BCCI Crackdown on Age Fraud: ମହଙ୍ଗା ପଡ଼ିଲା ବୟସ ଜାଲିଆତି; କ୍ରିକେଟରଙ୍କୁ ବ୍ୟାନ କଲା ବିସିସିଆଇ, ୬୨ ଖେଳାଳି ଅଯୋଗ୍ୟ ଘୋଷିତ

Sep 04, 2026 - 13:59
BCCI Crackdown on Age Fraud: ମହଙ୍ଗା ପଡ଼ିଲା ବୟସ ଜାଲିଆତି; କ୍ରିକେଟରଙ୍କୁ ବ୍ୟାନ କଲା ବିସିସିଆଇ, ୬୨ ଖେଳାଳି ଅଯୋଗ୍ୟ ଘୋଷିତ

ବୟସ ଜାଲିଆତି ଏବଂ କାଗଜପତ୍ରରେ ଗଡ଼ବଡ଼ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପଶ୍ଚିମବଙ୍ଗର ଜଣେ ଯୁବ କ୍ରିକେଟରଙ୍କୁ ୨ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ କରିଛି। ଏହା ସହିତ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି) ପକ୍ଷରୁ ମଧ୍ୟ ଅନ୍ୟ ୬୨ ଜଣ ଖେଳାଳିଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଛି। ଭାରତୀୟ ଅଣ୍ଡର୍-୧୯ ଦଳର ଲେଗ୍-ସ୍ପିନର ରୋହିତ ଯାଦବ ନିଜର ଆଧାର କାର୍ଡ ଏବଂ ଜନ୍ମ ପ୍ରମାଣପତ୍ରରେ ବାରମ୍ବାର ବୟସ ବଦଳାଇଥିବା ଜଣାପଡ଼ିବା ପରେ ଏହି ଆକ୍ସନ ନେଇଛି ବିସିସିଆଇ।

ପ୍ରଥମେ ୨୦୧୪ ମସିହାରେ ପଞ୍ଜୀକରଣ ସମୟରେ ତାଙ୍କ ଜନ୍ମବର୍ଷ ୨୦୦୭ ଥିଲା ଏବଂ ଠିକଣା ଉତ୍ତର ପ୍ରଦେଶ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୭ ଏବଂ ୨୦୨୦ ମଧ୍ୟରେ ଏହାକୁ ବଦଳାଇ ୨୦୦୬ କରାଯାଇଥିଲା ଏବଂ ଶେଷରେ ୨୦୨୧ ମସିହାରେ ଏହାକୁ ଆହୁରି କମାଇ ୨୦୦୯ କରିଦିଆଯାଇଥିଲା। ଏହାସହ ତାଙ୍କ ଠିକଣା ମଧ୍ୟ ବଦଳି ହାୱଡ଼ା, ପଶ୍ଚିମବଙ୍ଗକୁ ଚାଲିଆସିଥିଲା।

ରୋହିତଙ୍କ ଏହି ବୟସ ଜାଲିଆତି ଜଣାପଡିବା ପରେ ବିସିସିଆଇ ତାଙ୍କୁ ସମସ୍ତ ଘରୋଇ କ୍ରିକେଟରୁ ୨ ବର୍ଷ ପାଇଁ ବ୍ୟାନ କରିଛି ଏବଂ ଏହି ସୂଚନା ସମସ୍ତ ରାଜ୍ୟ କ୍ରିକେଟ୍ ସଂଘକୁ ଦେଇଛି। କିଛି ଦିନ ପରେ ଅଷ୍ଟ୍ରେଲିଆ ଅଣ୍ଡର୍-୧୯ ଦଳ ବିପକ୍ଷରେ ହେବାକୁ ଥିବା ସିରିଜ୍ ପାଇଁ ରୋହିତଙ୍କୁ ଭାରତୀୟ ଅଣ୍ଡର୍-୧୯ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ ଏହି କାରଣରୁ ତାଙ୍କୁ ଦଳରୁ ବାଦ୍ ପଡ଼ିବାକୁ ପଡିଛି ଏବଂ ବିସିସିଆଇ ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ଖେଳାଳିଙ୍କୁ ସୁଯୋଗ ଦେବାକୁ ଯାଉଛି।

କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି) ପକ୍ଷରୁ ବିସିସିଆଇର ନିର୍ଦ୍ଦେଶ କ୍ରମେ ରାଜ୍ୟର ଯୁବ ଖେଳାଳିମାନଙ୍କ କାଗଜପତ୍ର ଏବଂ ବୟସର ଅନୁସନ୍ଧାନ କରାଯାଇଥିଲା। ଏହି ଯାଞ୍ଚ ପରେ ୨୦୨୬-୨୭ ଏବଂ ୨୦୨୭-୨୮ ସିଜିନ୍ ପାଇଁ ମୋଟ ୬୨ ଜଣ ଖେଳାଳିଙ୍କୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି।

ଏହି ତାଲିକାରେ ପୂର୍ବତନ ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରବି କୁମାର ଏବଂ ଅଲରାଉଣ୍ଡର ବିଶାଲ ଭାଟିଙ୍କ ଭଳି କିଛି ଜଣାଶୁଣା ଖେଳାଳି ମଧ୍ୟ ସାମିଲ ଅଛନ୍ତି, ଯେଉଁମାନଙ୍କ କାଗଜପତ୍ରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।