Bengaluru Double Murder: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା, ପରେ ପୁଅର ଗଳା ଚିପିଥିବା ପୋଲିସର ସନ୍ଦେହ
ବେଙ୍ଗାଲୁରୁ ଡବଲ୍ ମର୍ଡର ମାମଲାରେ ଚାଞ୍ଚଲ୍ୟକର ମୋଡ଼। ୨୬ ବର୍ଷୀୟା ହରିଣୀକୁ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ହରିଣୀ ତା ପ୍ରେମିକ ବିନୟ ସହାୟତାରେ ୩୫ ବର୍ଷୀୟ ସ୍ୱାମୀ ଅଭିନନ୍ଦନଙ୍କୁ ହତ୍ୟା କରିଛି ଏବଂ ପରେ ଘଟଣାକୁ ୪ ବର୍ଷୀୟ ପୁଅ ଦେଖିଥିବାରୁ ତାକୁ ମଧ୍ୟ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ରହିଛି।
ସୋମବାର ସକାଳ ପ୍ରାୟ ୭ଟାରେ ହରିଣୀ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ତା ସ୍ୱାମୀ ଓ ପୁଅ ତାଙ୍କ ଘରେ ଖଟ ଉପରେ ନିଶ୍ଚଳ ଅବସ୍ଥାରେ ପଡ଼ିଥିବା ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଘରେ ପହଞ୍ଚି ଉଭୟଙ୍କୁ ମୃତ ଅବସ୍ଥାରେ ପାଇଥିଲା।
ତଦନ୍ତକାରୀ ଅଧିକାରୀଙ୍କଙ୍କ ଅନୁଯାୟୀ, ଅଭିନନ୍ଦନଙ୍କୁ ହତ୍ୟା କରିବା ପାଇଁ ହରିଣୀ ବିନୟ ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ପୋଲିସ ସନ୍ଦେହ କରୁଛି ଯେ ପୁଅ ଯଦୁବୀର ଏହି ହତ୍ୟାକାଣ୍ଡ ଦେଖିଥିଲା। ଶିଶୁଟି ଘଟଣା ବିଷୟରେ ଅନ୍ୟମାନଙ୍କୁ କହିଦେବ ବୋଲି ଭୟ କରି ହରିଣୀ ତା ଗଳା ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ଏହାପରେ ଅଭିଯୁକ୍ତ ହରିଣୀ ଅଭିନନ୍ଦନଙ୍କ ମୃତଦେହକୁ ଶିଶୁର ମୃତଦେହ ଉପରେ ରଖିଥିଲେ। ବାପା ନିଜ ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିଲେ କିମ୍ବା ନିଜେ ହତ୍ୟାର ଶିକାର ହୋଇଥିଲେ ବୋଲି ଏକ ଧାରଣା ସୃଷ୍ଟି କରିବା ଏହା ପଛରେ ଉଦ୍ଦେଶ୍ୟ ଥିବା ପୋଲିସ ସନ୍ଦେହ କରୁଛି।
ହରିଣୀର ବୟାନରେ ତାଳମେଳ ନଥିବା ପୋଲିସ ଜାଣିବା ପରେ ଏବଂ ଘଟଣାସ୍ଥଳରୁ କିଛି ସୁରାକ୍ ମିଳିବା ପରେ ଷଡ଼ଯନ୍ତ୍ର ନେଇ ତଦନ୍ତ ଆହୁରି ଜୋରଦାର୍ ହୋଇଥିଲା। ତଦନ୍ତକାରୀ ଅଧିକାରୀମାନେ ରକ୍ତ ଦାଗର ଦେଖିଥିଲେ ଏବଂ ରକ୍ତ ଲାଗିଥିବା ପୋଷାକଗୁଡ଼ିକୁ ଧୋଇ ଶୁଖାଇବା ପାଇଁ ବାହାରେ ରଖାଯାଇଥିବା ଜାଣିବାକୁ ପାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।