JSSC-CGL Cancellation Sparks Fresh Crisis: ବିବାହର ୨ ମାସ ପରେ ଚାଲିଗଲା ଚାକିରି, ଝାଡ଼ଖଣ୍ଡରେ ୧,୯୭୫ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧାର

Aug 18, 2026 - 18:20
JSSC-CGL Cancellation Sparks Fresh Crisis: ବିବାହର ୨ ମାସ ପରେ ଚାଲିଗଲା ଚାକିରି, ଝାଡ଼ଖଣ୍ଡରେ ୧,୯୭୫ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧାର

ଝାଡ଼ଖଣ୍ଡରେ ଜେଏସଏସସି-ସିଜିଏଲ ୨୦୨୪ ସମେତ ଅନ୍ୟାନ୍ୟ ପରୀକ୍ଷା ବାତିଲ୍ ଘୋଷଣା ପରେ ତୀବ୍ର ହୋଇଛି ବିବାଦ। ଏକପଟେ ପରୀକ୍ଷା ବାତିଲ୍ ଦାବି କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା, ଅନ୍ୟପଟେ ଚାକିରି ହରାଇବା ଆଶଙ୍କାରେ ରାସ୍ତାକୁ ଓହ୍ଲାଇଛନ୍ତି ପୂର୍ବରୁ ନିଯୁକ୍ତି ପାଇଥିବା ୧,୯୭୫ ଜଣ ପ୍ରାର୍ଥୀ।

ସୋମବାର ଝାଡ଼ଖଣ୍ଡ ସରକାର ଜେଏସଏସସି-ସିଜିଏଲ ୨୦୨୪ ସହ ଅନ୍ୟ କିଛି ସରକାରୀ ନିଯୁକ୍ତି ପରୀକ୍ଷା ବାତିଲ୍ କରିବାକୁ ଘୋଷଣା କରିଥିଲେ। ବାହ୍ୟ ସଂସ୍ଥା ଦ୍ୱାରା ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ପ୍ରାୟ ମାସେ ଧରି ଛାତ୍ର ଆନ୍ଦୋଳନ ଚାଲିଥିଲା।

କିନ୍ତୁ ଏହି ନିଷ୍ପତ୍ତି ପରେ ଏବେ ନୂଆ ସଙ୍କଟରେ ପଡ଼ିଛନ୍ତି ଚାକିରି ପାଇସାରିଥିବା ପ୍ରାର୍ଥୀମାନେ। ରାଞ୍ଚିରେ ପ୍ରବଳ ବର୍ଷା ମଧ୍ୟରେ ଝାଡ଼ଖଣ୍ଡ ସଚିବାଳୟ ବାହାରେ ଆନ୍ଦୋଳନ କରୁଥିବା ଚତରାର ରଘୁବେନ୍ଦ୍ରଙ୍କ ଆଖିରେ ଲୁହ। ରଘୁବେନ୍ଦ୍ର କହିଛନ୍ତି “ମୁଖ୍ୟମନ୍ତ୍ରୀ ନିଜେ ମୋତେ ନିଯୁକ୍ତିପତ୍ର ଦେଇଥିଲେ। ଏବେ ସେହି ସରକାର ମୋ ଚାକିରି ନେଇଗଲା।”

ରଘୁବେନ୍ଦ୍ର ପୂର୍ବରୁ ଗୟାରେ ଶିକ୍ଷକ ଭାବେ ସାମାଜିକ ବିଜ୍ଞାନ ପଢ଼ାଉଥିଲେ। ୨୦୨୬ ଜାନୁଆରୀ ୫ରେ ସୁପ୍ରିମକୋର୍ଟ ନିଯୁକ୍ତି ବାତିଲ୍ ଦାବି ଖାରଜ କରିବା ପରେ, ଜାନୁଆରୀ ୮ରେ ସେ ଶିକ୍ଷକ ଚାକିରିରୁ ଇସ୍ତଫା ଦେଇ ଜେଏସଏସସି-ସିଜିଏଲ ଚାକିରିରେ ଯୋଗ ଦେଇଥିଲେ। ଏବେ ବୟସ ସୀମା ଅତିକ୍ରମ କରିସାରିଥିବାରୁ ନୂଆ ନିଯୁକ୍ତି ପରୀକ୍ଷା ଦେବାର ସୁଯୋଗ ମଧ୍ୟ ତାଙ୍କ ପାଖରେ ନାହିଁ।

ସେହିପରି ସନ୍ଦୀପ ଯାଦବଙ୍କ ଅଭିଜ୍ଞତା ଆହୁରି ଯନ୍ତ୍ରଣାଦାୟକ। ଭିଜିଲାନ୍ସ ବିଭାଗରେ କାମ କରୁଥିବା ସନ୍ଦୀପଙ୍କୁ ମଙ୍ଗଳବାର ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ଗତବର୍ଷ ପରୀକ୍ଷା ପାସ୍ କରି ସେ ଚାକିରିରେ ଯୋଗ ଦେଇଥିଲେ।

ବିବାହର ମାତ୍ର ଦୁଇ ମାସ ପରେ ଚାକିରି ହରାଇବା ଆଶଙ୍କା ତାଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଦୋହଲାଇ ଦେଇଛି। ସନ୍ଦୀପ କହିଛନ୍ତି, ଘରେ ଯାଇ ସେ ପତ୍ନୀଙ୍କୁ କହିଥିଲେ, “ଚାକିରି ଥିବାରୁ ମୋତେ ବିବାହ କରିଥିଲ। ଏବେ ଚାକିରି ନାହିଁ। ଚାହିଁଲେ ସମ୍ପର୍କ ଶେଷ କରିପାର।”

