Back Feels Stiff Every Morning: ସକାଳେ ବିଛଣାରୁ ଉଠୁ ଉଠି ଅଣ୍ଟା ଜାମ୍ ହେଉଛି କି? ଜାଣନ୍ତୁ ଆରାମ ପାଇଁ କ’ଣ କରିବେ

Sep 18, 2026 - 18:22
Back Feels Stiff Every Morning: ସକାଳେ ବିଛଣାରୁ ଉଠୁ ଉଠି ଅଣ୍ଟା ଜାମ୍ ହେଉଛି କି? ଜାଣନ୍ତୁ ଆରାମ ପାଇଁ କ’ଣ କରିବେ

ସକାଳେ ବିଛଣାରୁ ଉଠିବା ପରେ ଅଣ୍ଟା ସିଧା କରିବାରେ ଅସୁବିଧା ହେଉଛି କି? ତଳକୁ ନଇଁନା ସମୟରେ ଯନ୍ତ୍ରଣା ହେଉଛି କି? ଏହାକୁ କେବଳ ଥକାପଣ ଭାବି ଅଣଦେଖା କରିବା ଠିକ୍ ନୁହେଁ।

ଅଣ୍ଟା ଜାମ୍ ହେବା ବା ଟାଇଟ୍ ଲାଗିବା ଏକ ସାଧାରଣ ସମସ୍ୟା। ଭୁଲ୍ ଭଙ୍ଗୀରେ ଶୋଇବା, ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା କିମ୍ବା ଅଧିକ ପରିଶ୍ରମ କରିବା ପରେ ଏପରି ହୋଇପାରେ। କିନ୍ତୁ ସମସ୍ୟାଟି ବାରମ୍ବାର ହେଲେ କିମ୍ବା ଦୀର୍ଘଦିନ ରହିଲେ ମାଂସପେଶୀ ସହ ମେରୁଦଣ୍ଡ ସମ୍ବନ୍ଧୀୟ କୌଣସି ସମସ୍ୟା ମଧ୍ୟ କାରଣ ହୋଇପାରେ।

ଦୀର୍ଘ ସମୟ ବସି ରହିବା ବଡ଼ କାରଣ

ଅଣ୍ଟା ଜାମ୍ ହେବାର ସବୁଠାରୁ ସାଧାରଣ କାରଣ ମଧ୍ୟରେ ଦୀର୍ଘ ସମୟ ଧରି ବସି ରହିବା ଗୋଟିଏ। ଅଫିସ୍‌ରେ ଘଣ୍ଟା ଘଣ୍ଟା ଚେୟାରରେ ବସିବା କିମ୍ବା ଘରେ ଦୀର୍ଘ ସମୟ ମୋବାଇଲ୍ ବ୍ୟବହାର କଲେ ଅଣ୍ଟା ଓ ପିଚା ଚାରିପାଖର ମାଂସପେଶୀ ଉପରେ ଚାପ ବଢ଼ିପାରେ। ଶରୀର ଦୀର୍ଘ ସମୟ ଧରି ଗୋଟିଏ ଭଙ୍ଗୀରେ ରହିଲେ ମାଂସପେଶୀ ସଠିକ୍ ଭାବେ କାମ କରିପାରେ ନାହିଁ। ଫଳରେ ଉଠିବା ସମୟରେ ଟାଣ ବା ଜାମ୍ ଲାଗିପାରେ।

ଭୁଲ୍ ଭଙ୍ଗୀରେ ବସିଲେ ବଢ଼ିପାରେ ଯନ୍ତ୍ରଣା

ଚେୟାରରେ ଆଗକୁ ନଇଁ ବସିବା, ଅଣ୍ଟାକୁ ଠିକ୍ ସପୋର୍ଟ ନ ଦେବା କିମ୍ବା ମୋବାଇଲ୍‌କୁ ତଳେ ଧରି ଦୀର୍ଘ ସମୟ ଦେଖିବା ଶରୀରର ସାଧାରଣ ପୋଷଚରକୁ ପ୍ରଭାବିତ କରେ। ସେହିପରି ଅଧିକ ସମୟ ଠିଆ ହେବା କିମ୍ବା ହଠାତ୍ ଭାରୀ ଜିନିଷ ଉଠାଇବା ଦ୍ୱାରା ଅଣ୍ଟାର ମାଂସପେଶୀରେ ଟାଣପଣ ଆସିପାରେ। ଏହି ସ୍ଥିତିରେ ଯନ୍ତ୍ରଣା ମଧ୍ୟ ହୋଇପାରେ।

