Balangir Kidnapping Case Takes Dramatic Twist: ବଲାଙ୍ଗିର ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ, ଖୋଲୁଛି ଷଡ଼ଯନ୍ତ୍ରର ଗୁମର
ବଲାଙ୍ଗିରର ବହୁଚର୍ଚ୍ଚିତ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣାରେ ରୋମାଞ୍ଚକର ମୋଡ଼। ଜଣେ ମହିଳା ଏସଆଇ ଓ କ୍ରାଇମ ରିପୋର୍ଟର ଗିରଫ ପରେ ଖୋଲିଛି କିଡନାପ ପଛର ମଧୁଚନ୍ଦ୍ରିକା। ମହିଳା ଏସଆଇ ସ୍ନେହମଞ୍ଜରୀ ସାହୁ। ସାମ୍ବାଦିକ ସଞ୍ଜୟ ଜେନା। ନରେନ୍ଦ୍ର ସାହୁଙ୍କୁ ଅପହରଣ ପଛରେ ଏମାନଙ୍କର ଥିଲା ବଡ଼ ଲିଙ୍କ। ଅପରାଧୀଙ୍କୁ ଧରିବା ଯେଉଁ ପୋଲିସର କାମ ଆଉ ଅପରାଧ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ଯେଉଁ ସାମ୍ବାଦିକଙ୍କ କର୍ତ୍ତବ୍ୟ, ସେମାନେ ବି ଥିଲେ ଅପହରଣର ଜଣେ ଜଣେ ଷଡ଼ଯନ୍ତ୍ରକାରୀ। ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ଚନ୍ଦ୍ର ସାହୁଙ୍କ ଭଉଣୀ ହେଉଛନ୍ତି ଭୁବନେଶ୍ୱର ହେଡକ୍ୱାର୍ଟରର ଏସ୍ଆଇ ସ୍ନେହମଞ୍ଜରୀ ସାହୁ। ସେ ଅପହରଣର ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ। ସେହିପରି ପୋଲିସର ପରିଚୟ ଦେଇ ଅପହରଣରେ ସାମିଲ ଥିଲେ ସଞ୍ଜୟ। ଏମାନଙ୍କୁ ମିଶାଇ ବଲାଙ୍ଗିର ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି।
ପୁରା ଘଟଣା ପଛରେ ରହିଛି ସିନେମା କାହାଣୀକୁ ବି ବଳିଯିବା ଭଳି କ୍ରାଇମ ମାଷ୍ଟରପ୍ଲାନ୍। ପୋଲିସ ସୂଚନା ଅନୁସାରେ ବଲାଙ୍ଗିରର ଏକ ହୋଟେଲରେ ଅପହରଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ନରେନ୍ଦ୍ର ସାହୁଙ୍କୁ ଜମି ଦେଖାଇବା ବାହାନାରେ ଡାକିଥିଲେ। ପୂର୍ବରୁ ସେଠି ଛକି ରହିଥିବା କ୍ଷିତୀଶ ଓ ସହଯୋଗୀ ପିସ୍ତଲ ଦେଖାଇ ତାଙ୍କୁ କାରରେ ଅପହରଣ କରିଥିଲେ। ଏହା ଥିଲା କିଡନାପ ଷଡ଼ଯନ୍ତ୍ରର ପ୍ରଥମ ପର୍ଯ୍ୟାୟ। ଆଉ ଦ୍ୱିତୀୟ ପର୍ଯ୍ୟାୟ ଥିଲା ଆହୁରି ସାଂଘାତିକ। ଅପହୃତ ନରେନ୍ଦ୍ରଙ୍କୁ ଓଲଟା ମୁଖ୍ୟ ଅଭିଯୁକ୍ତ କ୍ଷିତୀଶର ଅପହରଣକାରୀ ସଜେଇବାକୁ ପିସ୍ତଲ ଧରାଇ ତିଆରି କରାଯାଇଥିଲା ଭିଡିଓ। ଏହି କାମ କରାଇଥିଲେ ସ୍ନେହମଞ୍ଜରୀ ଓ ସଞ୍ଜୟ। ସେହି ଭିଡିଓକୁ ଅସ୍ତ୍ର କରି ନରେନ୍ଦ୍ରଙ୍କୁ ହିଁ ଅପହରଣକାରୀ ସଜାଇବାକୁ ଯୋଜନା ହୋଇଥିଲା । ଏପରିକି ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଏଫଆଇଆର୍ କରାଇ, ସେହି ଭିଡିଓ ଦେଖାଇ ନରେନ୍ଦ୍ରଙ୍କୁ ଗିରଫ କରାଇବାକୁ କରିଥିଲେ ଚକ୍ରାନ୍ତ। କିନ୍ତୁ ପ୍ଲାନ ଫ୍ଲପ କରିଥିଲା ବଲାଙ୍ଗିର ପୋଲିସ।
ତଦନ୍ତ ଆଗକୁ ବଢ଼ିବା ସହ ଅପହରଣ ନାଟକରେ ସାମନାକୁ ଆସୁଛନ୍ତି ନୂଆ ନୂଆ ଚେହେରା। ଉଠୁଛି ମାଳ ମାଳ ପ୍ରଶ୍ନ। କିଏ ପ୍ରକୃତ ଷଡ଼ଯନ୍ତ୍ରକାରୀ ? କାହା ଇସାରାରେ ହୋଇଥିଲା କିଡନାପ୍ ବ୍ଲୁପ୍ରିଣ୍ଟ ? ରହସ୍ୟ ଖୋଲିପାରେ ଖଣ୍ଡଗିରି ଥାନାର ସିସିଟିଭି ଫୁଟେଜ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।