Bank 10 Days Closed In September: ସେପ୍ଟେମ୍ବରରେ ୪ ଦିନ ବ୍ୟାଙ୍କ ଧର୍ମଘଟ, ଶୀଘ୍ର କାମ ସାରିଦିଅନ୍ତୁ

Aug 24, 2026 - 17:40
Bank 10 Days Closed In September: ସେପ୍ଟେମ୍ବରରେ ୪ ଦିନ ବ୍ୟାଙ୍କ ଧର୍ମଘଟ, ଶୀଘ୍ର କାମ ସାରିଦିଅନ୍ତୁ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର। ସେପ୍ଟେମ୍ବରରେ ଦେଶବ୍ୟାପୀ ୪ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ଘୋଷଣା କରିଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ(UFBU)। ଦାବି ପୂରଣ ନ ହେଲେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟର ଚେତାବନୀ ମଧ୍ୟ ଦିଆଯାଇଛି।

UFBUର ଅଗଷ୍ଟ ୨୩ ତାରିଖର ସର୍କୁଲାର ଅନୁସାରେ, ପ୍ରଥମ ଦେଶବ୍ୟାପୀ ଧର୍ମଘଟ ସେପ୍ଟେମ୍ବର ୧୧ରେ ହେବ। ଏହା ପରେ ସେପ୍ଟେମ୍ବର ୨୮, ୨୯ ଓ ୩୦। ଏହି ତିନି ଦିନ ଧରି ଆଉ ଏକ ଦେଶବ୍ୟାପୀ ଧର୍ମଘଟ ହେବ। ଅର୍ଥାତ୍‌ ସେପ୍ଟେମ୍ବରରେ ମୋଟ ୪ ଦିନ ଧର୍ମଘଟ ଘୋଷଣା କରାଯାଇଛି। ଅର୍ଥାତ ସେପ୍ଟେମ୍ବର ମାସରେ ସରକାରୀ ଛୁଟି ଏବଂ ଧର୍ମଘଟକୁ ମିଶାଇଲେ ମୋଟ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। 

ବ୍ୟାଙ୍କ ୟୁନିଅନ୍‌ଗୁଡ଼ିକର ମୁଖ୍ୟ ଦାବି ହେଉଛି ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା। ଏହା ସହ ସରକାରଙ୍କ ନୂଆ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ(PLI) ଯୋଜନାକୁ ଫେରାଇ ନେଇ ୟୁନିଅନ୍‌ ସହ ଆଲୋଚନା କରି ସଂଶୋଧନ କରିବାକୁ ଦାବି ହୋଇଛି।

ୟୁନିଅନ୍‌ର ଦାବି ଅନୁସାରେ, ୨୦୨୪ ମାର୍ଚ୍ଚରେ ହୋଇଥିବା ବାଇପାର୍ଟାଇଟ୍‌ ସେଟଲମେଣ୍ଟରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୫ ଦିନ ବ୍ୟାଙ୍କିଂ କରିବା ନେଇ ସହମତି ହୋଇଥିଲା। ଦୈନିକ କାର୍ଯ୍ୟ ସମୟ ୪୦ ମିନିଟ୍‌ ବଢ଼ାଇ ଏହା ଲାଗୁ କରିବାର ପ୍ରସ୍ତାବ ଥିଲା। କିନ୍ତୁ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇନଥିବାରୁ ୟୁନିଅନ୍‌ଗୁଡ଼ିକ ଅସନ୍ତୁଷ୍ଟ।

PLIକୁ ନେଇ ମଧ୍ୟ ବଡ଼ ବିବାଦ ରହିଛି। UFBU ଅଭିଯୋଗ କରିଛି ଯେ Scale IV ଓ ତା’ଠାରୁ ଉପର ଅଧିକାରୀଙ୍କ ପାଇଁ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ଅଧିକ PLI ମିଳିପାରେ, ଯେତେବେଳେ Scale III ପର୍ଯ୍ୟନ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୀମା ଅନେକ କମ୍‌। ଏହାକୁ ୟୁନିଅନ୍‌ଗୁଡ଼ିକ ଅସମାନ ଓ ବିଭେଦମୂଳକ ବୋଲି କହିଛନ୍ତି।

ଏହା ବ୍ୟତୀତ ପେନ୍‌ସନ୍‌ ସଂଶୋଧନ, ସମସ୍ତ ପେନ୍‌ସନରଙ୍କ ପାଇଁ ସମାନ DA ଫର୍ମୁଲା ଏବଂ NPS କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ୍‌ ଯୋଜନା ବା OPSକୁ ଯିବାର ବିକଳ୍ପ ଦେବା ଭଳି ଦାବି ମଧ୍ୟ ରହିଛି। ସେପ୍ଟେମ୍ବର ଧର୍ମଘଟ ପୂର୍ବରୁ ଅଗଷ୍ଟ ୨୪ରୁ ବିଭିନ୍ନ ସଚେତନତା ଅଭିଯାନ, ପ୍ରଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବାକୁ ୟୁନିଅନ୍‌ଗୁଡ଼ିକ ଯୋଜନା କରିଛନ୍ତି।

ତେବେ ଗ୍ରାହକଙ୍କ ପାଇଁ ଏବେ ମୁଖ୍ୟ ପ୍ରଶ୍ନ, ସେପ୍ଟେମ୍ବରରେ ବ୍ୟାଙ୍କ ସେବା କେତେ ପ୍ରଭାବିତ ହେବ? ଧର୍ମଘଟରେ କର୍ମଚାରୀଙ୍କ ଅଂଶଗ୍ରହଣ ଓ ସରକାର-ବ୍ୟାଙ୍କ ୟୁନିଅନ୍‌ ମଧ୍ୟରେ ଆଲୋଚନାର ପରବର୍ତ୍ତୀ ଫଳାଫଳ ଉପରେ ଏହା ନିର୍ଭର କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।