Suspicious Deaths of Father and Son: ଘରୁ ବାପା ଓ ୫ ବର୍ଷର ପୁଅର ମୃତଦେହ ଉଦ୍ଧାର; ପତ୍ନୀଙ୍କୁ ପଚରାଉଚରା କରୁଛି ପୋଲିସ
ବେଙ୍ଗାଲୁରୁରେ ଏକ ଘରୁ ସୋମବାର ସକାଳେ ଜଣେ ୩୫ ବର୍ଷୀୟ ଘରୋଇ କମ୍ପାନୀ କର୍ମଚାରୀ ଓ ତାଙ୍କ ୫ ବର୍ଷର ପୁଅଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି।
ମୃତକ ହେଲେ କୁନିଗଲ ନିବାସୀ ୩୫ ବର୍ଷୀୟ ଅଭିନନ୍ଦନ ଓ ତାଙ୍କ ୫ ବର୍ଷର ପୁଅ ଯଦୁବୀର। ଅଭିନନ୍ଦନ ତାଙ୍କ ପତ୍ନୀ ହରିଣୀ ଓ ପୁଅ ସହ ଉକ୍ତ ଘରେ ରହୁଥିଲେ।
ପୋଲିସ ଅନୁସାରେ, ସୋମବାର ସକାଳେ ହରିଣୀ ପୋଲିସ ହେଲ୍ପଲାଇନକୁ ଯୋଗାଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ସେ ପୋଲିସକୁ କହିଥିଲେ ଯେ ତାଙ୍କ ପରିବାର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ରବିବାର ସନ୍ଧ୍ୟାରେ ଘରକୁ ଫେରିଥିଲେ।
ହରିଣୀ ପୋଲିସକୁ କହିଥିଲେ, ସୋମବାର ସକାଳେ ଉଠିବା ପରେ ମୁଁ ମୋ ସ୍ୱାମୀ ଓ ପୁଅଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଲି।
ଫୋନ୍ ପାଇବା ପରେ ପୋଲିସ କର୍ମଚାରୀମାନେ ତୁରନ୍ତ ଘରେ ପହଞ୍ଚି ଉଭୟ ବାପା ଓ ପୁଅଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ଉଭୟଙ୍କ ମୃତଦେହକୁ ଜବତ କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଉଭୟ ମୃତଦେହରେ କୌଣସି ବଡ଼ ବାହ୍ୟ ଆଘାତ ଚିହ୍ନ ନଥିଲା, ତେବେ ସାମାନ୍ୟ ଆଘାତ ଚିହ୍ନ ଦେଖାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ତଦନ୍ତର ଅଂଶ ଭାବେ ପୋଲିସ ଉଭୟଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି। ମୃତ୍ୟୁ ପୂର୍ବରୁ ଘଟଣାକ୍ରମ ଜାଣିବା ପାଇଁ ଅଧିକାରୀମାନେ ଫୋନ୍ର କଲ୍ ରେକର୍ଡ, ମେସେଜ୍ ଏବଂ ଅନ୍ୟାନ୍ୟ ଉପଲବ୍ଧ ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛନ୍ତି।
ମୃତକଙ୍କ ମା’ ଆଣିଲେ ହତ୍ୟା ଅଭିଯୋଗ
ଅଭିନନ୍ଦନଙ୍କ ମା’ ପୋଲିସ ନିକଟରେ ପହଞ୍ଚି ତାଙ୍କ ପୁଅ ଓ ନାତିକୁ ହତ୍ୟା କରାଯାଇଥିବା ଅଭିଯୋଗ ଦାଖଲ କରିବା ପରେ ମାମଲା ଭିନ୍ନ ମୋଡ଼ ନେଇଛି। ଅଭିଯୋଗ ଓ ଘରେ ଦେଖାଯାଇଥିବା ଅନ୍ୟାନ୍ୟ ସନ୍ଦେହଜନକ ପରିସ୍ଥିତି ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।