Deep Depression Triggers Fresh Flood Havoc in Odisha: ତିନି ମାସରେ ସାତ ବନ୍ୟା, ଅଣ୍ଟା ସଳଖିବା ପୂର୍ବରୁ ପୁଣି ବିପଦ

Sep 26, 2026 - 20:17
Deep Depression Triggers Fresh Flood Havoc in Odisha: ତିନି ମାସରେ ସାତ ବନ୍ୟା, ଅଣ୍ଟା ସଳଖିବା ପୂର୍ବରୁ ପୁଣି ବିପଦ

ଭିଜା ବହି, ଭିଜା ସ୍ବପ୍ନ, ଭିଜା ଜୀବନ। ଚୁଲି ଭାଙ୍ଗିଛି, ଚାଉଳ ଭାସୁଛି। କାଦୁଅ ଘରେ ସଂସାର ଘାଣ୍ଟି ହେଉଛି। ବହିଠୁ ଭାତ ଯାଏଁ ସବୁକିଛି ବଢି ମୁହଁରେ। ବହିକୁ ଦେଖନ୍ତୁ, ବନ୍ୟା ଏମିତି ବତୁରାଇଛି ଯେ, ଶୁଖେଇବା ଛାଡ଼ନ୍ତୁ, ସାଉଁଟିବା ବି ମୁସ୍କିଲ୍। କଂସାବାସନଠୁ ଘରର ଆସବାବପତ୍ର, ଆଉ କିଛି ନାହିଁ। ଅନବରତ ବର୍ଷା ଓ ସୁନେଇ ଡ୍ୟାମ୍ ହଠାତ୍ ଖୋଲିବା ଫଳରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ଏମିତି ପରିସ୍ଥିତି। ଯେଉଁ ଘରେ ଦିନେ ହସଖୁସିରେ ସଂସାର ଚାଲୁଥିଲା, ଆଜି ସେଠି ପାଦ ପକାଇବାକୁ ବି ଜାଗା ନାହିଁ । ଏପଟେ ବାଲେଶ୍ବରର ସ୍ଥିତି ଆଉ ଟିକେ ଗମ୍ଭୀର। ପୁଣି ଫେରିଛି ବନ୍ୟା, ପୁଣି ଉଜାଡ଼ିଦେଇଛି ହସଖୁସିର ସଂସାର। କାହାର ଚାଷ ଉଜୁଡ଼ିଛି, ତ ଆଉ କାହା ମୁଣ୍ଡ ଉପରୁ ଛାତ ହିଁ ଉଭାନ୍ ହୋଇଯାଇଛି। ଘରଦ୍ୱାର ଛାଡ଼ି ପୁଣି ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ଦହପଡ଼ା ଅଞ୍ଚଳର ବିପନ୍ନ। ଜାତୀୟ ରାଜପଥରେ ଜରିପାଲ ତଳେ ବିତୁଛି ଜୀବନ। ଛେଳି, କୁକୁରଙ୍କ ସହ ଗୋଟିଏ ଜାଗାରେ ଦିନ କାଟୁଛନ୍ତି ମଣିଷ। ଆକସ୍ମିକ ବନ୍ୟା ଛଡ଼ାଇନେଇଛି ସବୁ ସମ୍ବଳ। 

