Bay of Bengal: ଆଜି ବଙ୍ଗୋପସାଗରରେ ଅବପାତ: ଆନ୍ଧ୍ରପ୍ରଦେଶମୁହାଁ ହେବା ନେଇ ପୂର୍ବାନୁମାନ
ଭୁବନେଶ୍ବର: ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହେବା ସହ ଏହାର ଅବଶିଷ୍ଟାଂଶ ଆଜି ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ରରେ ସକ୍ରିୟ ରହିଛି। ଓଡ଼ିଶା ଉପରୁ ‘ଅର୍ଣ୍ଣବ’ ବିପଦ ଟଳିଥିଲେ ସୁଦ୍ଧା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି। ବିଭାଗ କହିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଶନିବାର ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇପାରେ।
ଏହାପରେ ଆହୁରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ପ୍ରଭାବରେ ନଭେମ୍ବର ୧ ବେଳକୁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ନୟାଗଡ଼, ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ସେହିପରି ୨ ଓ ୩ ତାରିଖରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର କେତେକ ସ୍ଥାନରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ଅତିପ୍ରବଳ ବର୍ଷା ଓ ୨୬ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇରେ ୧୮୫ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମର ପାତ୍ରପୁରରେ ୧୭୩ ମିମି, ପୋଲସରାରେ ୧୫୪.୬ ମିମି, ପୁରୀ ଜିଲ୍ଲା ନିମାପଡ଼ାରେ ୧୫୪.୨ ମିମି ଏବଂ ବରଗଡ଼ର ଆମ୍ବଭୋନାରେ ୧୦୮ ମିମି ବର୍ଷା ହେଇଛି। ୩୧ ତାରିଖ ପୂର୍ବାହ୍ଣ ସୁଦ୍ଧା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ୩୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଆନ୍ଧ୍ରପ୍ରଦେଶମୁହାଁ ହେବା ନେଇ ପୂର୍ବାନୁମାନ
୧ରୁ ୩ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ‘ଅର୍ଣ୍ଣବ’
୧ରୁ ୩ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ‘ଅର୍ଣ୍ଣବ’
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୁଦୃଶ୍ୟ ଲଘୁଚାପ ଶ୍ରୀବିଜୟପୁରମ୍ (ପୋର୍ଟ ବ୍ଲେୟାର)ଠାରୁ ପ୍ରାୟ ୧୫୦ କିମି ପୂର୍ବ-ଦକ୍ଷିଣପୂର୍ବରେ ଓ ଲିଟିଲ୍ ଆଣ୍ଡାମାନଠାରୁ ପ୍ରାୟ ୧୨୦ କିମି ପୂର୍ବରେ ରହିଛି। ଅବପାତରେ ପରିଣତ ପରେ ଆସନ୍ତା ୧ରୁ ୩ ତାରିଖ ମଧ୍ୟରେ ବଙ୍ଗୋପସାଗର ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ। ସ୍ଥଳଭାଗ ଅତିକ୍ରମ କରିବାର ନିର୍ଦ୍ଦିଷ୍ଟ ସ୍ଥାନ, ସମୟ ଓ ତୀବ୍ରତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସମୁଦ୍ରର ଅନୁକୂଳ ପରିସ୍ଥିତି ପ୍ରାରମ୍ଭିକ ଅବସ୍ଥାରେ ଏହି ପ୍ରଣାଳୀକୁ ଶକ୍ତିଶାଳୀ କରିବାରେ ସହାୟକ ହେବ। ଏହା ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତାର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇପାରିବ ନାହିଁ। ବର୍ତ୍ତମାନର ପବନ ପ୍ରବାହ ଅନୁସାରେ ପ୍ରଣାଳୀଟି ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଆଡ଼କୁ ମୋଡ଼ ନେବାର ସମ୍ଭାବନା କମ୍ ରହିଛି। ତଥାପି ଏହାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇପାରିବ ନାହିଁ। ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ପବନର ବେଗ ଘଣ୍ଟାକୁ ୨୦-୩୫ କିମି ଏବଂ ଝଟକା ପବନ ୪୫ କିମି ପର୍ଯ୍ୟନ୍ତ ହୋଇପାରେ। ବର୍ତ୍ତମାନର ସମ୍ଭାବ୍ୟ ଗତିପଥ ଅନୁସାରେ ବାତ୍ୟାସ୍ତରର ପ୍ରବଳ ପବନ ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।