Bail Money From Stolen Gold: ବୁଲାଉଥିଲା କଳାକନା, ଲୁଟି ନେଉଥିଲା ଟଙ୍କା ସୁନା; ଚୋରି ଟଙ୍କାରେ କରୁଥିଲା ବେଲ୍

Sep 26, 2026 - 20:17
Bail Money From Stolen Gold: ବୁଲାଉଥିଲା କଳାକନା, ଲୁଟି ନେଉଥିଲା ଟଙ୍କା ସୁନା; ଚୋରି ଟଙ୍କାରେ କରୁଥିଲା ବେଲ୍

ଆସନ୍ତୁ ଜାଣିବା ଚୋର ଏବଂ ଚୋରିର ଏକ ଚମତ୍କାର କାହାଣୀ। କାରଣ ଚୋରି ପାଇଁ ଗଲା ଜେଲ୍, ଜେଲରୁ ବାହାରିବା ପାଇଁ କଲା ଚୋରି ଆଉ ଜେଲରୁ ବାହାରିଲା ପରେ ପୁଣି କଲା ଚୋରି। କଥା ଏତିକି ନୁହଁ, ଜେଲରୁ ମୁକୁଳିବା ପାଇଁ କେସ୍ ଲଢ଼ୁଥିଲା ସେହି ଚୋରି ଟଙ୍କାରେ। ହୁଏତ ଯଦି କେବେ ଆପଣଙ୍କ ଘରୁ ବି ଚୋରି ହୋଇଥିବ, ତେବେ ଏହି ବାବୁଙ୍କ ରହିଥାଇପାରେ ସଂପୃକ୍ତି। କାରଣ ୟେ ନା ତ ଛୋଟମୋଟ ଚୋର, ନା ତ ଦିନେ ଅଧେର ଚୋର। ୟେ ଜଣେ ଅଭ୍ୟାସଗତ ଏବଂ କୁଖ୍ୟାତ ଚୋର। ଏକଥା ଆମେ କହୁନୁ, କହୁଛି ପୋଲିସ। ତା ବିରୋଧରେ ଲାଗିଥିବା ଦଫା ବୟାନ କରୁଛି। ଯାହା ନାଁ ବର୍ଣ୍ଣାଢ଼ ବିନ୍ଧାଣୀ। ଘର ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କନକପଦା ଗାଁରେ। ଆଜି ସେ ପୋଲିସ କବଜାରେ। ହେଲେ ପୋଲିସ ହାତରେ ଗିରଫ ହେବା ତା ପାଇଁ ନୂଆ ନୁହେଁ, ତା ପାଇଁ ବଡ଼ କଥା ବି ନୁହଁ। କାରଣ ଏମିତି କେତେଥର ତାକୁ ପୋଲିସ ବାନ୍ଧିଛି, ତାକୁ ଜେଲ୍ ପଠାଇଛି, ପୁଣି ଜେଲରୁ ବାହାରି କେତେଥର ଚୋରି କରିଛି ତାହା ତାକୁ ହିଁ ଜଣା। ହେଲେ ଏଥର କିନ୍ତୁ ଚର୍ଚ୍ଚାରେ ବର୍ଣ୍ଣାଢ଼ ବିନ୍ଧାଣୀ। କାରଣ ଏକ ଚୋରି ମାମଲାରେ ଜେଲ ଯାଇଥିଲା, ଜେଲରୁ ବାହାରିବା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ଲାଗି ନିଜ ସଂପର୍କୀୟଙ୍କ ଜରିଆରେ ଚୋରି କରାଇଲା, ପରେ ପୁଣି ଏବେ ଜେଲରୁ ବାହାରି ଚୋରି କଲା। 

ଗତ ଜୁଲାଇ ମାସର କଥା। ଉଦଳା ଅଞ୍ଚଳରେ ଏକ ଚୋରି ମାମଲାରେ ବର୍ଣ୍ଣାଢ଼ ବିନ୍ଧାଣୀ ଯାଇଥିଲା ଜେଲ୍। କିନ୍ତୁ ବେଲରୁ ବାହାରିବା ପାଇଁ ଓକିଲଙ୍କ ଜରିଆରେ ମାମଲା ଲଢ଼ିବା ଦରକାର। ଏଥିପାଇଁ ଟଙ୍କା ଆସିବ କୁଆଡୁ ? ପରିବାର ଏବଂ ସମ୍ପର୍କୀୟଙ୍କୁ ଟଙ୍କା ଦେବାକୁ କହିଥିଲେ ବି କାହା ଆଡୁ ସହଯୋଗ ନପାଇବାରୁ ଶେଷରେ ପରିବାର ଲୋକଙ୍କୁ ଲଗାଇଲା ଚୋରି କାମରେ। ନିଜର ନାବାଳକ ପୁଅ, ଶାଳକର ପୁଅ ଏବଂ ନାବାଳକ ପୁତୁରାକୁ ଚୋରି କାମରେ ଲଗାଇଲା ବର୍ଣ୍ଣାଢ଼। ତା’କଥାରେ ପଡ଼ି କପ୍ତିପଦା ଥାନା ଅଞ୍ଚଳରେ ଘରକୁ ଘର ବୁଲି ଆଖିବୁଜା ଲୁଟପାଟ୍ କଲେ ୩ ନାବାଳକ। ଆଉ ଚୋରି ସାମଗ୍ରୀକୁ ଅଳଙ୍କାର ଦୋକାନରେ ବିକି ୩ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ ବର୍ଣ୍ଣାଢ଼ର ବେଲ୍ ପାଇଁ। ଶେଷରେ ଜେଲରେ ଥାଇ ବର୍ଣ୍ଣାଢ଼ ଓକିଲଙ୍କ ଜରିଆରେ ମାମଲା ଲଢ଼ିବା ସହ ବେଲ୍ ପାଇଥିଲା। କିନ୍ତୁ ବେଲରୁ ବାହାରି ପୁଣି ପିଙ୍ଗୁ ଅଞ୍ଚଳରେ ଚୋରି କରି ରେମୁଣାରୁ ଏବେ ଆଉ ଥରେ ଧରାପଡ଼ିଲା।

କରିତକର୍ମା ଚୋର ସହ ପୋଲିସ ଏବେ ଚୋରି ଅଳଙ୍କାର କିଣିଥିବା ବ୍ୟବସାୟୀ ଅଜିତ କୁମାର ରଣାଙ୍କୁ ଗିରଫ କରିଛି। ତା’ସହ ବର୍ଣ୍ଣାଢ଼କୁ ଜେଲରୁ ମୁକୁଳାଇବା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ଲକ୍ଷ୍ୟରେ ଚୋରି କରିଥିବା ୩ ନାବାଳକଙ୍କୁ ଧରିଛି। ସେମାନଙ୍କ ଠାରୁ ନଗଦ ୩୮ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ପିତ୍ତଳ ବାସନ, ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟି ସହ ୫ଟି ମୋବାଇଲକୁ ଜବତ କରିଛି। ତେବେ ଜେଲରେ ଥିବା ବର୍ଣ୍ଣାଢ଼ ପୁଣି ଥରେ ମୁକୁଳିଲେ ଚୋରି ବୃତ୍ତିକୁ ଛାଡ଼ିବ ନା ସୁଧୁରିଯିବ ? ତାହା ଏବଠୁ କହି ହେବନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।