ଉତ୍ତରରୁ ଦକ୍ଷିଣ କିଛି ଛାଡ଼ିନି ଗଭୀର ଅବପାତ। ଯୁଆଡ଼େ ଚାହିଁବେ, ଯେତେ ବାଟ ଆଖି ଯିବ...ଖାଲି ଦିଶୁଛି ବୁଡାଇବା ଓ ଭସାଇବାର ଦୃଶ୍ୟ। ସେପଟେ ବୈତରଣୀର କୋପ। ଏବର୍ଷ ସପ୍ତମ ଥର ପାଇଁ ଭଦ୍ରକକୁ ବୁଡାଇଛି ବୈତରଣୀ। ସାଳନ୍ଦୀ ସ୍ଥିତି ବି ସଂଗୀନ। ଅର୍ଣ୍ଣପାଳ ଆଙ୍କପଦାରେ ୧୨ ଫୁଟ ଓ ନାଳିଆ ନଦୀରେ ୨୦ ଫୁଟର ଘାଇ ଯୋଗୁଁ ଏକାଧିକ ପଂଚାୟତ ଜଳାର୍ଣ୍ଣବ। ସେପଟେ ଉଭୟ ବାଲେଶ୍ବର ଓ ମୟୂରଭଞ୍ଜକୁ କନ୍ଦାଇଲାଣି ବୁଢାବଳଙ୍ଗ। ବଡ଼ସାହି, ବେତନଟୀ ବ୍ଲକର ଅନେକ ଗାଁ ପାଣି ଘେରରେ। ବାଲେଶ୍ବର ସଦର ଓ ରେମୁଣା ବ୍ଲକ ଏକପ୍ରକାରର ଭାସୁଛି। ନୀଳଗିରି ବି ବର୍ତ୍ତିନି। ଘର ଭୁଶୁଡ଼ିଛି, ଚାଷ ଉଜୁଡ଼ିଛି। ସେପଟେ ଉମରକୋଟରେ ସ୍ଥିତି ଗମ୍ଭୀର ହେବାରୁ ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ବିପନ୍ନ। ମାଲକାନଗିରି, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ମଧ୍ୟ ଦୁଃଖ ଦେଇଛି ବନ୍ୟା। ଚାଷ-ବାସ କିଛି ବର୍ତ୍ତିନି। 

ଇଏ ବଢି ମୁହଁରୁ ଜୀବନ ଫେରିବାର ମୁହୂର୍ତ୍ତ। ବାଲେଶ୍ବର ସହଦେବଖୁଣ୍ଟାରେ ବନ୍ୟା ଯୋଗୁ ଦୁଇ ମହଲା କୋଠାରେ ଫସିଥିବା ନର୍ସିଂ ଛାତ୍ରୀଙ୍କୁ ଏଭଳି ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସକାଳେ କ୍ଲାସ୍ ଯାଇଥିବା ଛାତ୍ରୀମାନେ ଜଳବନ୍ଦୀ ହୋଇପଡ଼ିଥିଲେ। ଏପଟେ ଗତକାଲି ସନ୍ଦ୍ୟାରେ ରେମୁଣାରେ ଭାସିଯାଇଥିବା ଆଉ ଦୁଇ ମହିଳାଙ୍କୁ ବି ସୁରକ୍ଷିତ ଭାବେ ଉଦ୍ଧାର କରିଛି ଫାୟାର୍ ଟିମ୍। ଅନ୍ୟପଟେ ପ୍ରବଳ ବର୍ଷା କାରଣରୁ କୋରାପୁଟରେ ପ୍ରଭାବିତ ହୋଇଛି ରେଲୱେ। ମାଲିଗୁଡ଼ା ନିକଟରେ କୋରାପୁଟ-ଜଗଦ୍ଦଲପୁର ଟ୍ରାକ୍ ମରାମତି ପାଇଁ ନିୟୋଜିତ ହୋଇଛନ୍ତି ୫୦୦ କର୍ମଚାରୀ। 

ଏପଟେ ରାଜସ୍ବ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୦ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୮୦ଟି ବ୍ଲକର ୧୦୭୧ଟି ଗାଁ ପ୍ରଭାବିତ ହୋଇଛି। ମୋଟ ୪ ହଜାର ୪୮୦ ହେକ୍ଟର ଫସଲ ଜମି ହୋଇଛି କ୍ଷତିଗ୍ରସ୍ତ। 

ଗଲା ୩ ମାସ ହେଲା ଓଡ଼ିଶାର ପିଛା ଛାଡ଼ୁନି ବନ୍ୟା। ଥରେ ପାଣି ଛାଡ଼ିବା ବେଳକୁ ଆଉଥରେ ପାଣି ମାଡ଼ି ଆସୁଛି। ଥରେ ଅଣ୍ଟା ସଳଖିବା ବେଳକୁ ଆଉ ଥରେ ଅଣ୍ଟା ଭାଙ୍ଗିଯାଉଛି। ଗୋଟିଏ ବର୍ଷରେ ସାତ ସାତଟି ବଢିରେ ବେହାଲ ହୋଇଗଲେଣି ଲୋକେ। ପ୍ରକୃତିର କରାଳ କୋପରୁ କେବେ ମୁକ୍ତି ମିଳିବ, ଏବର୍ଷ ବନ୍ୟା କେବେ ବିଦାୟ ନେବ ତାକୁ ଅନାଇ ବସିଛନ୍ତି ଲୋକେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।