BCCIର ବଡ଼ ନିଷ୍ପତ୍ତି, ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ସ୍ଥାନ ପରିବର୍ତ୍ତନ
ନୂଆଦିଲ୍ଲୀ,୫।୧୧: ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର ଏହି ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରିଛି। ପ୍ରକୃତରେ ଏହି ମ୍ୟାଚ ଡିସେମ୍ବର ୧୩ ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାର ଥିଲା, କିନ୍ତୁ ବର୍ତ୍ତମାନ ଏହାର ସ୍ଥାନ ବଦଳାଇ ଦିଆଯାଇଛି।
BCCI ଏହି ସ୍ଥାନ ପରିବର୍ତ୍ତନ ପଛର କାରଣ ମଧ୍ୟ ଜଣାଇଛି। ଏହା ପୂର୍ବରୁ, ବିଭିନ୍ନ ରିପୋର୍ଟରେ ସଙ୍କେତ ଦିଆଯାଇଥିଲା ଯେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ। ବର୍ତ୍ତମାନ କ୍ରିକେଟ ବୋର୍ଡ ଏ ନେଇ ଏକ ଆନୁଷ୍ଠାନିକ ଘୋଷଣା କରିଛି। ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଡିସେମ୍ବର ୧୩ରେ ବିଶାଖାପାଟଣାରେ ଅନୁଷ୍ଠିତ ହେବ।
BCCI ଏହି ମ୍ୟାଚକୁ ଦିଲ୍ଲୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଛି। କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପାଗର ସ୍ଥିତି ଏବଂ ଷ୍ଟାଡିୟମରେ ଚାଲିଥିବା ନବୀକରଣ କାର୍ଯ୍ୟକୁ ଦର୍ଶାଇ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ (DDCA) ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ଫଳରେ, BCCI ଏହି ମ୍ୟାଚକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ମ୍ୟାଚ ବିଶାଖାପାଟଣା ସ୍ଥିତ ACA-VDCA କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଉଲ୍ଲେଖନୀୟ ଯେ, ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା କାର୍ଯ୍ୟ ଯୋଗୁ ଡିସେମ୍ବର ୧୩ ସୁଦ୍ଧା ମ୍ୟାଚ ଆୟୋଜନ ପାଇଁ ଏହି ସ୍ଥାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇପାରିବ ନାହିଁ। ପ୍ରଥମ ଦିନିକିଆ ମ୍ୟାଚ ଅହମଦାବାଦକୁ ସ୍ଥାନାନ୍ତର ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ବର୍ତ୍ତମାନ ଏହା ବିଶାଖାପାଟଣାରେ ଅନୁଷ୍ଠିତ ହେବ। ପ୍ରାରମ୍ଭିକ ରିପୋର୍ଟଗୁଡ଼ିକ ପରେ, BCCI ସଚିବ ଦେବଜିତ ସାଇକିଆ ଏହି ଦାବିଗୁଡ଼ିକୁ ଭୁଲ ବୋଲି ଖଣ୍ଡନ କରିଥିଲେ; ତଥାପି, ବର୍ତ୍ତମାନ ବାସ୍ତବରେ ମ୍ୟାଚ ସ୍ଥାନ ପରିବର୍ତ୍ତନ କରାଯାଇଛି।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।