BDA Ekamra Residency Prices Near ₹1 Crore: କୋଟିଏ ଛୁଇଁଯାଇଛି ୨ ବିଏଚକେ ଫ୍ଲାଟ୍ ଦାମ୍; ବିଡ଼ିଏର ଫ୍ଲାଟ୍ ଦରକୁ ନେଇ ଉଠିଛି ବଡ଼ ପ୍ରଶ୍ନ
ଭୁବନେଶ୍ବରରେ ମଧ୍ୟବିତ୍ତଙ୍କୁ ଘର ଦେବାକୁ ବିଡିଏର ଯୋଜନା। ଏଥିପାଇଁ ସରକାରୀ ଜାଗାରେ କମ୍ ଦରରେ ଘର କରିବାକୁ ହୋଇଛି ପ୍ରସ୍ତୁତି। ଘୋଷଣା ବି ହେଲା କିନ୍ତୁ ନିର୍ମାଣ ପରେ ଏବେ ସେଇ ଫ୍ଲାଟ୍ କୁ କିଣିପାରିବେନି ମଧ୍ୟବିତ୍ତ। କାରଣ ଦର ଏତେ ଯେ, ୪୦ ବର୍ଷ ପାଇଁ ଲୋନ୍ ନେଲେ ବି ସୁଝି ପାରିବେନି। ଆଜିଠୁ ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ଆରମ୍ଭ ହୋଇଛି। ଲୋକେ ଘର ଦେଖୁଛନ୍ତି କିନ୍ତୁ କିଣିବାକୁ ସାହସ ପାଉନି।
ଭୁବନେଶ୍ବରରେ ଘର କିଣିପାରିବେନି ମଧ୍ୟବିତ୍ତ, ବିଲ୍ଡରଙ୍କୁ ବଳିଗଲା ବିଡିଏ , କୋଟିଏ ଛୁଇଁଲା ବିଡିଏ ଫ୍ଲାଟ୍ ଦର, ମଧ୍ୟବିତ୍ତଙ୍କ ପାଇଁ ଘର କିଣିବା ସ୍ୱପ୍ନ
ମଧ୍ୟବିତ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇବା ଥିଲା ସରାକରଙ୍କ ଲକ୍ଷ୍ୟ । ଏଥିପାଇଁ ଭୁବନେଶ୍ବରରେ ୨୦୧୮ରେ ନିର୍ମାଣ ଆରମ୍ଭ ହୋଇଥିଲା ଏକାମ୍ର ରେସିଡେନ୍ସି। ନିର୍ଦ୍ଦାରିତ ସମୟଠାରୁ ବହୁ ବିଳମ୍ବରେ ଏହି ପ୍ରକଳ୍ପ ଶେଷ ହୋଇଥିଲେ ବି ଦର ହୋସ୍ ଉଡାଇଦେଉଛି। ଭୁବନେଶ୍ବର ଡେଭଲପମେଣ୍ଟ ଅଥରିଟି- ବିଡିଏର ଫ୍ଲାଟ୍ ଦର ଦେଖି ଉଠୁଛି ବଡ଼ ପ୍ରଶ୍ନ ।
ରାଜଧାନୀରେ ଘର କିଣିବା କ’ଣ ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ ଚାଲିଗଲାଣି? ବିଡିଏର ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ୨ବିଏଚ୍ କେ ଘରର ଦାମ୍ କୋଟିଏ ଛୁଇଁଯାଇଛି। ଆଉ ଏତେ ଦାମରେ ମଧ୍ୟବିତ୍ତଙ୍କ ପାଇଁ ସୁଲଭ ଘର କିପରି ସମ୍ଭବ, ତାକୁ ନେଇ ଉଠିଛି ପ୍ରଶ୍ନ ।