ଶୋଇବା ଭଙ୍ଗୀ ମଧ୍ୟ ହୋଇପାରେ କାରଣ

ରାତିରେ ଭୁଲ୍ ଭଙ୍ଗୀରେ ଶୋଇବା ମଧ୍ୟ ସକାଳର ଅଣ୍ଟା ଯନ୍ତ୍ରଣା ସହ ଜଡ଼ିତ ହୋଇପାରେ। ଯଦି ସାରା ରାତି ଅଣ୍ଟା ଏବଂ ଚାରିପାଖର ମାଂସପେଶୀ ଉପରେ ଅଧିକ ଚାପ ପଡ଼େ, ତେବେ ସକାଳେ ଉଠିଲେ ଜାମ୍ ଲାଗିପାରେ। କମ୍ ଚାଲିବା-ବୁଲିବା ଓ ଶାରୀରିକ କ୍ରିୟାକଳାପର ଅଭାବ ମଧ୍ୟ ଶରୀରର ନମନୀୟତା ଓ ମାଂସପେଶୀର ଶକ୍ତି କମାଇପାରେ। ତେଣୁ ଦିନସାରା ବସି ରହୁଥିବା ଲୋକମାନେ ହାଲୁକା ବ୍ୟାୟାମ ଓ ନିୟମିତ ଚାଲିବାକୁ ଦୈନନ୍ଦିନ ଅଭ୍ୟାସରେ ସାମିଲ କରିବା ଉଚିତ।

ଅଣ୍ଟା ଜାମ୍ ହେଲେ କ’ଣ କରିବେ?

ଅଣ୍ଟା ଚାରିପାହରେ ଗରମ ସେକ ଦେଲେ ମାଂସପେଶୀକୁ ଆରାମ ମିଳିପାରେ। ଦୀର୍ଘ ସମୟ ଶଯ୍ୟାରେ ପଡ଼ି ନରହି ଶରୀରର କ୍ଷମତା ଅନୁସାରେ ହାଲୁକା ଚାଲିବା-ବୁଲିବା ଭଲ। ହାଲୁକା stretching exercise ମଧ୍ୟ ଉପକାରୀ ହୋଇପାରେ। କିନ୍ତୁ କୌଣସି ବ୍ୟାୟାମ କଲେ ଯନ୍ତ୍ରଣା ବଢ଼ୁଥିଲେ ଜବରଦସ୍ତି କରିବା ଉଚିତ ନୁହେଁ।

କେବେ ଡାକ୍ତରଙ୍କୁ ଦେଖାଇବେ?

ଅଣ୍ଟା ଯନ୍ତ୍ରଣା ବହୁତ ଅଧିକ ହେଲେ କିମ୍ବା ଅନେକ ସପ୍ତାହ ଧରି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଯନ୍ତ୍ରଣା ପାଦକୁ ଯାଉଥିଲେ, ଅସୁବିଦାର ଲାଗିଲେ, ଦୁର୍ବଳତା ହେଲେ କିମ୍ବା ପରିସ୍ରା-ମଳତ୍ୟାଗ ନିୟନ୍ତ୍ରଣରେ ହଠାତ୍ ପରିବର୍ତ୍ତନ ହେଲେ ଶୀଘ୍ର ଚିକିତ୍ସା ସହାୟତା ନେବା ଜରୁରୀ। ପ୍ରତିରୋଧ ପାଇଁ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ନରହି ମଝିମଝିରେ ଉଠି ଚାଲନ୍ତୁ, ବସିବାବେଳେ ଅଣ୍ଟାକୁ ଠିକ୍ ସପୋର୍ଟ ଦିଅନ୍ତୁ ଏବଂ ନିୟମିତ ହାଲୁକା ବ୍ୟାୟାମକୁ ଅଭ୍ୟାସରେ ସାମିଲ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।