୍ଷ ବୟସରେ ସେ ଚତୁର୍ଥ ଶ୍ରେଣୀ ସ୍ତରର ପରୀକ୍ଷା ଦେଇ ୭୫ ପ୍ରତିଶତ ମାର୍କ ରଖିଥିଲେ। ସବୁଠାରୁ ବଡ କଥା ହେଲା, ସେ ଗଣିତରେ ୧୦୦ରୁ ୧୦୦ ମାର୍କ ହାସଲ ଆଣିଥିଲେ।

ଛୋଟ ବୟସରେ ଛାଡ଼ିବାକୁ ପଡ଼ିଥିଲା ପାଠପଢ଼ା

ଭାଗୀରଥୀ ଆମ୍ମା କେରଳର କୋଲ୍ଲମ ଜିଲ୍ଲାର ପ୍ରକ୍କୁଲମର ବାସିନ୍ଦା ଥିଲେ। ପିଲାଦିନରୁ ହିଁ ତାଙ୍କ ପାଠପଢ଼ା ଅଧାରେ ଅଟକି ଯାଇଥିଲା। ମାଆଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ଛୋଟ ଭାଇ-ଭଉଣୀଙ୍କ ଦେଖାଶୁଣା କରିବାକୁ ପଡ଼ିବାରୁ ପାଠପଢ଼ା ଜାରି ରଖିବା ସମ୍ଭବ ହୋଇନଥିଲା। ପରେ ଅଳ୍ପ ବୟସରେ ତାଙ୍କ ବିବାହ ମଧ୍ୟ ହୋଇଥିଲା।  ବିବାହ ପରେ ମଧ୍ୟ ଜୀବନ ସହଜ ନଥିଲା। ପ୍ରାୟ ୩୦ ବର୍ଷ ବୟସରେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଏକାକୀ ନିଜର ୬ ଜଣ ସନ୍ତାନଙ୍କ ଲାଳନପାଳନ କରିବାକୁ ପଡ଼ିଥିଲା। ପରିବାରର ଦାୟିତ୍ୱ ମଧ୍ୟରେ ତାଙ୍କ ପାଠପଢ଼ାର ସ୍ୱପ୍ନ ଧୀରେଧୀରେ ପଛରେ ପଡ଼ି ଯାଇଥିଲା।

୧୦୫ ବର୍ଷରେ ପୁଣି ଧରିଲେ ବହି

ବର୍ଷ ପରେ ବର୍ଷ ବିତିଗଲେ ମଧ୍ୟ ଭାଗୀରଥୀ ଆମ୍ମାଙ୍କ ମନରୁ ପଢ଼ିବାର ଇଚ୍ଛା ଦୂର ହୋଇନଥିଲା। ଶେଷରେ କେରଳ ରାଜ୍ୟ ସାକ୍ଷରତା ମିଶନ୍ ମାଧ୍ୟମରେ ତାଙ୍କୁ ପୁଣି ପଢ଼ିବାର ସୁଯୋଗ ମିଳିଥିଲା। ୨୦୧୯ ମସିହାରେ ୧୦୫ ବର୍ଷ ବୟସରେ ସେ ଚତୁର୍ଥ ଶ୍ରେଣୀ ସ୍ତରର ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ଛାତ୍ରୀଙ୍କ ଭଳି ପରିଶ୍ରମ କରି ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ସେ ୭୫ ପ୍ରତିଶତ ମାର୍କ ରଖିଥିଲେ। ଗଣିତରେ ତାଙ୍କ ପ୍ରଦର୍ଶନ ସବୁଠାରୁ ଚମତ୍କାର ଥିଲା। ଏହି ବିଷୟରେ ସେ ୧୦୦ରୁ ୧୦୦ ମାର୍କ ରଖିଥିଲେ।