ଏହା କେବଳ ଚାକିରିର ପ୍ରଶ୍ନ ନୁହେଁ, ପରିବାରର ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତାରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ। 

ଦେଓଘରର ଲାଲନ ପାଣ୍ଡେଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ଚୟନ କରାଯାଇଥିଲା ଏବଂ ତାଙ୍କ ପୋଷ୍ଟିଂ ହୋଇଥିଲା ଜାମସେଦପୁରରେ। ବାପା-ମାଆ, ପତ୍ନୀ ଓ ଦୁଇ ଛୋଟ ପିଲାଙ୍କ ପରିବାରରେ ସେ ହେଉଛନ୍ତି ଏକମାତ୍ର ରୋଜଗାରକାରୀ। ସେ କହିଛନ୍ତି, ତାଙ୍କ ବୟସ ଏବେ ଏପରି ସ୍ଥିତିରେ ଯେ ଆଉ ନୂଆ ନିଯୁକ୍ତି ପରୀକ୍ଷା ଦେବା ସମ୍ଭବ ନୁହେଁ। ପିଲାଙ୍କ ପାଠପଢ଼ା କିପରି ଚାଲିବ, ସେନେଇ ସେ ଚିନ୍ତିତ।

ଅନ୍ୟ ଜଣେ ଚୟନିତ ପ୍ରାର୍ଥୀ ଗୁଞ୍ଜନ ସିଂହ କହିଛନ୍ତି, ସେ ଆସନସୋଲ ଡିଭିଜନରେ ରେଲୱେ ଚାକିରି କରୁଥିଲେ। ଘରକୁ ଫେରିବା ଆଶାରେ ସେ ଏହି ଚାକିରି ବାଛିଥିଲେ। ତାଙ୍କ କହିବା ଅନୁସାରେ, ସେମାନେ ସୁପ୍ରିମକୋର୍ଟଙ୍କ ରାୟ ପରେ ଚାକିରିରେ ଯୋଗ ଦେଇଥିଲେ। ଏବେ ରାୟ ପରେ ମଧ୍ୟ ନିଯୁକ୍ତି ବାତିଲ୍ ହେଉଥିଲେ, “ଆମେ କାହା ଉପରେ ବିଶ୍ୱାସ କରିବୁ?” ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଆନ୍ଦୋଳନରତ ଛାତ୍ରମାନଙ୍କ ପ୍ରତି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ମନରେ କୌଣସି ରାଗ ନାହିଁ। ଚୟନିତ ପ୍ରାର୍ଥୀ ପ୍ରିନ୍ସ କହିଛନ୍ତି, “ସେମାନେ ଆମ ସାନ କିମ୍ବା ବଡ଼ ଭାଇଙ୍କ ଭଳି। ପରିଶ୍ରମ, ସୁଯୋଗ ଓ ଭାଗ୍ୟର ପ୍ରଶ୍ନ। ସେମାନେ ମଧ୍ୟ ଦିନେ ଚୟନିତ ହୋଇପାରିଥାନ୍ତେ।”

ଜେଏସଏସସି-ସିଜିଏଲ ୨୦୨୪ ପରୀକ୍ଷା ଆରମ୍ଭରୁ ବିବାଦରେ ରହିଥିଲା। ଜାନୁଆରୀ ୨୦୨୪ରେ ପେପର୍ ଲିକ୍ ଅଭିଯୋଗ ପରେ ପରୀକ୍ଷା ବାତିଲ୍ ହୋଇଥିଲା। ସେପ୍ଟେମ୍ବରରେ ପୁନଃ ପରୀକ୍ଷା ହୋଇଥିଲେ ମଧ୍ୟ ପୁଣି ଅନିୟମିତତାର ଅଭିଯୋଗ ଆସିଥିଲା।

CID ତଦନ୍ତ ରିପୋର୍ଟରେ ଅଭିଯୋଗ ହୋଇଥିଲା ଯେ ପରୀକ୍ଷା ପୂର୍ବରୁ କିଛି ପ୍ରାର୍ଥୀଙ୍କୁ ହଜାରିବାଗ, ବୋକାରୋ, ଆସନସୋଲ ଏବଂ ନେପାଳ ପର୍ଯ୍ୟନ୍ତ ନିଆଯାଇ ୧୫୦ଟି ପ୍ରଶ୍ନ ମଧ୍ୟରୁ ୧୨୦ଟିର ଉତ୍ତର ମନେ ରଖାଯାଇଥିବା ଅଭିଯୋଗ ଆସିଥିଲା। ଏହି ମାମଲାରେ FIR ମଧ୍ୟ ରୁଜୁ ହୋଇଥିଲା।

୨୦୨୫ ଡିସେମ୍ବରରେ ଝାଡ଼ଖଣ୍ଡ ହାଇକୋର୍ଟ ସନ୍ଦେହ ଘେରରେ ଥିବା ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟମାନଙ୍କୁ ନିଯୁକ୍ତିପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୬ ଜାନୁଆରୀରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୂର୍ଣ୍ଣ ନିଯୁକ୍ତି ବାତିଲ୍ ଦାବିକୁ ଖାରଜ କରିଥିଲେ। ଏବେ ସେହି ରାୟଗୁଡ଼ିକୁ ଆଧାର କରି ନିଜ ଚାକିରି ବଞ୍ଚାଇବାକୁ ଦାବି କରୁଛନ୍ତି ୧,୯୭୫ ଚୟନିତ ପ୍ରାର୍ଥୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।