Bangladesh Ex-Air Chief Arrested: କତାରରେ ଗିରଫ ହେଲେ ପୂର୍ବତନ ବାୟୁସେନା ମୁଖ୍ୟ, ଦୁର୍ନୀତି ଅଭିଯୋଗରେ ବଡ଼ ଆକ୍ସନ

Oct 19, 2026 - 11:55
Bangladesh Ex-Air Chief Arrested: କତାରରେ ଗିରଫ ହେଲେ ପୂର୍ବତନ ବାୟୁସେନା ମୁଖ୍ୟ, ଦୁର୍ନୀତି ଅଭିଯୋଗରେ ବଡ଼ ଆକ୍ସନ

ବାଂଲାଦେଶର ପୂର୍ବତନ ବାୟୁସେନା ମୁଖ୍ୟ ଶେଖ୍ ଅବଦୁଲ ହାନ୍ନାନଙ୍କୁ କତାରରେ ଗିରଫ କରାଯାଇଛି। ନିଜ ଦେଶରେ ତାଙ୍କ ବିରୋଧରେ ରହିଥିବା ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ କତାରର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଅକ୍ଟୋବର ୧୫ ତାରିଖରେ ତାଙ୍କୁ ଅଟକ ରଖିଥିବା ବାଂଲାଦେଶର ଆଣ୍ଟି କରପ୍‌ସନ କମିଶନ (ଏସିସି) ପକ୍ଷରୁ କୁହାଯାଇଛି। 

ଏସିସିର ଉପନିର୍ଦ୍ଦେଶକ ମହମ୍ମଦ ଅଖତରୁଲ ଇସଲାମଙ୍କ କହିବା ଅନୁସାରେ, ଇଣ୍ଟରପୋଲ୍‌ର ଏକ ଇମେଲ୍‌ ମାଧ୍ୟମରେ ହାନ୍ନାନଙ୍କ ଗିରଫଦାରୀ ସମ୍ପର୍କରେ କମିଶନକୁ ଅବଗତ କରାଯାଇଛି।

କମିଶନର ଅଭିଯୋଗ ଅନୁଯାୟୀ, ହାନ୍ନାନ ନିଜର ଜଣାଶୁଣା ଆୟ ଉତ୍ସ ତୁଳନାରେ ୩ କୋଟି ୨୮ ଲକ୍ଷ ବାଂଲାଦେଶୀ ଟାକାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠୁଳ କରିଛନ୍ତି। ଏହା ସହ ତାଙ୍କର ୬ଟି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୨୭ କୋଟି ୬୩ ଲକ୍ଷ ଟାକାର ସନ୍ଦେହଜନକ ଆର୍ଥିକ କାରବାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ଏହି ମାମଲାରେ ହାନ୍ନାନଙ୍କ ପତ୍ନୀ ତାହମିଦା ବେଗମ୍‌ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଏସିସିର ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ସହଯୋଗରେ ସେ ନିଜର ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ୧ କୋଟି ୯୧ ଲକ୍ଷ ଟାକାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଅର୍ଜନ କରିଛନ୍ତି। ଏଥିସହ ତାଙ୍କ ନାମରେ ଥିବା ୩୨ଟି ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୧୮ ଲକ୍ଷ ଟାକାର ସନ୍ଦେହଜନକ କାରବାର ହୋଇଛି।

ତଦନ୍ତ ବେଳେ ହାନ୍ନାନଙ୍କ ବିଦେଶରେ ଥିବା ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଥିବା ଏସିସି କହିଛି। କାନାଡା ଓ ଦୁବାଇରେ ତାଙ୍କର ସମ୍ପତ୍ତି ଥିବା ଅଭିଯୋଗ ରହିଛି। ଏହାସହ ତାଙ୍କ ପିଲାମାନଙ୍କ ନାମରେ ତିନୋଟି ଦେଶରେ ରହିଛି।

ଗତ ମାର୍ଚ୍ଚରେ ଢାକାର ଏକ ଅଦାଲତ ଏସିସିର ଆବେଦନ ଆଧାରରେ ହାନ୍ନାନ ଓ ତାଙ୍କ ପତ୍ନୀଙ୍କ ଆୟକର ସମ୍ବନ୍ଧୀୟ ଦସ୍ତାବିଜ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପୂର୍ବରୁ ଅଦାଲତ ତାଙ୍କର କିଛି ସମ୍ପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବାକୁ ମଧ୍ୟ ଆଦେଶ ଦେଇଥିଲେ। ତାଙ୍କ ବିରୋଧରେ ଯାତ୍ରା କଟକଣା ଥିବା ସତ୍ତ୍ୱେ ସେ ବାଂଲାଦେଶ ଛାଡ଼ିଥିବା ନେଇ ମଧ୍ୟ ଏସିସି କହିଛି।

୨୦୨୧ରୁ ୨୦୨୪ ଯାଏଁ ଥିଲେ ବାୟୁସେନା ମୁଖ୍ୟ

ଶେଖ୍ ଅବଦୁଲ ହାନ୍ନାନ ୧୯୮୪ ମସିହାରେ ବାଂଲାଦେଶ ବାୟୁସେନାରେ ଜଣେ ପାଇଲଟ୍‌ ଭାବେ ଯୋଗ ଦେଇଥିଲେ। ୨୦୨୧ ଜୁନ୍‌ ୧୨ ତାରିଖରେ ସେ ବାଂଲାଦେଶ ବାୟୁସେନାର ୧୬ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୪ ଜୁନ୍‌ ୧୧ ତାରିଖରେ ସେ ଅବସର ନେଇଥିଲେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍‌ ସରକାର ସମୟରେ ହାନ୍ନାନ ବାୟୁସେନା ମୁଖ୍ୟ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକର ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।