ମୋଦୀଙ୍କ ‘ମନ୍ କି ବାତ୍’ରେ ହୋଇଥିଲା ଭାଗୀରଥୀ ଆମ୍ମାଙ୍କ ଚର୍ଚ୍ଚା

ଭାଗୀରଥୀ ଆମ୍ମାଙ୍କ ଏହି ଅସାଧାରଣ ସଫଳତା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨୦୨୦ ଫେବ୍ରୁଆରୀରେ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଭାଗୀରଥୀ ଆମ୍ମାଙ୍କ ସଫଳତାର ଉଲ୍ଲେଖ କରିଥିଲେ। ପରିବାରର ଦାୟିତ୍ୱ ପାଇଁ ଯେଉଁ ମହିଳାଙ୍କୁ ପିଲାଦିନରେ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, ସେହି ମହିଳା ଜୀବନର ଶେଷ ପର୍ଯ୍ୟାୟରେ ନିଜ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଆଗେଇ ଆସିଥିଲେ। ତାଙ୍କ କାହାଣୀ ମାଧ୍ୟମରେ ଶିଖିବାର ଇଚ୍ଛା କେବେ ଶେଷ ହେବା ଉଚିତ ନୁହେଁ ବୋଲି ଏକ ବଡ଼ ବାର୍ତ୍ତା ମିଳିଥିଲା।

ଚତୁର୍ଥ  ଶ୍ରେଣୀ ପରେ ମଧ୍ୟ ଥିଲା ବଡ଼ ସ୍ୱପ୍ନ

ପରୀକ୍ଷାରେ ପାସ୍ କରିବା ପରେ ମଧ୍ୟ ଭାଗୀରଥୀ ଆମ୍ମା ଅଟକି ଯିବାକୁ ଚାହୁଁନଥିଲେ। ସେ ଆଗକୁ ମଧ୍ୟ ପାଠପଢ଼ା ଜାରି ରଖିବାକୁ ଚାହୁଁଥିଲେ। ତାଙ୍କ ଲକ୍ଷ୍ୟ ଥିଲା ସପ୍ତମ ଶ୍ରେଣୀ ସ୍ତରର ପରୀକ୍ଷା ପାସ୍ କରିବା ଏବଂ ଆଗକୁ ଦିନେ ଦଶମ ଶ୍ରେଣୀର ପରୀକ୍ଷା ଦେବା।

୨୦୨୦ରେ ମିଳିଥିଲା ନାରୀ ଶକ୍ତି ପୁରସ୍କାର

ଭାଗୀରଥୀ ଆମ୍ମାଙ୍କ ଅସାଧାରଣ ସଫଳତାକୁ ସମ୍ମାନ ଜଣାଇ ତାଙ୍କୁ ୨୦୨୦ ମସିହାର ନାରୀ ଶକ୍ତି ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ଦିଆଯିବାର ଥିଲା। କିନ୍ତୁ ଅତ୍ୟଧିକ ବୟସ ହୋଇଥିବାରୁ ସେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିପାରିନଥିଲେ। ତାଙ୍କ ପକ୍ଷରୁ ଅନ୍ୟ ଜଣେ ବ୍ୟକ୍ତି ପୁରସ୍କାର ଗ୍ରହଣ କରିଥିଲେ।

୧୦୭ ବର୍ଷରେ ଦୁନିଆକୁ କହିଥିଲେ ଅଲବିଦା

୨୦୨୧ ମସିହା ଜୁଲାଇରେ ୧୦୭ ବର୍ଷ ବୟସରେ ଭାଗୀରଥୀ ଆମ୍ମାଙ୍କ ଦେହାନ୍ତ ହୋଇଥିଲା। ଜୀବନର ଶେଷ ବର୍ଷଗୁଡ଼ିକରେ ନିଜର ଅଧୁରା ପାଠପଢ଼ାର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଯେଉଁ ପ୍ରୟାସ କରିଥିଲେ, ତାହା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା। ଭାଗୀରଥୀ ଆମ୍ମାଙ୍କ ଜୀବନ କହେ—ସ୍ୱପ୍ନ ଯେତେ ପୁରୁଣା ହେଉନା କାହିଁକି, ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିବାରେ କେବେ ବିଳମ୍ବ ହୁଏନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।