Cine Workers' Bodies Demand 'Safer' Environment: ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ ଘଟଣା: ଅଭିନେତାଙ୍କ ସୁରକ୍ଷା ଦାବି କଲା ସିନେ ସଂଘ

Oct 19, 2026 - 12:38
Cine Workers' Bodies Demand 'Safer' Environment: ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ ଘଟଣା: ଅଭିନେତାଙ୍କ ସୁରକ୍ଷା ଦାବି କଲା ସିନେ ସଂଘ

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ କରି ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି ସିନେ ସଂଗଠନ। ଅଭିନେତା ଓ ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା ସହ ଚଳଚ୍ଚିତ୍ର ଜଗତର ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଦାବି ହୋଇଛି।

ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୟିଜ୍‌ ଫେଡେରେସନ୍‌ (FWICE) ଏହି ଘଟଣାକୁ ନିନ୍ଦା କରିଛି। ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିଙ୍କୁ ବାରମ୍ବାର ଟାର୍ଗେଟ କରାଯିବା ଗମ୍ଭୀର ଚିନ୍ତାର ବିଷୟ ବୋଲି ସଂଗଠନ କହିଛି। ପୂର୍ବରୁ ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା ପରେ ପୁଣି ଏଭଳି ଘଟଣା ଘଟିବା ଚଳଚ୍ଚିତ୍ର ଶିଳ୍ପର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି।

ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଚିହ୍ନଟ କରିବା ସହ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ FWICE ଦାବି କରିଛି। ମହାରାଷ୍ଟ୍ର ସରକାର ଓ ପୁଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚଳଚ୍ଚିତ୍ର ଜଗତର କଳାକାର ଓ ଅନ୍ୟ ସଦସ୍ୟଙ୍କ ସୁରକ୍ଷା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସଂଗଠନ ଅନୁରୋଧ କରିଛି।

ଅନ୍ୟପଟେ, ଅଲ୍‌ ଇଣ୍ଡିଆନ୍‌ ସିନେ ୱାର୍କର୍ସ ଆସୋସିଏସନ୍‌ (AICWA) ମଧ୍ୟ ଏହି ଘଟଣାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ସମ୍ବୋଧିତ କରି ସଂଗଠନ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ସହ ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଶୀଘ୍ର ଗିରଫ ଏବଂ ଚଳଚ୍ଚିତ୍ର ଜଗତର ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଦାବି କରିଛି।

ବାରମ୍ବାର ଏଭଳି ଘଟଣା ଘଟିବାରେ ସୁରକ୍ଷା ବ୍ୟବସ୍ଥାର ବିଫଳତା ପାଇଁ ଦାୟିତ୍ୱ ସ୍ଥିର କରିବା ସହ ମୁମ୍ବାଇବାସୀ ଓ ଚଳଚ୍ଚିତ୍ର ଶିଳ୍ପର ଲୋକଙ୍କ ମଧ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିଶ୍ୱାସ ଫେରାଇ ଆଣିବାକୁ AICWA ଦାବି କରିଛି। ମୁମ୍ବାଇକୁ ୧୯୯୦ ଦଶକର ଅଣ୍ଡରୱାର୍ଲ୍ଡ ଭୟର ଦିନକୁ ଫେରିବାକୁ ଦିଆଯିବ ନାହିଁ ଏବଂ ବଲିଉଡ୍‌ ଭୟର ଛାୟାରେ କାମ କରିବ ନାହିଁ ବୋଲି ସଂଗଠନ କହିଛି।

ଏହି ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ୧୫ଟି ଟିମ୍‌ ଗଠନ କରିଛି। ଗୁଳିମାଡ଼ରେ ଆହତ ହୋଇଥିବା ଟାଇଗର ଶ୍ରଫ୍‌ଙ୍କ ଡ୍ରାଇଭର ଫିରଦୌସଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିଛି। ତାଙ୍କ ବାମ ହାତରେ ଗୁଳି ବାଜିଥିବା ସୂଚନା ମିଳିଛି। ଘଟଣାରେ କିଏ ସମ୍ପୃକ୍ତ ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।