BCI Has No Jurisdiction To Punish Law Students: ଆଇନ ଛାତ୍ରଙ୍କୁ ଦଣ୍ଡ ଦେବାର ଅଧିକାର BCIର ନାହିଁ: ସୁପ୍ରିମକୋର୍ଟ

Sep 03, 2026 - 13:48
BCI Has No Jurisdiction To Punish Law Students: ଆଇନ ଛାତ୍ରଙ୍କୁ ଦଣ୍ଡ ଦେବାର ଅଧିକାର BCIର ନାହିଁ: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ପୁଣି ଥରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)କୁ ଭର୍ତ୍ସନା କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର BCIର କୌଣସି ଆଇନଗତ କ୍ଷମତା ନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ଆଚରଣ ସମ୍ପର୍କରେ ଆଇନ ବିଶ୍ୱବିଦ୍ୟାଳୟଗୁଡ଼ିକୁ କିପରି ପଦକ୍ଷେପ ନେବାକୁ ହେବ, ସେଥିରେ ମଧ୍ୟ BCI ନିର୍ଦ୍ଦେଶ ଦେଇପାରିବ ନାହିଁ।

ହାଇଦ୍ରାବାଦସ୍ଥିତ NALSAR ୟୁନିଭର୍ସିଟି ଅଫ୍ ଲ'ର 2026 ସ୍ନାତକ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ BCI ପକ୍ଷରୁ ଜାରି ହୋଇଥିବା ଚିଠିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ସମ୍ପର୍କିତ ନିୟନ୍ତ୍ରଣର ଅଧିକାର କେବଳ ସେହି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନର ଅଟେ, ଯେଉଁଠାରେ ସେମାନେ ନାମ ଲେଖାଇଛନ୍ତି।

ଏହି ଖଣ୍ଡପୀଠରେ ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନା ମଧ୍ୟ ସାମିଲ ଥିଲେ। ଖଣ୍ଡପୀଠ କହିଛନ୍ତି ଯେ, BCI ଯେଉଁ Advocates Act, 1961 ଅଧୀନରେ ଗଠିତ ହୋଇଛି, ସେହି ଆଇନରେ ଛାତ୍ରଛାତ୍ରୀଙ୍କ ବିରୋଧରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା BCIକୁ ଦିଆଯାଇନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, BCI ଆଇନ ଅନୁଯାୟୀ ଆଇନ ଶିକ୍ଷାର ମାନଦଣ୍ଡ ନିର୍ଦ୍ଧାରଣ ଓ ତାହାକୁ କାର୍ଯ୍ୟକାରୀ କରିପାରିବ। “କିନ୍ତୁ ଏହା କୌଣସି ଆଇନ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ।”

NALSAR ଛାତ୍ରଛାତ୍ରୀଙ୍କ ବିରୋଧରେ BCI ପକ୍ଷରୁ ଅଗଷ୍ଟ 13 ତାରିଖରେ ଜାରି ହୋଇଥିବା ଚିଠି ଏବଂ ପରବର୍ତ୍ତୀ ସମସ୍ତ ସଂଶୋଧିତ ଚିଠିକୁ ଖଣ୍ଡପୀଠ “ଅଧିକାର କ୍ଷେତ୍ର ବାହାରେ” ବୋଲି ଘୋଷଣା କରିଛନ୍ତି।
ଏହାସହିତ, NALSARର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ବିରୋଧରେ BCI ଏବଂ ରାଜ୍ୟ ବାର୍ କାଉନସିଲ୍‌ଗୁଡ଼ିକ କୌଣସି ଦଣ୍ଡମୂଳକ କିମ୍ବା ଅପରାଧିକ ପଦକ୍ଷେପ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ଆଦେଶକୁ ମଧ୍ୟ ଦୋହରାଇଛନ୍ତି ।

BCI ଅଧ୍ୟକ୍ଷ ମନନ ମିଶ୍ର ପ୍ରଥମେ ରାଜ୍ୟ ବାର୍ କାଉନସିଲ୍‌ଗୁଡ଼ିକୁ NALSARର ଛାତ୍ରଛାତ୍ରୀଙ୍କୁ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ, ଛାତ୍ରଛାତ୍ରୀମାନେ ଦୀକ୍ଷାନ୍ତ ସମାରୋହକୁ ପ୍ରଧାନ ବିଚାରପତିଙ୍କୁ ଆମନ୍ତ୍ରଣ କରିବାକୁ ନେଇ ପ୍ରତିବାଦ କରିଥିଲେ।

ପରେ BCI ଏହି ନାମ ପଞ୍ଜୀକରଣ କଟକଣାକୁ ପ୍ରତ୍ୟାହାର କରିଥିଲା ଏବଂ ଶେଷରେ ଏହି ବ୍ୟାଚ୍ ବିରୋଧରେ ଚାଲିଥିବା ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଦେଇଥିଲା। ଏହାପରେ ସେ ତାଙ୍କ କଥା ଓ BCIର କାର୍ଯ୍ୟକଳାପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ  କ୍ଷମା ମାଗିଥିଲେ। ତେବେ ଏଭଳି ଘଟଣାରେ ବାର୍ କାଉନସିଲ୍ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।