ରାଜଧାନୀ ଭୁବନେଶ୍ବରରେ ଘରୋଇ ବିଲ୍ଡରଙ୍କ ଚଢାଦର ମଧ୍ୟବିତ୍ତଙ୍କ ପାଇଁ ଘର କିଣିବା ବଡ଼ ଚ୍ୟାଲେଞ୍ଜ। ଏଣୁ ସରକାରୀ ଫ୍ଲାଟ ଆଶାରେ ଥିଲେ ମଧ୍ୟବିତ୍ତ। ହେଲେ ଏବେ ଘରୋଇ ବିଲ୍ଡରଙ୍କ ଦାମ୍କୁ ବି ବଳିଯାଇଛି ବିଡିଏର ଫ୍ଲାଟ୍ ଦର। ୨ ବିଏଚ୍ କେ ଫ୍ଲାଟ୍ ଦାମ୍ ରହିଛି ୯୬ ଲକ୍ଷ ଟଙ୍କା। ନିଜ ପସନ୍ଦର ଫ୍ଲୋର୍ ବାଛିଲେ ଅତିରିକ୍ତ ମୂଲ୍ୟ।
ପ୍ରକଳ୍ପ ନିର୍ମାଣ ପାଇଁ ବିଡିଏକୁ ସରକାର ଜମି ଦେଲେ, ପାଣି ବି ମାଗଣା ଯୋଗାଇଲେ। ସରକାରୀ ଟଙ୍କାରେ ବିରାଟ ଅଟ୍ଟାଳିକା ଠିଆ ହେଲା। ଏବେ ଲୋକଙ୍କୁ ଫ୍ଲାଟ ବିକିଲାବେଳକୁ ବିଲ୍ଡରଠୁ ଅଧିକ ଦର ବିଡିଏ ନେଉଥିବା ଅଭିଯୋଗ ହୋଇଛି। ଘର ନିର୍ମାଣବେଳେ ଉଦ୍ଦେଶ୍ୟ ଥିଲା ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ଫ୍ଲାଟ ଯୋଗାଇବା ।
ଆଉ ଏବେ ଲୋକ ପ୍ରଶ୍ନ କଲେଣି ସରକାରଙ୍କ ପାଇଁ କ’ଣ ସୁଲଭ ମୂଲ୍ୟ କୋଟିଏ ? ଯଦି ଜଣେ ଏଥିପାଇଁ ଗୃହ ଋଣ ଉଠାଇବ, ଇଏମଆଇ ବାବଦରେ ମାସକୁ ୨୦ ହଜାର ଗଣିଲେ ଋଣ ସୁଝିବାକୁ ୪୦ ବର୍ଷ ଲାଗିଯିବ। ସେ ପର୍ଯ୍ୟନ୍ତ ଜଣେ ଲୋକ ବଞ୍ଚିବ ତ?
ସବୁଠୁ ବଡ଼ ପ୍ରଶ୍ନ ଅଚାନକ ବଢ଼ିଗଲା ଫ୍ଲାଟ ଦାମ୍ । ମାତ୍ର କିଛି ବର୍ଷ ଭିତରେ ଫ୍ଲାଟ୍ ଦାମ୍ ଏତେ ବଢ଼ିବାର କାରଣ କ’ଣ? ଏହି ଦର ନିର୍ଦ୍ଧାରଣର ଆଧାର କ’ଣ? ମଧ୍ୟବିତ୍ତଙ୍କ ପାଇଁ ନିର୍ମିତ ଆବାସ ପ୍ରକଳ୍ପ ସତରେ ସୁଲଭ ମୂଲ୍ୟରେ ଘର ଦେଉଛି କି, ନା ବ୍ୟବସାୟିକ ଦୃଷ୍ଟିକୋଣରେ ପରିଣତ ହେଉଛି? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ। ଭୁବନେଶ୍ବର ବଢ଼ୁଛି, ତାସହ କଣ ବିଡିଓ ବି ଦର ବଢ଼ାଉଛି କି?
ବିଡିଏ ହାଉସିଂ ପ୍ରକଳ୍ପର ଉଦ୍ଦେଶ୍ୟ ଯଦି ମଧ୍ୟବିତ୍ତଙ୍କୁ ଘର ଯୋଗାଇବା, ତେବେ ଫ୍ଲାଟ୍ ଦାମ୍ ଏତେ କାହିଁକି? ଏହି ଦରରେ ତ୍ ଅନ୍ୟ ବିଲ୍ଡର ବି ଫ୍ଲାଟ୍ ଯୋଗାଇ ପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।